ସମୟରେ ପହଞ୍ଚିଲା ଆମ୍ବୁଲାନ୍ସ, ହେଲେ ୩ କିଲୋମିଟର ଖଟିଆରେ ବୁହାହେଲେ ଗର୍ଭବତୀ

ଗୁଡାରି,୧୨।୯,(ପ୍ରମୋଦ କୁମାର ପତି): ଗୁଡାରି ବ୍ଲକର ଶିରିଗୁଡା ଗ୍ରାମପଂଚାୟତ ଅନ୍ତର୍ଗତ ସାଡାକଣା ଗ୍ରାମର ଗର୍ଭବତୀ ମହିଳା ଚାମି ମାମ୍ବାଲାକା ସ୍ବାମୀ ଲାଜାରା କାଡ୍ରାକାଙ୍କୁ ପ୍ରସବ ବେଦନା ହେବା ଫଳରେ ପରିବାର ଲୋକେ ଆମ୍ବୁଲାନ୍ସ କୁ ଫୋନ କରିଥିଲେ। ଯଥା ଶୀଘ୍ର ଆମ୍ବୁଲାନ୍ସ ଯାଇଥିଲା କିନ୍ତୁ ପ୍ରାୟ ୩ କିଲୋମିଟର ଦୂର ବଡ଼ପଙ୍କାଳ ଗ୍ରାମ ନିକଟରେ ଅଟକିଯାଇଥିଲା। କାରଣ ସାଡାକଣା ଗ୍ରାମକୁ ଯିବା ନିମନ୍ତେ ରାସ୍ତା ନଥିଲା। ପରିବାର ବର୍ଗ ଏବଂ ଗ୍ରାମବାସୀଙ୍କ ସହଯୋଗରେ ଆଣ୍ଠୁଏ କାଦୁଅ ରାସ୍ତାରେ ଖଟିଆରେ ଆସନ୍ନପ୍ରସବାଙ୍କୁ ପ୍ରାୟ ୩ କିଲୋମିଟର ଦୂର ବଡ଼ପଙ୍କାଳ ଗ୍ରାମ ନିକଟକୁ ନେବା ପରେ ଆମ୍ବୁଲାନ୍ସ ସାହାଯ୍ୟରେ ଗୁଡାରି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ମେଡିକାଲରେ ପହଂଚିବାର କିଛି ସମୟ ପରେ ଗର୍ଭବତୀ ମହିଳା ଜଣଙ୍କ ଏକ ଶିଶୁ ପୁତ୍ର ଜନ୍ମ ଦେଇଛନ୍ତି। ବର୍ତ୍ତମାନ ଉଭୟ ମା’ ଓ ନବଜାତ ଶିଶୁ ସୁସ୍ଥ ଥିବା ଡାକ୍ତର ସୂଚନା ଦେଇଛନ୍ତି। ଏ ସମ୍ପର୍କରେ ଗୁଡାରି ବିଡ଼ିଓ ଶୁଚିସ୍ମିତ ବେହେରା କହିଛନ୍ତି ସାଡାକଣା ଗ୍ରାମକୁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ସାମିଲ କରାଯାଇଛି ଏବଂ ଏହି ରାସ୍ତା ବଡ଼ପଙ୍କାଳରୁ ସାଡାକଣା ପର୍ଯ୍ୟନ୍ତ ସଂଯୋଗ ହେବ। ଏହି ଘଟଣାରେ ସେ ଦୁଃଖ ପ୍ରକାଶ କହିଛନ୍ତି।

Dharitri – Odisha’s No.1 Odia Daily

Share