ରୋଗୀଙ୍କୁ ରାସ୍ତାରେ ଛାଡ଼ି ପଳାଇଲା ଆମ୍ବୁଲାନ୍ସ

କେନ୍ଦୁଝର,୨ା୧(ସ୍ବ.ପ୍ର):ବିଳମ୍ବିତ ରାତିରେ ଜଣେ ରୋଗୀଙ୍କୁ କଟକରୁ ଆଣି ଆମ୍ବୁଲାନ୍ସ ଅଧା ରାସ୍ତାରେ ଛାଡ଼ି ପଳାଇଥିଲା। ରୋଗୀଙ୍କ ସମ୍ପର୍କୀୟ ଏକ ଭଡ଼ା ଗାଡ଼ି କରି ରୋଗୀଙ୍କୁ ନେଇ ଘରକୁ ଫେରିଥିବା କହିଛନ୍ତି। ଏହି ଘଟଣାକୁ ରୋଗୀଙ୍କ ପରିବାର ଅସନ୍ତୋଷ ପ୍ରକାଶ କରିବା ସହ ତଦନ୍ତ ଦାବି କରିଛନ୍ତି। ଘଟଣା ଏବେ କେନ୍ଦୁଝର ଜିଲାରେ ଚର୍ଚ୍ଚାର ବିଷୟ ହୋଇଛି।
କେନ୍ଦୁଝର ସଦର ବ୍ଲକ୍‌ ଗୋବର୍ଦ୍ଧନ ପଞ୍ଚାୟତ ସେଣ୍ତକାପ ଗ୍ରାମର ଆକାଶ ମହାନ୍ତ ରୋଗରେ ଆକ୍ରାନ୍ତ ହୋଇ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରୁ କଟକ ଏସ୍‌ସିବିକୁ ଜିଲା ଖଣିଜପାଣ୍ଠିରୁ ସଞ୍ଜିବନୀ ଜରିଆରେ ଯାଇଥିଲେ। ସେଠାରେ ଚିକିତ୍ସିତ ହୋଇ ସାମାନ୍ୟ ସୁସ୍ଥ ଅନୁଭବ କରିବା ପରେ ଡିସ୍‌ଚାର୍ଜ ହୋଇ ଡିଏମ୍‌ଏଫ ଆମ୍ବୁଲାନ୍ସ ଯୋଗେ ଘରକୁ ଶୁକ୍ରବାର ଫେରୁଥିଲେ। ଆମ୍ବୁଲାନ୍ସ କର୍ମଚାରୀ ତାଙ୍କ ଚିଠା ଅନୁସାରେ ରୋଗୀଙ୍କ ଘରେ ପହଞ୍ଚାଇବା ପରିବର୍ତ୍ତେ ବିଳମ୍ବିତ ରାତିରେ କେନ୍ଦୁଝର ବଜାର ଉପରେ ଓହ୍ଲାଇ ଦେଇଥିଲେ। ଫଳରେ ରୋଗୀ ଓ ପରିବାର ଲୋକେ ଅନ୍ୟ ଏକ ଗାଡ଼ି ଭଡ଼ା କରି ଘରକୁ ଫେରିଥିଲେ। ଏଥିପ୍ରତି ଜିଲା ପ୍ରଶାସନ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି। ଏନେଇ ସିଡିଏମଓ ଡାକ୍ତର କୈଳାସଚନ୍ଦ୍ର ପୃଷ୍ଟି କହିଛନ୍ତି, ସଞ୍ଜୀବନୀ ସେବା ମୃତଦେହ ଆଣିବା ପାଇଁ ରହିଛି। ତେବେ ନିବେଦନ କଲେ ସେମାନେ ରୋଗୀଙ୍କୁ ପଠାଇ ଦେଉଛନ୍ତି। ଏଣୁ ଘଟଣା ଅନୁଧ୍ୟାନ କଲେ ସତ୍ୟାସତ୍ୟ ଜଣାପଡ଼ିବ ବୋଲି ସେ କହିଥିଲେ। ରୋଗୀଙ୍କ ସମ୍ପର୍କୀୟ କହିଛନ୍ତି, ଏଭଳି ରାସ୍ତା ଅଧରେ ରୋଗୀଙ୍କୁ ଆଣି ଛାଡ଼ିଲେ ଗରିବ ଲୋକ କିପରି ଘରକୁ ଯିବେ। ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ନିବେଦନ କରିଛନ୍ତି।