ବେଆଇନ ଭାବେ ସରକାରୀ ଫ୍ଲାଟ୍‌ ବିକିବା ଘଟଣା: ଅଭିଯୁକ୍ତଙ୍କୁ ୩ ଦିନିଆ ରିମାଣ୍ଡରେ ନେଲା ପୋଲିସ

କଟକ ଅଫିସ,୭ା୨: କଟକ ମହାନଗର ନିଗମ(ସିଏମ୍‌ସି) ଅଧୀନ ଅନ୍ଦରପୁରରେ ବସ୍ତିବାସିନ୍ଦାଙ୍କ ପାଇଁ ତିଆରି ଘରକୁ ବେଆଇନ ଭାବେ ବିକ୍ରି କରି ଲକ୍ଷାଧିକ ଟଙ୍କା ଠକିନେବା ଘଟଣାରେ ଗିରଫ ହୋଇଥିବା ପୂର୍ବତନ କର୍ପୋରେଟରଙ୍କ ସ୍ବାମୀ ରାଜା କରଣଙ୍କୁ ମଧୁପାଟଣା ପୋଲିସ ରବିବାର ୩ ଦିନିଆ ରିମାଣ୍ଡରେ ନେଇଛି। ଶନିବାର ତାଙ୍କୁ କୋର୍ଟଚାଲାଣ ପରେ ପୋଲିସ ରିମାଣ୍ଡ୍‌ ପାଇଁ ଆବେଦନ କରିଥିଲା। କଟକ ଏସ୍‌ଡିଜେଏମ୍‌ କୋର୍ଟରୁ ଅନୁମତି ଦେବା ପରେ ପୋଲିସ ରାଜାଙ୍କୁ ନେଇ ଅଧିକ ପଚରାଉଚରା ଚଳାଇଛି। ଅପରପକ୍ଷେ ସିଏମ୍‌ସି ପକ୍ଷରୁ ରବିବାର ରାଜାଙ୍କ ନାମରେ ସ୍ଥାନୀୟ ଥାନାରେ ଅଭିଯୋଗ ହେବା ପରେ ପୋଲିସ ଏକ ମାମଲା(ନଂ.୩୭/୨୨) ରୁଜୁ କରିଛି। ଉକ୍ତ ଅଭିଯୋଗରେ ଦର୍ଶାଯାଇଛି, ରାଜା ସିଏମ୍‌ସିର ଅନ୍ଦରପୁରସ୍ଥିତ ଫ୍ଲାଟ୍‌ଗୁଡିକ ବେଆଇନ ଭାବେ ବିକ୍ରି କରିଛନ୍ତି। ରାଜା ବେଆଇନ ବିକ୍ରି ସମୟରେ ଲୋକଙ୍କୁ ଯେଉଁ ନୋଟାରି ଆଫିଡାଭିଟ୍‌ ଦେଇଥିଲେ, ସେଥିରେ ସିଏମ୍‌ସିର ନାମ ଉଲ୍ଲେଖ କରାଯାଇଛି। ସୂଚନାଯୋଗ୍ୟ, ସିଏମ୍‌ସି ୫୩ ନମ୍ବର ୱାର୍ଡର ପୂର୍ବତନ କର୍ପୋରେଟରଙ୍କ ସ୍ବାମୀ ରାଜାଙ୍କୁ ପୋଲିସ ଗିରଫ କରି ଶନିବାର କୋର୍ଟଚାଲାଣ କରିଥିଲା। ଠକେଇର ଶିକାର ହୋଇଥିବା ଅନେକ ବସ୍ତିବାସିନ୍ଦାଙ୍କ ଅଭିଯୋଗ ପରେ ପୋଲିସ ଏନେଇ ଅଧିକ ତଦନ୍ତ ଜାରି ରଖିଛି। ଗିରଫ ସମୟରେ ତାଙ୍କ ନିକଟରୁ ୧୪ ଲକ୍ଷ ୯୦ ହଜାର ଟଙ୍କା ଜବତ କରାଯାଇଥିଲା। ଉକ୍ତ ଟଙ୍କାକୁ ଆଗାମୀ ଦିନରେ ଠକେଇର ଶିକାର ହୋଇଥିବା ଲୋକଙ୍କୁ ଦେବା ପାଇଁ ପୋଲିସ ପ୍ରୟାସ କରିବ ବୋଲି ଜଣାପଡିଛି।