ଚାପ ଦୂର କରିବ ବଲ୍‌

କର୍ମମୟ ଜୀବନରେ ଷ୍ଟ୍ରେସ୍‌ ବା ଚାପରେ ରହିବା ସ୍ବାଭାବିକ କଥା। ଏଥିରୁ ମୁକ୍ତି ପାଇବା ପାଇଁ ଟିକେ ଫୁରସତ୍‌ ମିଳିଲେ କିଏ ଯୋଗ କରି ବସନ୍ତି ତ କିଏ ସାଙ୍ଗସାଥୀଙ୍କ ସହ କିଛି ସମୟ ଖଟି କରିବାକୁ ବାହାରିପଡନ୍ତି। କିନ୍ତୁ ଏବେ ଜାପାନ୍‌ର ଲୋକମାନେ ନିଜର ଷ୍ଟ୍ରେସ୍‌ ଦୂର କରିବା ପାଇଁ ସ୍ବତନ୍ତ୍ର ଧରଣର ବଲ୍‌ଗୁଡ଼ିକର ସହାୟତା ନେଉଥିବା ଦେଖିବାକୁ ମିଳୁଛି। ଏହି ବଲ୍‌ଗୁଡ଼ିକୁ ଜାପାନର କେତେଜଣ ମନସ୍ତତ୍ୱବିତ୍‌ ବେଶ୍‌ ପରିକ୍ଷଣ କରି ତିଆରି କରିଥିବା ସୂଚନା ରହିଛି। ଗୋଲାକାର ଆକୃତିର ଏହି ବଲ୍‌ଗୁଡ଼ିକ ମୁଖ୍ୟତଃ ଚାରି ପ୍ରକାରର ମଜାଳିଆ ମୁହଁର ଭାବଭଙ୍ଗୀକୁ ନେଇ ତିଆରି ହୋଇଥାଏ। ଆଉ ଏହି ମଜାଳିଆ ମୁହଁ ବିଶିଷ୍ଟ ବଲ୍‌ଗୁଡ଼ିକୁ ହାତରେ ଧରି ଚିପିବା ଦ୍ୱାରା ଧୀରେ ଧୀରେ ଷ୍ଟ୍ରେସ୍‌ କମିଥାଏ ବୋଲି ଅନେକଙ୍କର ମତ ରହିଛି। ତା’ଛଡ଼ା ଏହି ବଲ୍‌ଗୁଡ଼ିକର ଖାସ୍‌ ବିଶେଷତ୍ତ୍ୱ ହେଉଛି ଏହାକୁ ଯେ କୌଣସି ସ୍ଥାନରେ ଆରାମରେ ବ୍ୟବହାର କରିହୁଏ। ଏପରି କି ଅତ୍ୟଧିକ କାର୍ଯ୍ୟଭାର ଯୋଗୁ ଚିଡ଼ିଚିଡା ଲାଗୁଥିବା ସମୟରେ ବି ଜଣେ ଚାହିଁଲେ ଗୋଟିଏ ହାତରେ ଏହି ବଲ୍‌ଗୁଡ଼ିକୁ ଚିପି ଚିପି ନିଜ ଷ୍ଟ୍ରେସ୍‌କୁ କଣ୍ଟ୍ରୋଲ୍‌ କରିପାରିବେ। ସେଥିପାଇଁ ତ ଏହାର ନାମ କାଓମାରୁ ଷ୍ଟ୍ରେସ୍‌ ରିଲିଫ୍‌ ବଲ୍ସ ରଖାଯାଇଛି। ଜାପାନିଜ୍‌ ଭାଷାରେ କାଓମାରୁର ଅର୍ଥ ହେଉଛି ଗୋଲାକାର ମୁହଁ।