Categories: ବାଣିଜ୍ୟ

ବିମାନ କମ୍ପାନୀ ରାଜସ୍ବ ୮୫.୭% କମିଛି

ନୂଆଦିଲ୍ଲୀ,୧୭।୯: ଆର୍ଥତ୍କ ବର୍ଷ ୨୦୨୦-୨୧ର ପ୍ରଥମ ତ୍ରୈମାସରେ ବିମାନ କମ୍ପାନୀଗୁଡିକର ରାଜସ୍ବ ୮୫.୭% ହ୍ରାସ ଘଟି ୩,୬୫୧ କୋଟି ରହିଛି। କୋଭିଡ୍‌-୧୯ ଯୋଗୁ ବିମାନ ସେବା ବାତିଲ ରହିବାରୁ ଏଭଳି ସ୍ଥିତି ଉପୁଜିଛି ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ ବୁଧବାର ସୂଚନା ଦେଇଛନ୍ତି। ଭାରତୀୟ ବିମାନ କମ୍ପାନୀଗୁଡିକରେ ମାର୍ଚ୍ଚରେ ୭୪,୮୮୭ କର୍ମଚାରୀ କାମ କରୁଥିଲେ। ଏଥିରେ ୭.୦୭% ହ୍ରାସ ଘଟି ୬୯,୫୮୯କୁ ରହିଥିବା ଜଣାପଡିଛି। ଏପ୍ରିଲ-ଜୁନ ସମୟରେ ଏୟାରପୋର୍ଟ ଅପରେଟରଙ୍କ କ୍ଷତି ୮୯୪ କୋଟି ଟଙ୍କା ରହିଛି। ସୂଚନାଯୋଗ୍ୟ, ଦେଶ ମଧ୍ୟରେ ବିମାନ ସେବା ମାର୍ଚ୍ଚ ୨୫ରୁ ମେ ୨୪ ପର୍ଯ୍ୟନ୍ତ ବନ୍ଦ ରହିଥିଲା। ମେ ମାସ ୨୫ ଠାରୁ ପୁଣି ଥରେ ବିମାନ ସେବା ଉପଲବ୍ଧ ହେଉଛି। ୨୦୧୯ ଏପ୍ରିଲ-ଜୁନ ସମୟ ଅବଧିରେ ବିମାନ କମ୍ପାନୀଗୁଡିକର ରାଜସ୍ବ ୨୫,୫୧୭ କୋଟି ରହିଥିଲା। ଏହା ଚଳିତ ଆର୍ଥତ୍କ ବର୍ଷ ସମାନ ଅବଧିରେ ୩,୬୫୧ କୋଟିକୁ ଖସିଛି। ଏୟାର ଇଣ୍ଡିଆର ରାଜସ୍ବ ୭,୦୬୬ କୋଟି ଟଙ୍କାରୁ ୧୫୩୧ ଟଙ୍କାକୁ ଖସିଛି। ସେହିଭଳି ମାର୍ଚ୍ଚ-ଜୁଲାଇ ଅବଧିରେ ଘରୋଇ ବଜାରର ଏୟାର ଟ୍ରାଫିକ ୧.୨ କୋଟିକୁ ଖସିଛି। ଏହା ଗତ ବର୍ଷ ସମାନ ଅବଧିରେ ୫.୮୫ କୋଟି ରହିଥିଲା। ମାର୍ଚ୍ଚ ଜୁଲାଇ ଅବଧିରେ ଅନ୍ତର୍ଜାତୀୟ ଟ୍ରାଫିକ ୧୧.୫୫ ଲକ୍ଷକୁ ଖସିଛି ଯାହା ପୂର୍ବରୁ ୯୩.୪୫ ଲକ୍ଷ ରହିଥିଲା। କରୋନା ମହାମାରୀକୁ ରୋକିବା ଲାଗି କେନ୍ଦ୍ର ସରକାର ମାର୍ଚ୍ଚ ୨୩ ପରଠାରୁ ଅନ୍ତର୍ଜାତୀୟ ବିମାନ ସେବା ବାତିଲ କରିଛନ୍ତି।

Share