ହାଟଡିହୀ/ଛେନାପଦୀ, ୧୫।୧୧ (ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ୍ ଅନ୍ତର୍ଗତ ବେଲବନ୍ଧ ଗ୍ରାମର ଜଣେ ବୃଦ୍ଧ କଳାକାର ରୋଗ ଯନ୍ତ୍ରଣା ସହି ନପାରି ଶନିବାର ଫିନାଇଲ୍ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଗୁରୁତର ଅବସ୍ଥାରେ ଗ୍ରାମବାସୀ ତାଙ୍କୁ ଶାଳଣିଆଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି।
ସୂଚନା ଅନୁଯାୟୀ, ଗ୍ରାମର ଗୌରାଙ୍ଗ ଚରଣ ସା (୭୫) ଦୀର୍ଘ ଏକ ବର୍ଷ ଧରି କିଡ୍ନି ରୋଗରେ ଆକ୍ରାନ୍ତ ହୋଇ ଘରେ ଶଯ୍ୟାଶାୟୀ ଅଛନ୍ତି। ଆର୍ଥିକ ଅନଟନ ଯୋଗୁଁ ତାଙ୍କର ଉପଯୁକ୍ତ ଚିକିତ୍ସା ହୋଇପାରୁନାହିଁ। ଫଳରେ ସେ ଘରେ ପଡ଼ି ରହି ରୋଗ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି। ଗୌରାଙ୍ଗଙ୍କ ପରିବାର କହିଲେ କେବଳ ତାଙ୍କ ସ୍ତ୍ରୀ ବାସନ୍ତୀ।
ଏଭଳି ପରିସ୍ଥିତିରେ ଦିନକୁ ଦିନ ରୋଗ ଯନ୍ତ୍ରଣା ଅସହ୍ୟ ହେବାରୁ ଗୌରାଙ୍ଗ ଘରେ ଥିବା ଫିନାଇଲ୍ ପିଇ ଦେଇଥିଲେ। କିଛି ସମୟ ପରେ ସେ ଚେତାଶୂନ୍ୟ ହୋଇପଡ଼ିଥିଲେ। କୌଣସି କାମରେ ବାହାରକୁ ଯାଇଥିବା ତାଙ୍କ ସ୍ତ୍ରୀ ବାସନ୍ତୀ ଘରକୁ ଫେରି ଗୌରାଙ୍ଗଙ୍କୁ ଚେତାଶୂନ୍ୟ ଅବସ୍ଥାରେ ପଡ଼ିଥିବା ଦେଖିଥିଲେ। ଏହାପରେ ସାହିପଡ଼ିଶା ଲୋକେ ତୁରନ୍ତ ତାଙ୍କୁ ଉଦ୍ଧାର କରି ଶାଳଣିଆଁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କର ଚିକିତ୍ସା ଜାରି ରହିଛି।
ବାର୍ଦ୍ଧକ୍ୟ ଅବସ୍ଥାରେ ଦୀର୍ଘଦିନର ରୋଗ ଯନ୍ତ୍ରଣା ଓ ଆର୍ଥିକ ଅନଟନ ଯୋଗୁଁ ଘଟିଥିବା ଏହି ଘଟଣା ଚିନ୍ତାର କାରଣ ପାଲଟିଛି। ବୃଦ୍ଧ କଳାକାରଙ୍କୁ ଉନ୍ନତ ଚିକିତ୍ସା ସହ ଆବଶ୍ୟକୀୟ ଆର୍ଥିକ ସହାୟତା ଯୋଗାଇଦେବାକୁ ସ୍ଥାନୀୟ ଅଞ୍ଚଳରେ ଦାବି ହେଉଛି।

