ଶୁଟିଂ ସାରି ଫେରୁଥିଲେ, ସଡ଼କ ଦୁର୍ଘଟଣାରେ ଅଭିନେତ୍ରୀଙ୍କ ଜୀବନ ଗଲା

କୋଲକାତା: ମନୋରଞ୍ଜନ ଜଗତରୁ ଏକ ଦୁଃଖଦ ଖବର ଆସିଛି। ବଙ୍ଗଳା ଟିଭି ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତ୍ରୀ ସୁଚନ୍ଦ୍ରା ଦାସଗୁପ୍ତା ଆଉ ଏ ଦୁନିଆରେ ନାହାନ୍ତି। ଶନିବାର ରାତିରେ ଏହି ଅଭିନେତ୍ରୀଙ୍କ ଦେହାନ୍ତ ହୋଇଛି। ଏକ ବାଇକ୍‌ ଦୁର୍ଘଟଣା ପରେ ସୁଚନ୍ଦ୍ରା ଆଖି ବୁଜିଛନ୍ତି।

ଶନିବାର ରାତିରେ ସୁଚନ୍ଦ୍ରା ଶୁଟିଂ ସାରି ଘରକୁ ଫେରୁଥିବା ସମୟରେ ଦୁର୍ଘଟଣା ଘଟିଥିଲା। ସେ ପଶ୍ଚିମବଙ୍ଗର ପାନିହାତି ବାସିନ୍ଦା ଥିଲେ। ଶୁଟିଂ ପରେ ଘରକୁ ଯିବା ପାଇଁ ଏକ ଆପ୍‌ ଆଧାରିତ ବାଇକରେ ଆସୁଥିଲେ। ଘରକୁ ଯିବାବେଳେ ଘୋଷ ପାରା ନିକଟରେ ସଡ଼କ ଦୁର୍ଘଟଣା ଘଟିଥିଲା। ଯେଉଁଥିରେ ଅଭିନେତ୍ରୀ ପ୍ରାଣ ହରାଇଥିଲେ।

ଖବର ଅନୁଯାୟୀ, ସାଇକେଲ ଚଳାଉଥିବା ଜଣେ ବ୍ୟକ୍ତି ସେମାନଙ୍କ ସାମ୍ନାକୁ ଆସିଗଲେ। ବାଇକ ଚଳାଉଥିବା ବ୍ୟକ୍ତି ବ୍ରେକ୍‌ ମାରି ଗାଡ଼ି ଅଟକାଇବା ପାଇଁ ଚେଷ୍ଟା କରିଥିଲେ। ମାତ୍ର ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣା ପରେ ସୁଚନ୍ଦ୍ରା ବାଇକ୍‌ରୁ ଖସିପଡ଼ିଥିଲେ ଏବଂ ପରେ ଲୋରିଟି ତାଙ୍କ ଉପରେ ଚଢ଼ିଯାଇଥିଲା। ସୁଚନ୍ଦ୍ରା ହେଲମେଟ ପିନ୍ଧିଥିଲେ, ମାତ୍ର ଏହା ତାଙ୍କ ଜୀବନ ରକ୍ଷା କରିପାରି ନ ଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।

Share