୧୧୪ ଅଙ୍ଗନଓ୍ବାଡି କେନ୍ଦ୍ରର ନାହିଁ ନିଜସ୍ବ କୋଠା

ଖୋର୍ଦ୍ଧା ଅଫିସ,୨୦।୪: ଗର୍ଭବତୀଙ୍କ ସ୍ବାସ୍ଥ୍ୟର ଯତ୍ନ ଏବଂ ପିଲାଙ୍କ ଶୈକ୍ଷିକ ବିକାଶ ନିମନ୍ତେ ରାଜ୍ୟରେ ସମନ୍ବିତ ଶିଶୁ ବିକାଶ ଯୋଜନା କାର୍ଯ୍ୟକାରୀ ହୋଇଛି। ଏହି ଯୋଜନାରେ ପ୍ରତ୍ୟେକ ଗ୍ରାମରେ ଅଙ୍ଗନଓ୍ବାଡି କେନ୍ଦ୍ର ଖୋଲାଯାଇଛି। ପ୍ରାକ୍‌ ବିଦ୍ୟାଳୟ ପୂର୍ବରୁ ବିଭିନ୍ନ ଉପକରଣ, ଗପ, ଗୀତ ମାଧ୍ୟମରେ ପିଲାଙ୍କ ମଧ୍ୟରେ ପାଠପଢ଼ା ପ୍ରତି ଆଗ୍ରହ ସୃଷ୍ଟି କରିବା ଏହାର ଲକ୍ଷ୍ୟ। ୫ବର୍ଷ ପର୍ଯ୍ୟନ୍ତ ପିଲାଙ୍କ ଶାରୀରିକ ବିକାଶ ସହ ପୁଷ୍ଟିକର ଖାଦ୍ୟ ଯୋଗାଇ ଦିଆଯାଉଛି। ଅଙ୍ଗନଓ୍ବାଡି କେନ୍ଦ୍ରର ନିଜସ୍ବ ଗୃହ ଲାଗି କେନ୍ଦ୍ର ଓ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି। ତେବେ ଖୋର୍ଦ୍ଧା ଜିଲା ବୋଲଗଡ଼ ବ୍ଲକର ୧୧୪ ଅଙ୍ଗନଓ୍ବାଡି କେନ୍ଦ୍ରର ନିଜସ୍ବ ଗୃହ ନ ଥିବାରୁ ସ୍କୁଲ ବାରଣ୍ଡା ଓ କୋଠଘରେ ଅସ୍ବାସ୍ଥ୍ୟକର ପରିବେଶ ମଧ୍ୟରେ ଚାଲିଥିବା ଦେଖିବାକୁ ମିଳିଛି। ପ୍ରଶାସନିକ ଅବହେଳା ଓ ରାଜନୈତିକ ଇଚ୍ଛାଶକ୍ତି ଏଥିରେ ବାଧକ ସାଜିଛି।
ପ୍ରକାଶ ଯେ, ବୋଲଗଡ଼ ବ୍ଲକରେ ୨୨୮ଟି ଅଙ୍ଗନଓ୍ବାଡି କେନ୍ଦ୍ର ରହିଛି। ଏଥିରୁ ୧୧୪ଟି କେନ୍ଦ୍ର ନିଜସ୍ବ ଗୃହରେ ଚାଲୁଥିବା ବେଳେ ବଳକା କେନ୍ଦ୍ର ସ୍କୁଲ ବାରଣ୍ଡା ଓ କୋଠ ଘରେ ଚାଲୁଥିବା ଜଣାପଡିଛି। ଏହି ବ୍ଲକର ଅସରଳା ପଞ୍ଚାୟତର ଅସରଳା ଗ୍ରାମରେ ୪ଟି କେନ୍ଦ୍ର ରହିଥିବା ବେଳେ ନିଜସ୍ବ ଗୃହ ନାହିଁ। ସ୍କୁଲ ବାରଣ୍ଡାରେ ଚାଲୁଛି ଏହି କେନ୍ଦ୍ର। ଗ୍ରାମର ଗୋଟିଏ କେନ୍ଦ୍ର ନିର୍ମାଣ ପାଇଁ ୧୦ବର୍ଷ ପୂର୍ବେ ୫ଲକ୍ଷ ଟଙ୍କା ଅନୁଦାନ ଆସିଥିଲା। ଏଯାବତ୍‌ କାର୍ଯ୍ୟ ଶେଷ ହୋଇପାରିନାହିଁ। ପିଲାଙ୍କୁ ସୁଷମ ରନ୍ଧା ଖାଦ୍ୟ ପାଇଁ ସରକାର ଗୁରୁତ୍ୱାରୋପ କରୁଛନ୍ତି। ତେବେ ଖାଦ୍ୟ ରାନ୍ଧିବା ପାଇଁ କୌଣସି ସୁବିଧା ନ ଥିବାରୁ ଅଙ୍ଗନଓ୍ବାଡି କର୍ମୀମାନେ ନାହିଁ ନ ଥିବା ହଇରାଣ ହେଉଛନ୍ତି। ଏବେ ସକାଳୁଆ ସ୍କୁଲ ଚାଲିଛି। ପ୍ରଥମ କ୍ଲାସର ପିଲାଙ୍କ ସହ ଅଙ୍ଗନଓ୍ବାଡି ପିଲାମାନେ ଏକାଠି ବସୁଛନ୍ତି। ଦୀର୍ଘ ବର୍ଷ ଧରି ଏହି ସମସ୍ୟା ଲାଗି ରହିଥିବା ବେଳେ ସ୍ଥାନୀୟ ପ୍ରଶାସନ କିମ୍ବା ଲୋକପ୍ରତିନିଧିଙ୍କ ଏଥିପ୍ରତି ଦୃଷ୍ଟି ପଡୁ ନ ଥିବା କେତେଜଣ ଗ୍ରାମବାସୀ କହିଛନ୍ତି। ଏନେଇ ସ୍ଥାନୀୟ ସରପଞ୍ଚ କୁହନ୍ତି, ଅଙ୍ଗନଓ୍ବାଡି କେନ୍ଦ୍ର ଗୃହ ସମ୍ପର୍କରେ ବ୍ଲକ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ଅନ୍ୟପଟେ ସିଡିପିଓ କ୍ରିଷ୍ଣାପ୍ରିୟା ପ୍ରଧାନ କୁହନ୍ତି, ନିର୍ମାଣାଧୀନ ଅଙ୍ଗନଓ୍ବାଡି କେନ୍ଦ୍ର ଗୃହ କିପରି ଶେଷ ହେବ ସେଥିପ୍ରତି ଗୁରୁତ୍ୱ ଦିଆଯାଉଛି।