ବିନା ଭକ୍ତରେ ଶେଷ ହେଲା ବୁଢ଼ାରଜାଙ୍କ ବାର୍ଷିକ ଦଶହରା

କୋକସରା,୨୩।୧୦(ଡି.ଏନ.ଏ): କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣିଠାରେ ବୁଢ଼ାରଜାଙ୍କ ବାର୍ଷିକ ଦଶହରା ଉତ୍ସବ ବିନା ଭକ୍ତରେ ଶେଷ ହୋଇଛି। କଳାହାଣ୍ଡି ଓ ନବରଙ୍ଗପୁର ଜିଲା ସୀମାନ୍ତ ଆମପାଣି ଘାଟି ତଳେ ଅବସ୍ଥିତ ଆରାଧ୍ୟ ଦେବତା ବୁଢ଼ାରଜାଙ୍କ ଦଶହରା ପର୍ବ ଶନିବାର ନିରାଡ଼ମ୍ବରରେ ପାଳିତ ହୋଇଛି। ବିଗତ ବର୍ଷଗୁଡ଼ିକରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହେଉଥିବା ବେଳେ ଗତବର୍ଷ ଠାରୁ କୋଭିଡ କଟକଣା ଯୋଗୁଁ ବିନା ଭକ୍ତରେ ବୁଢ଼ାରଜାଙ୍କ ବାର୍ଷିକ ଦଶହରା ପାଳନ ହେଉଛି। ଚଳିତ ବର୍ଷ ମଧ୍ୟ ଜିଲା ପ୍ରଶାସନ ପକ୍ଷରୁ ଶନିବାର ସକାଳ ୬ ରୁ ରବିବାର ଦିନ ୧୨ ଘଣ୍ଟା ପର୍ଯ୍ୟନ୍ତ ୧୪୪ ଧାରା ବଳବତ୍ତର ରହିଥିଲା। ଧର୍ମଗଡ଼ ଉପଖଣ୍ଡ ପୋଲିସ ଅଧିକାରୀ ଧିରଜ କୁମାର ଚୋପଦାରଙ୍କ ନେତୃତ୍ୱରେ ପୋଲିସ କର୍ମୀଙ୍କ ସହ ଆଇଆରବି ଯବାନ ମୁତୟନ ରହିଥିଲେ ।