ଦିନେ ପଇସା ପାଇଁ ଗାଡ଼ି ଧୋଉଥିଲେ ଏହି ଅଭିନେତା, ଆଜି ସୁପରହିଟ୍‌ ହିରୋ

ମୁମ୍ବାଇ: ଅଭିନେତା ତଥା ଗାୟକ ଜସି ଗିଲ୍‌ ପଞ୍ଜାବୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ଜଣେ ଜଣାଶୁଣା ଚେହେରା। ଏବେ ହିନ୍ଦୀ ଫିଲ୍ମରେ ମଧ୍ୟ ନିଜର ସ୍ଥାନ ନେଇ ସାରିଲେଣି। ଆଜି ଅର୍ଥାତ୍‌ ନଭେମ୍ବର ୨୬ରେ ହେଉଛି ତାଙ୍କର ଜନ୍ମ। ଆଜିର ଏହି ଖାସ୍‌ ଦିନରେ ଆସନ୍ତୁ ଜାଣିବା ତାଙ୍କ ସହ ଜଡ଼ିତ କିଛି କଥା…


ଜସିଙ୍କ ପାଖରେ ଆଜି ଗାଡ଼ି, ଘର, ଟଙ୍କା ପଇସା ସବୁ କିଛି ଅଛି। ମାତ୍ର ଦିନ ଥିଲା ସେ ବହୁ ସଂଘର୍ଷ କରି ବଞ୍ଚୁଥିଲେ। ଏପରିକି ତାଙ୍କୁ ପଇସା ରୋଜଗାର କରିବାକୁ ଗାଡ଼ି ଧୋଇବା କାମ ବି କରିବାକୁ ପଡ଼ିଥିଲା। ଗତ ମାର୍ଚ୍ଚରେ ସେ ଏକ ଥ୍ରୋ ବ୍ୟାକ୍‌ ଫଟୋ ସୋସିଆଲ ମିଡିଆରେ ଶେୟାର କରିଥିଲେ। ଏଥିରେ ସେ ଗାଡ଼ି ଧୋଉଥିବାର ଦେଖିବାକୁ ମିଳିଥିଲା। ଏହି ଫଟୋ ଅଷ୍ଟ୍ରେଲିଆରୁ ଶେୟାର ହୋଇଥିଲା। ଯେଉଁଠି ଜସିଙ୍କ ଭଉଣୀ ରୁହନ୍ତି। ଅଷ୍ଟ୍ରେଲିଆରେ ସେ ତାଙ୍କ ଭଉଣୀଙ୍କ ପାଖରେ ରହୁଥିବା ବେଳେ ଗାଡ଼ି ଧୋଉଥିଲେ। ପଇସା ପାଇଁ ସେ ୩ ମାସ ଏହି କାର୍ଯ୍ୟ କରିଛନ୍ତି। ସେତେବେଳେ ସେ ଫିଲ୍ମରେ ଡେବ୍ୟୁ କରି ନ ଥିଲେ।


ଏକ ସାକ୍ଷାତକାରରେ ଜସି କହିଥିଲେ, ମୋତେ ପ୍ରତିଦିନ ୬୦ ଡଲାର ମିଳୁଥିଲା। ରବିବାର ବି କାମ କରିବାକୁ ଯାଉଥିଲି। ସକାଳ ୮ରୁ ସନ୍ଧ୍ୟା ୬ଟା ଯାଏ ଗ୍ୟାରେଜରେ କାମ କରୁଥିଲି। ଏହି ପରିଶ୍ରମ ଯୋଗୁ ସେ ଆଜି ଏତେବାଟ ଆସିପାରିଛନ୍ତି।
୨୦୧୧ରେ ଜସିଙ୍କ ପ୍ରଥମ ଆଲବମ୍‌ ‘ବ୍ୟାଚ୍‌ମେଟ୍‌’ ରିଲିଜ ହୋଇଥିଲା। ଏହା ପରେ ୨୦୧୪ରେ ପଞ୍ଜାବୀ ଫିଲ୍ମ ‘ମିଷ୍ଟର ଆଣ୍ଡ୍‌ ମିସେସ ୪୨୦’ରେ ଡେବ୍ୟୁ କରିଥିଲେ। ତାଙ୍କ କଣ୍ଠର ଯାଦୁ ମଧ୍ୟ ସମସ୍ତଙ୍କୁ ବାନ୍ଧି ରଖିଛି। ଏବେ ଜସି ହିନ୍ଦୀ ଫିଲ୍ମ ଜଗତରେ ବି ଜଣେ ସୁପରିଚିତ ନାମ।

Share