ସମ୍ଭାବ୍ୟ ବାତ୍ୟା ନେଇ ପ୍ରଶାସନର ପ୍ରସ୍ତୁତି: ଉପକୂଳବାସୀଙ୍କ ସତର୍କ ରହିବାକୁ ନିର୍ଦ୍ଦେଶ

ଛତ୍ରପୁର,୨ା୧୨(ଡି.ଏନ୍‌.ଏ.): ସମ୍ଭାବ୍ୟ ବାତ୍ୟାକୁ ନେଇ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଜି ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଅଧ୍ୟକ୍ଷତାରେ ଜିଲାସ୍ତରୀୟ ସମସ୍ତ ବିଭାଗୀୟ ଅଧିକାରୀଙ୍କ ସହିତ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲାର ସମୁଦ୍ର ତଟବର୍ତ୍ତୀ ଓ ନଦୀ କୁଳିଆ ଅଞ୍ଚଳର ବ୍ଲକ ପ୍ରଶାସନକୁ ବିଶେଷ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ସମୁଦ୍ର ଅଶାନ୍ତ ରହୁଥିବା ଯୋଗୁ ସମୁଦ୍ର ମଧ୍ୟକୁ ମତ୍ସ୍ୟଜୀବୀମାନେ ନ ଯିବା ପାଇଁ ଓ ସମୁଦ୍ର ମଧ୍ୟକୁ ଯାଇଥିବା ମତ୍ସ୍ୟଜୀବୀମାନେ କୂଳକୁ ଫେରି ଆସିବାକୁ କୁହାଯାଇଛି। ଜିଲାର ବିଭିନ୍ନ ସ୍ଥାନରେ ଥିବା ୧୦୪ଟି ବହୁମୁଖୀ ବାତ୍ୟା ଓ ବନ୍ୟା ପ୍ରସ୍ତୁତ ରଖିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତ ଆଶ୍ରୟସ୍ଥଳୀରେ ବିଦ୍ୟୁତ୍‌, ପାନୀୟ ଜଳ,ଶୌଚାଳୟ, ପରିଷ୍କାର ରଖିବାକୁ କୁହାଯାଇଛି। ଆବଶ୍ୟକ ସ୍ଥଳେ ପରିସ୍ଥିତିକୁ ନଜରକୁ ନେଇ ତଳି ଅଞ୍ଚଳ ଓ କଚା ଘରେ ରହୁଥିବା ଲୋକମାନଙ୍କୁ ସ୍ଥାନାନ୍ତର କରାଯିବ। ଅଗ୍ନିଶମ ବିଭାଗ ଓ ଓଡ୍ରାଫ ଟିମ୍‌ ସଜାଗ ରହିବାକୁ କୁହାଯାଇଛି। ଆବଶ୍ୟକ ପଡ଼ିଲେ ଗର୍ଭବତୀ ମହିଳା, ଶିଶୁ ଓ ବୃଦ୍ଧମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ସ୍ଥାନାନ୍ତର କରାଯିବ। ଏହା ସହିତ ଜିଲାରେ ୨୪ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌ ଖୋଲାଯିବା ସହିତ ସମସ୍ତ ସରକାରୀ କର୍ମଚାରୀମାନେ ହେଡ୍‌ କ୍ୱାଟର ନ ଛାଡ଼ିବାକୁ ଜିଲାପାଳ କହିଛନ୍ତି। ଧାନ ଫସଲ ନଷ୍ଟ ଆଶଙ୍କା ଅଧିକ ଥିବାରୁ କିପରି ନଷ୍ଟ ନ ହେବ ସେଥିପ୍ରତି ଧ୍ୟାନ ଦେବାକୁ କୁହାଯାଇଛି। ଯେଉଁ ଲୋକଙ୍କ କଟା ଯାଇଥିବା ସୁରକ୍ଷିତ ସ୍ଥାନରେ ରଖିବା ପାଇଁ ସ୍ଥାନ ନାହିଁ ପ୍ରଶାସନ ପକ୍ଷରୁ ତା’ର ବିକଳ୍ପ ବ୍ୟବସ୍ଥା କରିବାକୁ କୁହାଯାଇଛି।