Categories: ଫୁରସତ

ପିପିଇ କିଟ୍‌ ପିନ୍ଧି ବରଯାତ୍ରୀରେ ନାଚିଲେ ଆମ୍ବୁଲାନ୍ସ ଡ୍ରାଇଭର, କହିଲେ…

କରୋନା ମହାମାରୀ ସମୟରେ ଦେଶର ପ୍ରତ୍ୟେକ ବ୍ୟକ୍ତି ଭୟ ଆଉ ଚିନ୍ତାରେ ରହିଛନ୍ତି। ଏହି ମହାମାରୀ ଯୋଗୁ ଲୋକେ ପୁଣି ଥରେ ଘରେ ବସିବାକୁ ବାଧ୍ୟ ହେଲେ। ମାତ୍ର କିଛି ଲୋକ ଦିନ ରାତି କରୋନା ରୋଗୀଙ୍କ ସେବାରେ ନିଜକୁ ଉତ୍ସର୍ଗ କରିଛନ୍ତି। ଡାକ୍ତର, ନର୍ସ, ପୋଲିସ, ଆମ୍ବୁଲାନ୍ସ ଡ୍ରାଇଭରଙ୍କ ସମେତ ଅନ୍ୟ ବିଭାଗୀୟ ଅଧିକାରୀମାନେ ପିପିଇ କିଟ୍‌ ପିନ୍ଧି ଲୋକଙ୍କୁ ବଞ୍ଚାଇବା ପାଇଁ ଚେଷ୍ଟା ଜାରି ରଖିଛନ୍ତି। ଏବେ ଏମିତି ଜଣେ କରୋନା ଯୋଦ୍ଧାଙ୍କ ଭିଡିଓ ଖୁବ୍‌ ଭାଇରାଲ ହେଉଛି।

ଏମିତି ଦେଖିବାକୁ ମିଳିଛି ଉତ୍ତରାଖଣ୍ଡରେ। ଏଠାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଚାଲିଥିବାରୁ ଆମ୍ବୁଲାନ୍ସ କର୍ମଚାରୀଙ୍କ କାମ ବି ବଢ଼ିଯାଇଛି। ଏମାନେ ସବୁବେଳେ ମାନସିକ ଏବଂ ଶାରୀରିକ କଷ୍ଟ ପାଉଛନ୍ତି। ଏଠାକାର ଜଣେ ଆମ୍ବୁଲାନ୍ସ କର୍ମଚାରୀ ବର ପ୍ରୋସେଶନ ଯାଉଥିବା ସମୟରେ ନିଜକୁ ରୋକି ପାରିଲେନି। ଗାଡ଼ି ଅଟକାଇ ସେହି ପିପିଇ କିଟ୍‌ ପିନ୍ଧି ବରଯାତ୍ରୀଙ୍କ ସହ ନାଚିଲେ। ଏହା ଦେଖି ଲୋକେ ଡରିଯିବା ସହ ତାଙ୍କଠାରୁ ଦୂରକୁ ଘୁଞ୍ଚିଗଲେ।

ମହେଶ ନାମକ ଏହି ଆମ୍ବୁଲାନ୍ସ ଡ୍ରାଇଭରଙ୍କୁ ପଚାରିବାରୁ ସେ କହିଲେ, ଦିନରାତି ରୋଗୀ ବୋହି ବୋହି ଥକି ପଡ଼ିଥିଲି। ବ୍ୟାଣ୍ଡ ବାଜାର ଶବ୍ଦ ଶୁଣି ନିଜକୁ କଣ୍ଟ୍ରୋଲ କରିପାରିଲିନି। ମନକୁ ଟିକେ ହାଲ୍‌କା କରିବାକୁ ବରଯାତ୍ରୀଙ୍କ ସହ ନାଚିଦେଲି। ମହେଶଙ୍କ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି।

Share