ଧ୍ୟାନ ଦେଲାନି ପ୍ରଶାସନ, କେନାଲ ସଜାଡ଼ିଲେ ଚାଷୀ

ବୁଗୁଡ଼ା,୪ା୮(ଡି.ଏନ୍‌.ଏ.): ବୁଗୁଡ଼ା ବ୍ଲକ ଗୋଳାବନ୍ଧ ପଞ୍ଚାୟତ ଅନ୍ତର୍ଗତ ଚିଲିଖମା ଗ୍ରାମରେ କ୍ଷୁଦ୍ର ଜଳସେଚନ ବିଭାଗ ଅଧୀନରେ ଥିବା ଜାଉପାଣିଆ ଘାଇ ଦ୍ୱାରା ଚିଲିଖମା ଓ ଗୋଳାବନ୍ଧ ଗ୍ରାମର ଚାଷୀ ଉପକୃତ ହେଉଥିଲେ। ତେବେ ଏହି ଘାଇ ପାଣିକୁ ନେଇ ଗତବର୍ଷ ଉଭୟ ଗାଁ ମଧ୍ୟରେ ଗଣ୍ଡଗୋଳ ସହ ମାର୍‌ପିଟ ପରିସ୍ଥିତି ଉପୁଜିଥିଲା। ଏହି ଘାଇରୁ ପାଣି ଆସିବାକୁ ଥିବା ଏକ ଛୋଟିଆ କେନାଲର ଦୁଇପାଖ ମାଟି ଭୁଶୁଡି କେନାଲ ପୋତି ହୋଇଯିବା ଫଳରେ ଜଳସେଚନ ପ୍ରକ୍ରିୟାରେ ବାଧା ସୃଷ୍ଟି ହୋଇ ପାଣି ଜମିକୁ ଯାଇପାରୁନାହିଁ। କ୍ଷୁଦ୍ର ଜଳସେଚନ ବିଭାଗ ଚାଷୀଙ୍କ ଏହି ସମସ୍ୟାକୁ ଅଣଦେଖା କରୁଥିବା ଅଭିଯୋଗ କରି ବୁଧବାର ଚିଲିଖମା ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ ଦୀର୍ଘ ୩୦୦ ମିଟର ପର୍ଯ୍ୟନ୍ତ କେନାଲରୁ ମାଟି ବାହାର କରାଯାଇଥିବା ବେଳେ ଆହୁରି ପ୍ରାୟ ୮୦୦ ମିଟର ବାକି ରହିଛି। କେନାଲରେ ଅଧିକ ପାଣି ଥିବାରୁ ଅବଶିଷ୍ଟ ମାଟି ଉଠିପାରି ନ ଥିବା ଗ୍ରାମବାସୀ କହିଛନ୍ତି। ଉଚ୍ଚ କର୍ତ୍ତୃପକ୍ଷ ଏ ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ଗ୍ରାମବାସୀଙ୍କ ପକ୍ଷରୁ ଦାବି ହେଉଥିବା ବେଳେ ଗଣ୍ଡଗୋଳ ଆଶଙ୍କାରେ କ୍ଷୁଦ୍ର ଜଳସେଚନ ବିଭାଗ କର୍ମଚାରୀ ଘଟଣାସ୍ଥଳକୁ ଯାଉ ନ ଥିବା ଜଣାପଡ଼ିଛି। ଏ ନେଇ ବର୍ତ୍ତମାନ ନୂତନ ଭାବେ ଯୋଗଦେଇଥିବା ବିଭାଗୀୟ କନିଷ୍ଠଯନ୍ତ୍ରୀ ଗୟାଚାନ୍ଦ ନାୟକଙ୍କୁ ପଚାରିବାରେ ଗ୍ରାମବାସୀଙ୍କ ପକ୍ଷରୁ ବିଭାଗକୁ ଏ ସମ୍ପର୍କରେ କୌଣସି ଅବଗତ କରାଯାଇ ନ ଥିବା ସେ କହିଛନ୍ତି।