ଶିଶୁଙ୍କୁ ମିଳିଲା ପୋକ ସାଲୁବାଲୁ ଛତୁଆ

ଆଳି,୧୩।୭(ଡି.ଏନ.ଏ.): ରାଜ୍ୟ ସରକାର ୬ ମାସରୁ ୩ ବର୍ଷ ପର୍ଯ୍ୟନ୍ତ ଶିଶୁମାନଙ୍କ ସ୍ବାସ୍ଥ୍ୟ ଗଠନରେ ସହାୟକ ହେବା ନିମନ୍ତେ ପୁଷ୍ଟିକର ଛତୁଆ ଯୋଗାଇ ଦେଉଛନ୍ତି। ଏହି ଛତୁଆ ପ୍ରସ୍ତୁତି ନିମନ୍ତେ ସ୍ବୟଂ ସହାୟିକା ଗୋଷ୍ଠୀକୁ ଦାୟିତ୍ୱ ଦିଆଯାଇଛି। ଅନେକ ସମୟରେ ନିମ୍ନମାନର ଛତୁଆ ବଣ୍ଟନଠୁ ଆରମ୍ଭ କରି ବିଭିନ୍ନ ପ୍ରକାର ହେରଫେର ହେଉଥିବା ଅଭିଯୋଗ ହେଉଛି। ମାତ୍ର ଏହି ଯୋଜନାରେ କେତେ ଦୁର୍ନୀତି ହେଉଛି ତାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲା ଆଳି ବ୍ଲକ ଅଟାଳ ପଞ୍ଚାୟତରେ। ପଞ୍ଚାୟତର ଗୋପୀନାଥପୁର ଅଙ୍ଗନଓ୍ବାଡି ସେଣ୍ଟର ଅଧୀନରେ ଥିବା ୧୮ଜଣ ଶିଶୁଙ୍କ ପରିବାରକୁ ଚଳିତ ମାସରେ ନିମ୍ନମାନର ଛତୁଆ ମିଳିଛି। ଛତୁଆରେ ପୋକ ସାଲୁବାଲୁ ହେଉଛନ୍ତି। ସବୁଠୁ ବିଡ଼ମ୍ବନାର ବିଷୟ ଏହି ଛତୁଆ ପ୍ୟାକେଟରେ ତାରିଖ ଓ ମାସ ସ୍ଥାନରେ କିଛି ଉଲ୍ଲେଖ ନ ଥିବା ବେଳେ ମସିହା ସ୍ଥାନରେ କେବଳ ୨୦ ଲେଖା ରହିଛି। ଛତୁଆ ପ୍ରସ୍ତୁତକାରୀ ସଂସ୍ଥା ବେଲାରୀର ମା’ ଦୁର୍ଗା ସ୍ବୟଂ ସହାୟିକା ଗୋଷ୍ଠୀ ପକ୍ଷରୁ ପ୍ରସ୍ତୁତ ହୋଇଥିବା ପ୍ୟାକେଟରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି। ଛତୁଆ ପ୍ରସ୍ତୁତ ହେବାର ୧ ମାସ ମଧ୍ୟରେ ଏହାକୁ ଖାଇବା କଥା। ମାତ୍ର ପ୍ରସ୍ତୁତି କେବେ ହୋଇଛି ତାହାର କିଛି ସୂଚନା ନାହ, ଯାହାକି ସ୍ପଷ୍ଟ ଭାବେ ପ୍ରମାଣିତ କରୁଛି ଏହା ନିଶ୍ଚିତ ଭାବେ ପୁରୁଣା ଷ୍ଟକ। ପ୍ରତିମାସରେ ଛତୁଆ ପ୍ରସ୍ତୁତ କରିବାର ନିୟମ ଥିଲେ ସୁଦ୍ଧା ଏହା ନ କରି ପୁରୁଣା ଛତୁଆକୁ ସ୍ବୟଂ ସହାୟକ ଗୋଷ୍ଠୀ ଶିଶୁମାନଙ୍କୁ ଯୋଗାଇ ଦେଉଛନ୍ତି। ଶିଶୁମାନଙ୍କୁ ମିଳୁଥିବା ଛତୁଆ ଯଦି ଏତେ ନିମ୍ନମାନର, ତେବେ ପ୍ରସୂତି ମହିଳାଙ୍କୁ ମିଳୁଥିବା ଛତୁଆ, ଲଡୁ କେତେ ସ୍ବାସ୍ଥ୍ୟ ଉପଯୁକ୍ତ ତାହା ସହଜେ ଅନୁମେୟ। ଏ ନେଇ ଅଙ୍ଗନଓ୍ବାଡି ସହାୟିକାଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ଛତୁଆ ଯୋଗାଣକାରୀ ସଂସ୍ଥା ପକ୍ଷରୁ ସେଣ୍ଟରକୁ ଯାହା ଯୋଗାଇ ଦିଆଯାଉଛି ସେ ଲୋକଙ୍କୁ ତାହା ଦେଉଛନ୍ତି। ଏ ବିଷୟରେ ସେ ଅବଗତ ନାହାନ୍ତି। ଲୋକଙ୍କଠାରୁ ଅଭିଯୋଗ ପାଇବା ପରେ ସେ ତାଙ୍କ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଛନ୍ତି। ଏ ନେଇ ସିଡିପିଓ କଳ୍ପନା ଧଳଙ୍କୁ ପଚାରିବାରୁ ତାଙ୍କ ନିକଟରେ ଅଭିଯୋଗ ପହଞ୍ଚତ୍ନି। ଘଟଣାର ନିଶ୍ଚିତ ଭାବେ ତଦନ୍ତ କରିବେ ବୋଲି ସେ କହିଛନ୍ତି।