ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ପ୍ରଶାସନ ତତ୍ପର

କେନ୍ଦୁଝର,୧୧।୨(ସ୍ବ.ପ୍ର.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୧୩ ତାରିଖରେ କେନ୍ଦୁଝର ଜିଲା ଗସ୍ତରେ ଆସୁଥିବା ନେଇ ଦଳୀୟ ସୂତ୍ରରୁ ଜଣାପଡ଼ିଛି। ଏନେଇ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଥିଲେ ହେଁ ଅଧିକାରୀସ୍ତରରେ କାର୍ଯ୍ୟକ୍ରମ ନେଇ କୌଣସି ସୂଚନା ଦିଆଯାଇନାହିଁ। ଗ୍ରସ୍ତ ବେଳେ ଧରଣୀଧର ମେଡ଼ିକାଲ କଲେଜ ଓ ଡାକ୍ତରଖାନାର ଶୁଭାରମ୍ଭ କରିବେ ବୋଲି ସୂଚନା ମିଳିଛି। ଏଣୁ ମେଡ଼ିକାଲ କଲେଜକୁ ସାଜସଜ୍ଜା କରିବା ସହ ଉକ୍ତ ସ୍ଥାନକୁ ସଂଯୋଗ କରୁଥିବା ରାସ୍ତାଘାଟ ସଫେଇ, ମରାମତି ଓ ସୌନ୍ଦର୍ଯ୍ୟକରଣ କରାଯାଉଛି। ସେହିପରି ନିକଟରେ ବିଜେଡି ବିଧାୟକମାନେ ସ୍ଥାନୀୟ ଧରଣୀଧର ସ୍ବୟଂ ଶାସିତ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟର ମାନ୍ୟତା ଦାବି କରିଛନ୍ତି। ଏଣୁ ଉକ୍ତ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟ ଘୋଷଣା କରିବେ ବୋଲି ସମ୍ଭାବନା ରହିଛି। ମୁଖ୍ୟମନ୍ତ୍ରୀ ସିଧାସଳଖ ମେଡ଼ିକାଲ କଲେଜକୁ ଆସି ସେଠାରେ ସମସ୍ତ କାର୍ଯ୍ୟକ୍ରମର ଉଦ୍‌ଘାଟନ ଓ ଭିତ୍ତି ପ୍ରସ୍ତର ସ୍ଥାପନ କରିବା କାର୍ଯ୍ୟକ୍ରମ ଥିବା ଜଣାପଡ଼ିଛି। ସେହିପରି ନିର୍ମାଣ ଶେଷ ହୋଇଥିବା କେନ୍ଦୁଝର ସହରରେ ଥିବା ଏକ ଅଡିଟରିୟମର ଶୁଭାରମ୍ଭ ହେବା ସହ ବହୁ ପ୍ରକଳ୍ପର ଭିତ୍ତିଭୂମି ପକାଇବେ ବୋଲି ସୂଚନା ମିଳିଛି।