ପ୍ରଶାସନର ଦୃଷ୍ଟି ଆଢୁଆଳରେ ଦୁଇ ଗାଁ

ଚିତ୍ରକୋଣ୍ଡା,୧ା୧୨(ଡି.ଏନ୍‌.ଏ.): ଓଡ଼ିଶା ଆନ୍ଧ୍ର ସୀମାନ୍ତ ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳ ଧୂଳିପୁଟ ପଞ୍ଚାୟତ ଅନ୍ତର୍ଭୁକ୍ତ ଉପାନ୍ତ ଦୁର୍ଗମ ଇଲାକା ଜୁମଡାଙ୍ଗଠାରୁ ୭ କିଲୋମିଟର ପାହାଡ଼ି ଭିତରେ ଅବସ୍ଥିତ ଥିବା ଦୁଇଟି ଗାଁ କନ୍ଦୁଲପାଡୁ ଏବଂ ବାଙ୍ଗରାକୋଣ୍ଡା ପ୍ରଶାସନର ଦୃଷ୍ଟି ଆଢୁଆଳରେ ରହିଆସିଛି। ରାସ୍ତାଘାଟ ନ ଥିବା ଦୁଇଟି ଗାଁ ଓଡ଼ିଶା ସରକାରଙ୍କର ସମସ୍ତ ମୌଳିକ ସୁବିଧାରୁ ବଞ୍ଚିତ ଥିବା ଜଣାପଡ଼ିଛି। ନା ସେମାନେ ଓଡ଼ିଶାରୁ ପାଉଛନ୍ତି ଭତ୍ତା, ନା ରାଶନ ଚାଉଳ ନା ଅନ୍ୟ ସମସ୍ତ ସୁବିଧା ସୁଯୋଗ l ସବୁଠାରୁ ବଡ଼ କଥା ଉକ୍ତ ଦୁଇଟି ଗାଁ ଆନ୍ଧ୍ରର ହୋଇ ନ ଥିବା ବେଳେ ମାଲକାନଗିରି ଜିଲାର ପଞ୍ଚାୟତ ତାଲିକାରେ ମଧ୍ୟ ଉକ୍ତ ଦୁଇଟି ଗାଁ ନ ଥିବା ଜଣାପଡ଼ିଛି। ଓଡିଶା ସୀମାନ୍ତରେ ଥିବା ଜୁମଡାଙ୍ଗ ଭଳି କେତେକ ପାହାଡ଼ି ଦୁର୍ଗମ ଗାଁ ଆନ୍ଧ୍ର କିଛି ସୁବିଧା ସୁଯୋଗ ଦେଇ ନିଜ ରାଜ୍ୟରେ ସାମିଲ କରିବାର ପ୍ରଚେଷ୍ଟା ଜାରି ରଖିଛି। ଉକ୍ତ ଗ୍ରାମ ଦୁଇଟି ରହିଥିବା ତଥ୍ୟ ଧୂଳିପୁଟ ପଞ୍ଚାୟତର ଆଖପାଖ ଜନସାଧାରଣଙ୍କ ଠାରୁ ଜାଣିବା ପରେ ଚର୍ଚ୍ଚା ହେବା ସହ ଚିତ୍ରକୋଣ୍ଡା ବ୍ଲକ ପ୍ରଶାସନ ଉକ୍ତ ଗ୍ରାମକୁ ଯିବା ଯୋଜନା କରିଥିବା ସୂଚନା ମିଳିଛି। ବାସ୍ତବରେ ଚର୍ଚ୍ଚା ହେଉଥିବା ଉକ୍ତ ଦୁଇଟି ଗାଁ ଓଡ଼ିଶାର ନା ଆନ୍ଧ୍ରର ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।