ରଜନୀ ପାଖରେ ପହଞ୍ଚିଲା ପ୍ରଶାସନ

ସମ୍ବଲପୁର,୨୫ା୮(ବ୍ୟୁରୋ): ସମ୍ବଲପୁର ଜିଲା ଯୁଯୁମୁରା ଥାନା ଛାମୁଣ୍ଡା ଗ୍ରାମର ରଜନୀ ସୁନାକାଠିଆଙ୍କ ପାଖରେ ପ୍ରଶାସନ ପହଞ୍ଚତ୍ଛି। ଏହାସହ ଭାଜପାର ଏକ ପ୍ରତିନିଧି ଦଳ ପହଞ୍ଚି ସହାୟତା ପ୍ରଦାନ କରିଛନ୍ତି। ଅସହାୟ ରଜନୀଙ୍କ ସ୍ବାମୀ ରାଜୁ ସୁନାକାଠିଆ ନିଖୋଜ ଓ ପରିବାର ଭୋକ ଉପାସରେ ଦିନ କାଟୁଥିବା ନେଇ ବୁଧବାର ଧରିତ୍ରୀରେ ସ୍ବତନ୍ତ୍ର ଭାବେ ଖବର ପ୍ରକାଶ ପାଇଥିଲା। ଏହାପରେ ଯୁଯୁମୁରା ବିଡିଓ ନିଳାମ୍ବର ମହାନନ୍ଦ ତତ୍ପରତା ଦେଖାଇ ପଦକ୍ଷେପ ଗ୍ରହଣ କରିଥିଲେ। ଯୋଗାଣ ବିଭାଗକୁ ପିଡିଏସ୍‌ ଚାଉଳ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାସହ ଦୁଇ ପିଲାଙ୍କ ଆଧାର ଲିଙ୍କ କରି ଚାଉଳ ପରିମାଣ ଠିକ୍‌ ଭାବେ ଦେବାକୁ କହିଥିଲେ। ସ୍ଥାନୀୟ ସରପଞ୍ଚ ବନୀତା ଭୋଇ ପରିବାରଙ୍କୁ ଭେଟି ପିଡିଏସ ସାମଗ୍ରୀ ୧୦କେଜି ଚାଉଳ ଯୋଗାଇଥିଲେ। ଆଗାମୀ ଦିନରେ ଅନ୍ୟାନ୍ୟ ସରକାରୀ ସୁବିଧା ଓ ସହଯୋଗ କରାଯିବ ବୋଲି କହିଛନ୍ତି। ଅନ୍ୟପଟେ ଯୁଯୁମୁରା ଭାଜପାର ଏକ ପ୍ରତିନିଧି ଦଳ ଯାଇ ରଜନୀଙ୍କୁ ଭେଟି ଚାଉଳ, ଡାଲି ଆଦି ଖାଦ୍ୟ ସାମଗ୍ରୀ ଦେଇଛନ୍ତି। ଏଥିସହ ସ୍ଥାନୀୟ ଥାନାଧିକାରୀ ଓ ଜିଲା ଶ୍ରମ ଅଧିକାରୀଙ୍କ ସହ ଯେଗାଯୋଗ କରି ରଜନୀଙ୍କ ସ୍ବାମୀ ରାଜୁଙ୍କୁ ଖୋଜି ଆଣିବା ପାଇଁ ସରକାରୀ ସହାୟତା ଯୋଗାଇ ଦେବାକୁ କହିଥିଲେ। ଯୁଯୁମୁରା ସମିତି ସଭ୍ୟ ଜୟନ୍ତ ପ୍ରଧାନ, ଯୁଯୁମୁରା ମଣ୍ଡଳ ସଭାପତି ଓମ୍‌ ପ୍ରକାଶ ବିଶ୍ୱାଳ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଅଶ୍ୱିନୀ କୁମୁରା, ରାଜେଶ ସାହୁ, ରିକନ ଦେଓ, ସୂର୍ଯ୍ୟ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ ରଜନୀଙ୍କ ସ୍ବାମୀ ରାଜୁ ଏକମାସରୁ ଊର୍ଦ୍ଧ୍ୱ ହେବ ଜୀବିକା ଅନ୍ବେଷଣରେ ବିଜୟୱାଡ଼ା ଯାଇ ଫେରିନାହାନ୍ତି। ତାଙ୍କ ସହ ଯାଇଥିବା ଆଉ ୨ଜଣ ଘରକୁ ଫେରିଛନ୍ତି। ଏହାକୁ ନେଇ ରଜନୀ ଥାନାରେ ଅଭିଯୋଗ କରିଥିଲେ। ହେଲେ ପୋଲିସ କୌଣସି ପଦକ୍ଷେପ ଗ୍ରହଣ କରି ନାହିଁ।