ନାବାଳକଙ୍କୁ ଉଦ୍ଧାର କଲା ପ୍ରଶାସନ

ମୋରଡା,୧୯।୪(ଡି.ଏନ.ଏ.) ମୟୂରଭଞ୍ଜ ଜିଲା ମୋରଡ଼ା-ରାସଗୋବିନ୍ଦପୁର ବ୍ଲକର ସୀମାନ୍ତ ସୁବର୍ଣ୍ଣରେଖା କେନାଲ ନିର୍ମାଣ କାର୍ଯ୍ୟରେ ଶିଶୁ ଶ୍ରମିକ ନିୟୋଜିତ ହେବା ସମ୍ପର୍କିତ ଖବର ଧରିତ୍ରୀରେ ପ୍ରକାଶ ପାଇବା ପରେ ପ୍ରଶାସନ ତତ୍ପର ହୋଇଛି। ପ୍ରଶାସନିକ ଅଧିକାରୀମାନେ ଚଢ଼ାଉ କରି ମଙ୍ଗଳବାର ନିର୍ମାଣସ୍ଥଳରୁ ଜଣେ ନାବାଳକଙ୍କୁ ଉଦ୍ଧାର କରିଛନ୍ତି। ଉଦ୍ଧାର ହୋଇଥିବା ନାବାଳକ ଜଣକ ଝାଡ଼ଖଣ୍ଡ ରାଜ୍ୟ ପୂର୍ବସିଂହଭୂମ ଜିଲାର ଘାଟଶିଳା ଥାନା ଅଞ୍ଚଳର ବୋଲି ସୂଚନା ମିଳିଛି।
କେନାଲ ନିର୍ମାଣ କାର୍ଯ୍ୟ ଟେଣ୍ଡର ନେଇଥିବା ଠିକାଦାରୀ ସଂସ୍ଥା ନାବାଳକଙ୍କୁ କାର୍ଯ୍ୟରେ ଲଗାଉଥିବା ଦେଖିବାକୁ ମିଳିଥିଲା। ଏନେଇ ଧରିତ୍ରୀରେ ବିସ୍ତୃତ ଖବର ପ୍ରକାଶ ପାଇବା ପରେ ମୋରଡ଼ା ବ୍ଲକର ମାକୁନ୍ଦଠାରେ ଚାଲିଥିବା ନିର୍ମାଣସ୍ଥଳରେ ମଙ୍ଗଳବାର ପ୍ରଶାସନ ପକ୍ଷରୁ ଚଢ଼ାଉ କରାଯାଇଥିଲା। ଜିଲା ସହକାରୀ ଶ୍ରମ ଅଧିକାରୀ ପଦ୍ମନାଭ ମହାମାନସିଂହ, ଏସ୍‌ଡବ୍ଲ୍ୟୁ ନରେନ୍ଦ୍ରନାଥ ସି, ଜିଲା ଶିଶୁ ସୁରକ୍ଷା ୟୁନିଟ ଏବଂ ମୋରଡ଼ା ଥାନା ଅଧିକାରୀ ପଦ୍ମଲୋଚନ ପାଣିଗ୍ରାହୀଙ୍କ ସମେତ ଏଏସ୍‌ଆଇ ଦୀନବନ୍ଧୁ ଦେହୁରୀ ଓ ଚିତ୍ରଡ଼ା ଫାଣ୍ଡି ଅଧିକାରୀ ନିରଞ୍ଜନ ସୋରେନ ମିଳିତ ଭାବେ ଚଢ଼ାଉ କରି ଜଣେ ନାବାଳକଙ୍କୁ ଉଦ୍ଧାର କରିଥିଲେ। ତେବେ ଉକ୍ତ ସଂସ୍ଥାରେ ଆହୁରି ଅନେକ ଶିଶୁ ଶ୍ରମିକ କାର୍ଯ୍ୟ କରୁଥିବା ଅଭିଯୋଗ ହୋଇଆସୁଥିବା ବେଳେ ପ୍ରଶାସନ ଆଖିରେ ଧୂଳି ଦେଇ ଠିକାଦାରୀ ସଂସ୍ଥା ଅନ୍ୟ ଶିଶୁ ଶ୍ରମିକଙ୍କୁ ସେଠାରୁ ଅନ୍ୟତ୍ର ପଠାଇ ଦେଇଥିବା ଜଣାପଡ଼ିଛି।