କେସିଙ୍ଗା,୧୨।୧ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସ୍ଥିତ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ
ଆନନ୍ଦ ଉଲ୍ଲାସର ସହିତ ଏକ ବର୍ଣ୍ଣାଢ୍ୟ ପରିବେଶରେ ୨୮ତମ ଏନଏସି ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ଉଦଯାପିତ ହୋଇଯାଇଛି। ଏହି ଉଦଯାପିତ ସାରସ୍ବତ ସମାରୋହରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତି ଯୋଗ ଦେଇଥିଲେ ଏବଂ ବିଶିଷ୍ଟ ଅତିଥି ଭାବେ କେସିଙ୍ଗା ଥାନାର ଏସଡ଼ିପିଓ ସନ୍ଦୀପ କୁମାର ମାଝୀ ଯୋଗଦେଇଥିଲେ। ଶିକ୍ଷା, ସମାଜସେବା,କ୍ରୀଡା ଓ ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବରେଣ୍ୟ ବ୍ୟକ୍ତିମାନଙ୍କୁ ସମ୍ବର୍ଦ୍ଧନା କରାଯାଇ ଥିଲା। ପରିଶେଷରେ ପଶ୍ଚିମ ଓଡ଼ିଶାର ପ୍ରତିଷ୍ଠିତ କଣ୍ଠଶିଳ୍ପୀ ଅର୍ଚ୍ଚନା ପାଢ଼ୀଙ୍କ ସମେତ ଦଳଗତ ଚିତ୍ତାକର୍ଷକ,ବିଭିନ୍ନ ସମ୍ବଲପୁରୀ ସାଂକୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଅର୍ଚ୍ଚନା ପାଢ଼ୀଙ୍କ ନାଚ ଓ ଗୀତରେ ଦର୍ଶକ ଆନନ୍ଦ ଉଲ୍ଲାସ ରେ ନାଚି ଉଠିଥିଲେ।
ଶନିବାର ପୂର୍ବାହ୍ନ ୮ଟାରେ ସହରର ଅଧିଷ୍ଠାତ୍ରୀ ଦେବତା ବୁଢ଼ାରଜା ବୁଢ଼ା ଡଙ୍ଗର ମନ୍ଦିରରେ ପୂଜାର୍ଚ୍ଚନା କରା ଯାଇଥିଲା। ପରେ ବୀର ବାଦ୍ୟ ଘୁମୁରା ବାଦ୍ୟରେ ସହର କମ୍ପି ଉଠିଥିଲା। ସହର ପରିକ୍ରମା କରି ବିଦ୍ୟାପୀଠ ସ୍ଥିତ ବୁଢ଼ାରଜା ମଞ୍ଚ ଯାଏ ମଶାଲ ଶୋଭାଯାତ୍ରା କରି ମଶାଲ ସ୍ଥାପନ କରାଯାଇଥିଲା।ଏହି ମଶାଲ ଯାତ୍ରା ପରେ ବୁଢ଼ାରଜା ମଞ୍ଚକୁ ନିମନ୍ତ୍ରିତ ଅତିଥି ଭାବେ ଏନଏସି ଅଧ୍ୟକ୍ଷ ନୃପରାଜ ଯାଦବ,ନିର୍ବାହୀ ଅଧିକାରୀ ଚିନ୍ମୟ ଆଚାର୍ଯ୍ୟ, କେସିଙ୍ଗା ଏସଡ଼ିପିଓ ସନ୍ଦୀପ ମାଝୀଙ୍କ ସମେତ ସମସ୍ତ କାଉନ୍ସିସିଲ ବୃନ୍ଦ ଯୋଗଦାନ କରି ମଞ୍ଚକୁ ଉଦଘାଟନ କରିଥିଲେ। ଏହା ପରେ ପୂର୍ବାହ୍ନ ୧୧ଟାରୁ ଲୋକଗୀତ, ଲୋକନୃତ୍ୟ, ଝୋଟି, ମୁରୁଜ,କଳାହାଣ୍ଡିଆ ପିଠା, ବିଭିନ୍ନ ଭଜନ, ଦଉଡି ଡିଆ, ଆଦି ଛାତ୍ରଛାତ୍ରୀଙ୍କ ଦାରା ପ୍ରତିଯୋଗୀତା ହୋଇଥିଲା। ଅପରାହ୍ନରେ ବିଭିନ୍ନ ସାଂକୃତିକ ଦଳ ଏବଂ ସହରର ବିଭିନ୍ନ ଶିକ୍ଷାନୁଷ୍ଠାନ ଦଳ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏହି ଉପଲକ୍ଷେ ୧୦ଟି ଷ୍ଟଲ ଲଗାଯାଇଥିଲା। ୧୦ଟି ଷ୍ଟଲ ମଧ୍ୟରୁ ମା’ ସିଦ୍ଧିଦାତ୍ରୀ ମହିଳା ଗୃପ ପକ୍ଷରୁ ମାଣ୍ଡିଆ ତିଆରି ବିଭିନ୍ନ ପ୍ରକାର ଖାଦ୍ୟ ପ୍ରସ୍ତୁତ କରା ଯାଇଥିଲା। ଏହି ମଞ୍ଚର ସମସ୍ତ କାର୍ଯ୍ୟକ୍ରମକୁ କନିଷ୍ଠ ଯନ୍ତ୍ରୀ ନାରାୟଣ ମହାରଣ ଓ ଏନଏସିର ସମସ୍ତ କର୍ମଚାରୀ ସହ ଯୋଗ କରିଥିଲେ।
Dharitri – Odisha’s No.1 Odia Daily


