ଆକର୍ଷଣ ସାଜିଲା ସାଂସ୍କୃତିକ କାର୍ଯ୍ୟକ୍ରମ

ବୌଦ୍ଧ, ୧୪।୧(ସ୍ବ.ପ୍ର.): ପରମ୍ପରା ଓ ସଂସ୍କୃତିର ବାର୍ତ୍ତା ନେଇ ଗୁରୁବାରଠାରୁ ଆରମ୍ଭ ହୋଇଥିବା ବୌଦ୍ଧ ମହୋତ୍ସବ, ପଲ୍ଳୀଶ୍ରୀ ମେଳା ଓ ବୟନିକା ହସ୍ତତନ୍ତ ପ୍ରଦର୍ଶନୀର ଶୁକ୍ରବାର ଥିଲା ଦ୍ୱିତୀୟ ସନ୍ଧ୍ୟା। ଏହି ସନ୍ଧ୍ୟାରେ ଆୟୋଜିତ ସଭାରେ ଜିଲା ସଂସ୍କୃତି ପରିଷଦର ଅଧ୍ୟକ୍ଷ ତଥା ଜିଲାପାଳ ସତ୍ୟରଞ୍ଜନ ସାହୁ ଅଧ୍ୟକ୍ଷତା କରିଥିଲେ। ସଭାରେ ଅତିଥିଭାବେ ବୌଦ୍ଧ ଏନଏସି ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ର, ବୌଦ୍ଧ ବ୍ଲକ ଅଧ୍ୟକ୍ଷ ପ୍ରତ୍ୟୁଷ ପ୍ରିୟଦର୍ଶୀ ରଥ, ହରଭଙ୍ଗା ବ୍ଲକ ଅଧ୍ୟକ୍ଷା ସ୍ନେହଲତା ପ୍ରଧାନ, ଜିଲା ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଅଶ୍ୱିନ କୁମାର ମେହେର ଯୋଗଦେଇଥିଲେ। ବୌଦ୍ଧ କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରୀଛାତ୍ରଙ୍କ ଦ୍ୱାରା ସ୍ବାଗତ ସଙ୍ଗୀତ ପରିବେଷଣ ହୋଇଥିଲା। ଚଳିତବର୍ଷ ଜିଲା ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା ସହିତ ଯୋଡି ହୋଇଛି ବୟନିକାର ରାଜ୍ୟସ୍ତରୀୟ ହସ୍ତତନ୍ତ୍ର ପ୍ରଦର୍ଶନୀ। ଫଳରେ ଚଳିତବର୍ଷ ମହୋତ୍ସବ ଅଧିକ ସୁନ୍ଦର ଆକର୍ଷଣୀୟ ହୋଇଛି। ଦ୍ୱିତୀୟ ଦିବସ ସନ୍ଧ୍ୟାରେ ପ୍ରଥମେ ମଞ୍ଚରେ ହକି ବିଶ୍ୱକପ୍‌ ମ୍ୟାଚର ସିଧା ପ୍ରସାରଣ କରାଯାଇଥିଲା। ପରେ ପ୍ରତିଷ୍ଠିତ ଅନୁଷ୍ଠାନଗୁଡିକ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ବୌଦ୍ଧ ଜିଲା କଣ୍ଟାମାଳ ବ୍ଲକର ବରପଦର ବଉଳି ଅନୁଷ୍ଠାନ ଦ୍ୱାରା ସମ୍ବଲପୁରୀ ନୃତ୍ୟ ଦର୍ଶକଙ୍କୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ବାନ୍ଧି ରଖିଥିଲା। ଡା. ରଶ୍ମିରେଖା ଦାଶ ଓ ସାଥିଙ୍କ ଦ୍ୱାରା ସୁନ୍ଦର ସାଂସ୍କୃତିକ କାର୍ଯ୍ୟକ୍ରମ ବେଶ ଆକର୍ଷଣୀୟ ହୋଇଥିଲା। ମଞ୍ଚକୁ ରାଜ୍ୟ କଳା ସଂସ୍କୃତି ସଂଘର ଉପସଭାପତି ଅବନୀ କୁମାର ମିଶ୍ର ପରିଚାଳନା କରିଥିଲେ। ମହୋତ୍ସବରେ ଚଳିତବର୍ଷ ୨୩୦ଟି ଷ୍ଟଲ ଖୋଲାଯାଇଥିବାବେଳେ ସେଥିମଧ୍ୟରେ କେବଳ ବୟନିକା ପକ୍ଷରୁ ୧୧୨ଟି ଷ୍ଟଲ ଖୋଲାଯାଇ ବିଭିନ୍ନ ସାମଗ୍ରୀ ବିକ୍ରୟ କରାଯାଉଛି। ମହୋତ୍ସବରେ ଚଳିତବର୍ଷ କଳାହାଣ୍ଡି ଓ ବାଲେଶ୍ୱରର କାଠ କାରିଗରୀ, ସୁବର୍ଣ୍ଣପୁର ଓ ବଲାଙ୍ଗୀର ଜିଲାର ଟେରାକୋଟା, ପୁରୀର ଗାଲିଚା, ଯାଜପୁରର ଟସର ଓ ମୟୁରଭଞ୍ଜର ସବାଇ ଇତ୍ୟାଦି ପ୍ରଦର୍ଶିତ ହେବା ସହ ବ୍ରିକୟ ହେଉଛି। ଦୁଇ ବର୍ଷ ପରେ କରୋନା କଟକଣା ହଟିବା ପରେ ପୁନର୍ବାର ମେଳା ଆରମ୍ଭ ହୋଇଥିବା ଯୋଗୁ ମହୋତ୍ସବ ଦେଖିବା ପାଇଁ ଲୋକଙ୍କ ଭିଡ ହେଉଛି।