ଆବେଦନକୁ ବର୍ଷେ ବିତିଲା, ଚାଷୀଙ୍କୁ ମିଳୁନି କ୍ଷତିପୂରଣ

କୁଜଙ୍ଗ,୨ା୧(ଡି.ଏନ୍‌.ଏ.): କୁଜଙ୍ଗ ବ୍ଲକରେ ରାଜସ୍ବ ଓ କୃଷି ବିଭାଗ ମଧ୍ୟରେ ସମନ୍ବୟର ଅଭାବ ଯୋଗୁ ବହୁ ଚାଷୀ କ୍ଷୟକ୍ଷତି ପାଇବାରୁ ବଞ୍ଚତ୍ତ ହୋଇଛନ୍ତି। ୨୦୨୧ରେ ବାତ୍ୟା ଜୱାଦ୍‌ ଓ ପ୍ରବଳ ବର୍ଷା ଯୋଗୁ ଧାନ ଫସଲ ସମ୍ପୂର୍ଣ୍ଣ ଉଜୁଡିଯାଇଥିଲା। ଫଳରେ କ୍ଷୁଦ୍ର ଓ ମଧ୍ୟମ ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ଭୁଶୁଡ଼ିଯାଇଥିଲା। କ୍ଷୟକ୍ଷତିର ସମ୍ମୁଖୀନ ହୋଇଥିବା କୃଷକଙ୍କୁ ସହାୟତା ଦେବାପାଇଁ ସରକାର ବିଜ୍ଞପ୍ତି ପ୍ରକାଶ କରିଥିଲେ। ବିଜ୍ଞପ୍ତି ଅନୁଯାୟୀ ଚାଷୀମାନେ ଅନ୍‌ଲାଇନରୁ ପଟ୍ଟା ବାହାର କରିବା ସହ ପାଉତି କାଟି କ୍ଷୟକ୍ଷତି ପାଇବା ପାଇଁ ରାଜସ୍ବ ବିଭାଗର ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟରେ ଦରଖାସ୍ତ କରିଥିଲେ। ଏନେଇ ୨୦୦ରୁ ୫୦୦ ଟଙ୍କା ଖର୍ଚ୍ଚ କରିଥିଲେ।
ମାତ୍ର ଏହାର ବର୍ଷକ ପରେ ସରକାର କ୍ଷୟକ୍ଷତି ରାଶି ପ୍ରଦାନ ପ୍ରକ୍ରିୟା ଆରମ୍ଭ କଲେ। କିନ୍ତୁ କୁଜଙ୍ଗର ବହୁ ଚାଷୀ କ୍ଷତିପୂରଣ ପାଇବାରୁ ବଞ୍ଚତ୍ତ ହୋଇଛନ୍ତି। ଏସମ୍ପର୍କରେ ରାଜସ୍ବ ବିଭାଗ ପକ୍ଷରୁ କୁହାଯାଇଛି ବିଭାଗ ପକ୍ଷରୁ କେବଳ ଦରଖାସ୍ତ ଗ୍ରହଣ କରାଯାଇଥିଲା। ମାତ୍ର ଚାଷୀ ଚିହ୍ନଟ ଦାୟିତ୍ୱ କୃଷି ବିଭାଗର। ଏ ସମ୍ପର୍କରେ ବ୍ଲକ କୃଷି ଅଧିକାରିଣୀ ଅସୀମା ମିଶ୍ର କହିଛନ୍ତି, ତାଙ୍କ ପାଖକୁ ଯେଉଁ ଫର୍ମ ଆସିଛି ତାକୁ ପଠାଇ ଦିଆଯାଇଛି। ଯେହେତୁ ଟଙ୍କା ଦେବା ଦାୟିତ୍ୱ ରାଜସ୍ବ ବିଭାଗର, କାହିଁକି ଦେଇନାହାନ୍ତି ସେସମ୍ପର୍କରେ ସେ କିଛି କହିପାରିବେ ନାହିଁ। ଏ ପ୍ରସଙ୍ଗରେ ତହସିଲଦାର ପ୍ରୀତିପର୍ଣ୍ଣା ମିଶ୍ରଙ୍କୁ ପଚାରିବାରେ କୁହନ୍ତି, କେତେଜଣ ଚାଷୀ କାହିଁକି କ୍ଷତି ପୂରଣ ପାଇଲେ ନାହିଁ ସେ ସମ୍ପର୍କରେ ଆଲୋଚନା ହେବା ପରେ ସ୍ପଷ୍ଟ ହେବ। ସୂଚନାଯୋଗ୍ୟ, କ୍ଷତି ପୂରଣ ରାଶି ପାଇବା ପାଇଁ ଯେଉଁ ଦରଖାସ୍ତ ହୋଇଥିଲା ତା’ର ପ୍ରମାଣ ପତ୍ର ରାଜସ୍ବ ବିଭାଗ ପକ୍ଷରୁ କୃଷକଙ୍କୁ ଦିଆଯାଇନାହିଁ। ତେଣୁ ସମସ୍ତ ଦରଖାସ୍ତର ଭଲ ଭାବେ ଯାଞ୍ଚ କରି ଚାଷୀମାନେ କିପରି କ୍ଷୟକ୍ଷତି ପାଇପାରିବେ ସେଥିପାଇଁ ଉଭୟ ବିଭାଗ ତପତ୍ରତା ପ୍ରକାଶ କରି ପରବର୍ତ୍ତୀ ପଦକ୍ଷେପ ନେବାକୁ ପୂର୍ବତନ ସରପଞ୍ଚ ବିଜୟ ଖଟେଇ, ଯୁବନେତା ଶୁଭ୍ରକାନ୍ତ ସାମନ୍ତରାୟ ଓ ମାଟି ସୁରକ୍ଷା ମଞ୍ଚର ସଂଯୋଜକ ହୃଷୀକେଶ ନାଥ ଦାବି କରିଛନ୍ତି।