ଭଞ୍ଜନଗର,୨୦ା୯(ବାବୁଲା ପ୍ରଧାନ): ଘୁମୁସର ଗବେଷଣା ପ୍ରତିଷ୍ଠାନର କାର୍ଯ୍ୟକାରିଣୀ ବୈଠକ ରବିବାର ଭଞ୍ଜନଗରସ୍ଥିତ ପ୍ରତିଷ୍ଠାନ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଆଗାମୀ ଦୁଇଦିନିଆ ବାର୍ଷିକ ସମ୍ମିଳନୀ ସମେତ ପ୍ରତିଷ୍ଠାନର ବିଭିନ୍ନ କାର୍ଯ୍ୟକ୍ରମ ନେଇ ବିସ୍ତୃତ ଆଲୋଚନା ହୋଇଥିଲା।
ଚଳିତବର୍ଷ ନଭେମ୍ବର ୨୮ ଓ ୨୯ ତାରିଖରେ ଦୁଇଦିନିଆ ବାର୍ଷିକ ସମ୍ମିଳନୀ ଆୟୋଜନ କରିବାକୁ ସ୍ଥିର ହୋଇଛି। ଭାରତୀୟ ଇତିହାସ ପରିଷଦ ସହଯୋଗରେ ଏହି କାର୍ଯ୍ୟକ୍ରମ ହେବ।
ଏଥିରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଶତାଧିକ ଗବେଷକ ଯୋଗଦେଇ ବିଭିନ୍ନ ବିଷୟରେ ନିଜ ନିଜର ଗବେଷଣାତ୍ମକ ସନ୍ଦର୍ଭ ପାଠ କରିବେ। ଏହି ଅବସରରେ ପ୍ରତିଷ୍ଠାନର ସ୍ମରଣିକା ମଧ୍ୟ ଉନ୍ମୋଚିତ ହେବ।
ସମ୍ମିଳନୀକୁ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଉଦ୍ଘାଟନ କରିବାର ଯୋଜନା ରହିଛି। ତେଣୁ ସମ୍ମିଳନୀକୁ ସୂଚାରୁରୂପେ ଆୟୋଜନ କରିବା ସହ ବିଭିନ୍ନ କାର୍ଯ୍ୟକ୍ରମର ରୂପରେଖ ନେଇ ବୈଠକରେ ଆଲୋଚନା କରାଯାଇଥିଲା।
ଏଥିସହ ନୀତି ଆୟୋଗ ପକ୍ଷରୁ ପ୍ରତିଷ୍ଠାନକୁ ସ୍ବୀକୃତି ମିଳିଥିବାରୁ କର୍ମକର୍ତ୍ତାମାନେ ଖୁସିବ୍ୟକ୍ତ କରିବା ସହ ଏହାକୁ ପ୍ରତିଷ୍ଠାନର ଗବେଷଣାମୂଳକ କାର୍ଯ୍ୟକ୍ରମ ପାଇଁ ଏକ ଉଲ୍ଲେଖନୀୟ ସଫଳତା ବୋଲି ମତପ୍ରକାଶ କରିଥିଲେ।
ବୈଠକରେ ପ୍ରତିଷ୍ଠାନର ସଭାପତି ଡ. ସନ୍ତୋଷ କୁମାର ଆପଟ ଅଧ୍ୟକ୍ଷତା କରିଥିଲେ। ମୁଖ୍ୟ ଉପଦେଷ୍ଟା ଡ. ଶ୍ୟାମା ପ୍ରସାଦ ମିଶ୍ର, ସମ୍ପାଦକ ଡ. ତପନ କୁମାର ମିଶ୍ର, ଡ. ଶିରୀଶ କୁମାର ଷଡ଼ଙ୍ଗୀ, ଡ. ଦାମୋଦର ଷଡ଼ଙ୍ଗୀ, ଲୋକନାଥ ମହାନ୍ତି, ଡ. ରବିନ୍ଦ୍ର ମିଶ୍ର, ନେତାଜୀ ବିଷୋୟୀ, ଅଶୋକ ସ୍ବାଇଁ, ଅଜୟ କୁମାର ବିଶ୍ବାଳ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।