ସ୍ବେଚ୍ଛାସେବୀ ସଂସ୍ଥା ଗୃହରେ ପଢ଼ାଇବାକୁ ମନା କଲେ କର୍ତ୍ତୃପକ୍ଷ

ମହାକାଳପଡ଼ା,୨ା୧୧(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ସ୍ଥାନୀୟ ବଉଳକଣି ପଞ୍ଚାୟତର ଟାଙ୍କୀବେଲାରି (ଖ୍ରୀଷ୍ଟିଆନପଡ଼ା) ଗ୍ରାମ ସ୍ଥିତ ହଗପାଟଣା ପ୍ରାଥମିକ ବିଦ୍ୟାଳୟ ଗୃହ ନିର୍ମାଣ ଅଧାପନ୍ତରିଆ ହୋଇ ରହିଛି। ବିଦ୍ୟାଳୟ ପିଲାମାନେ ନିକଟ ସେଚ୍ଛାସେବୀ ସଂସ୍ଥା ୟଙ୍ଗ ମେନ୍‌ ଖ୍ରୀଷ୍ଟିଆନ ଆସୋସିଏଶନ୍‌ ପକ୍ଷରୁ ଏକ ବହୁ ମୁଖି ବାତ୍ୟା ଆଶ୍ରୟ ସ୍ଥଳ ନିର୍ମାଣ ଗୃହରେ କିଛି ମାସ ହେବ ଶିକ୍ଷାଦାନ ହେଉଥିଲା। ହଠାତ୍‌ ମଙ୍ଗଳବାର ପୂର୍ବାହ୍ନରେ ପିଲାମାନଙ୍କୁ ଉକ୍ତ ବାତ୍ୟା ଆଶ୍ରୟସ୍ଥଳ ଗୃହରେ ପାଠପଢା ବନ୍ଦ କରାଯାଇଥିଲା। ଫଳରେ ପିଲାମାନେ ଉକ୍ତ ସ୍ଥାନ ଛାଡ଼ି ରାସ୍ତାରେ ବୁଲିଥିଲେ। ଖବରପାଇ ସ୍ଥାନୀୟ ସିଆରସିସି ପ୍ରଦ୍ୟୁମ୍ନ କୁମାର ଦାସ ଘଟଣାସ୍ଥଳରେ ପହଞ୍ଚତ୍ ପିଲାମାନଙ୍କୁ ନିକଟ କ୍ଲବ ଗୃହରେ ଥଇଥାନ କରିଥିଲେ।
ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଛାତ୍ରୀଛାତ୍ର ସଂଖ୍ୟା ୪୪। ଆଗାମୀଦିନରେ ପିଲାମାନେ କିପରି ପାଠ ପଢିବେ ବୋଲି ଗ୍ରାମର ବିଟୁ ସ୍ବାଇଁ କହିଛନ୍ତି। ତେବେ ଅଧାପନ୍ତରିଆ ନୂତନ ଗୃହ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ଗଁାର ମୁରବୀମାନେ ବହୁବାର ପ୍ରଶାସନ ନିକଟରେ ଦାବି କରିଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନ ଥିବା ଅଭିଯୋଗ ହେଉଛି। ପିଲା ବାହାରେ ବହୁ ସମୟ ବୁଲୁଥିବାରୁ ଅଭିଭାବକମାନେ ଅସନ୍ତୋଷ ପ୍ରକାଶ କରିଥିଲେ। ଏ ସମ୍ପର୍କରେ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ଆଝ ଟୁଡୁଙ୍କୁ ପଚାରିବାରେ ବିଦ୍ୟାଳୟ ବନ୍ଦ ହେବା ନେଇ ପୂର୍ବର କଛି ସୂଚନା ମିଳି ନ ଥିଲା। ତେବେ ପାଠପଢା ଯାଉଥିବା ବାତ୍ୟା ଆଶ୍ରୟସ୍ଥଳ ସେଚ୍ଛାସବୀ ସଂସ୍ଥା ଗୃହ ଦାୟିତ୍ୱରେ କର୍ତ୍ତୃପକ୍ଷ ଜଣକ ମନା କରିବାରୁ ମଙ୍ଗଳବାର ଏହି ଘଟଣା ଘଟିଲା ବୋଲି ସେ କହିଛନ୍ତି। ଅପରପକ୍ଷରେ ଏହି ବିଦ୍ୟାଳୟରେ ଅଧିକାଂଶ ସଂଖ୍ୟାଲଘୁ ସମ୍ପ୍ରଦାୟର ପିଲାମାନେ ପାଠ ପଢିଥାନ୍ତି। ବିଦ୍ୟାଳୟଟି ବହୁ ପୁରାତନ। ବ୍ରିଟିଶ୍‌ ଶାସନ ସମୟରେ ଗୋରା ହଗ୍‌ ସାହେବ ଏହାକୁ ନିର୍ମାଣ କରିଥିଲେ ବୋଲି ସ୍ଥାନୀୟ ଲୋକ କହିଛନ୍ତି। ଏହି ଗୋରା ସାହେବଙ୍କ ନାମ ଅନୁସାରେ ବିଦ୍ୟାଳୟ ନାମକରଣ କରାଯାଇଛି। ପୂର୍ବରୁ ଏହି ବିଦ୍ୟାଳୟରେ ବହୁ ଛାତ୍ରୀଛାତ୍ର ଦେଶ ବିଦେଶରେ ବଡ଼ ପଦ ପଦବୀରେ ଅବସ୍ଥାପିତ ଅଛନ୍ତି ବୋଲି କୁହାଯାଏ। ଅପରପକ୍ଷରେ ବ୍ଲକ ଶିକ୍ଷା ଅଧିକାରୀ ତନ୍ମୟ କୁମାର ବେହେରାଙ୍କୁ ପଚାରିବାରେ ଏହି ଘଟଣା ନଜରକୁ ଆସିନାହିଁ। ଘଟଣା ସମ୍ପର୍କରେ ତଦନ୍ତ କରାଯିବ ବୋଲି ସେ କହିଛନ୍ତି।