Categories: ଖେଳ

ଏହି କ୍ରିକେଟର୍‌ଙ୍କ ପରଲୋକ

କଲମ୍ବୋ,୧୮।୧୦: ଶ୍ରୀଲଙ୍କାର ପ୍ରଥମ ଟେଷ୍ଟ ଅଧିନାୟକ ବାନ୍ଦୁଲା ଓ୍ବର୍ଣ୍ଣପୁରାଙ୍କ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ଘଟିଛି। ସୁଗାର ସ୍ତର ବଢିବା ପରେ ୬୮ ବର୍ଷୀୟ ଓ୍ବର୍ଣ୍ଣପୁରାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ସୂଚନା ଅନୁସାରେ, ଓ୍ବର୍ଣ୍ଣପୁରାଙ୍କ ଶରୀରରେ ସୁଗାର ସ୍ତର ଅଧିକ ଥିବାରୁ ରକ୍ତ ସଞ୍ଚାଳନରେ ଅସୁବିଧା ହୋଇଥିଲା। ଚଳିତ ମାସ ପ୍ରାରମ୍ଭରେ ତାଙ୍କ ଡାହାଣ ଗୋଡ କଟାଯାଇଥିଲା। ୧୯୮୨ରେ ଶ୍ରୀଲଙ୍କାର କଲମ୍ବୋରେ ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ବାନ୍ଦୁଲା ଅଧିନାୟକ ହୋଇଥିଲେ। ସେ ତିନୋଟି ଟେଷ୍ଟ ଏବଂ ୧୨ଟି ଦିନିକିଆ ଖେଳିଥିଲେ। ସେ ଜଣେ ଓପନର୍‌ ସାଙ୍ଗକୁ ମଧ୍ୟମ ଗତି ବୋଲିଂ କରିବାରେ ମଧ୍ୟ ସକ୍ଷମ ଥିଲେ। ସେ ଟେଷ୍ଟ କ୍ରିକେଟର ପ୍ରଥମ ବଲ ତଥା ଦେଶ ପାଇଁ ପ୍ରଥମ ରନ ସ୍କୋରର ମଧ୍ୟ ହୋଇଥିଲେ। ସେ ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଉଭୟ ବ୍ୟାଟିଂ ଏବଂ ବୋଲିଂରେ (ଦ୍ୱିତୀୟ ଇନିଂସରେ) ଶ୍ରୀଲଙ୍କା ପାଇଁ ଡେବ୍ୟୁ କରିଥିଲେ। ସେ ଜାତୀୟ ଦଳର ପ୍ରଶିକ୍ଷକ ତଥା ଶ୍ରୀଲଙ୍କା କ୍ରିକେଟର ପ୍ରଶାସକ ଭାବରେ କାର୍ଯ୍ୟ କରିଥିଲେ।
ତାଙ୍କ ମୃତ୍ୟୁ ପରେ ଶ୍ରୀଲଙ୍କା କ୍ରିକେଟ (ଏସଏଲସି) ସମବେଦନା ଜଣାଇଛି। ଏସଏଲସି ମୁଖ୍ୟ ଶ୍ୟାମି ସିଲଭା ଏକ ବିବୃତ୍ତିରେ କହିଛନ୍ତ ଶ୍ରୀଲଙ୍କାର ପ୍ରଥମ ଟେଷ୍ଟ ଅଧିନାୟକ ଥିବା ବାନ୍ଦୁଲା ଓ୍ବର୍ଣ୍ଣପୁରାଙ୍କ ଦେହାନ୍ତରେ ମୁଁ ଅତ୍ୟନ୍ତ ଦୁଃଖିତ। କ୍ରିକେଟ ଜଗତ ପାଇଁ ତାଙ୍କ ମୃତ୍ୟୁ ଏକ ବଡ଼ କ୍ଷତି।

Share