ଅଷ୍ଟମ ଶ୍ରେଣୀ ଛାତ୍ରଙ୍କୁ ମାଡ଼ମାରି ନୋଳା ବସାଇ ଦେଲେ

ଡେରାବିଶ,୧୩।୧୧ (ସ୍ବ.ପ୍ର.): ସରକାର ବିଭିନ୍ନ ଶିକ୍ଷାନୁଷ୍ଠାନ ପରିସରକୁ ଦଣ୍ଡମୁକ୍ତ ଅଞ୍ଚଳ ଭାବେ ଘୋଷଣା କରିଛନ୍ତି। ହେଲେ ପ୍ରଧାନ ଶିକ୍ଷକ ଓ ବିଦ୍ୟାଳୟ ପରିଚାଳନା କମିଟି ସଭାପତିଙ୍କ ସ୍ବାମୀ ବାପା ଛେଉଣ୍ଡ ଅଷ୍ଟମ ଶ୍ରେଣୀ ଛାତ୍ରଙ୍କୁ ମାଡ ମାରି ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ ନୋଳା ବସାଇ ଦେଇଥିଲେ। ଏଭଳି ଘଟଣା ଘଟିଛି କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଡେରାବିଶ ବ୍ଲକ ବାରିମୁଳ ପଞ୍ଚାୟତସ୍ଥିତ ରାଧାମୋହନ ଜୀଉ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ। ଏ ନେଇ ଛାତ୍ର ଜଣକ ଥାନାରେ ପ୍ରଧାନ ଶିକ୍ଷକ ଓ ଏସ୍‌ଏମ୍‌ସି ସଭାପତିଙ୍କ ସ୍ବାମୀଙ୍କ ବିରୋଧରେ ଅଭିଯୋଗ କରିଛନ୍ତି।
ଅଷ୍ଟମ ଶ୍ରେଣୀ ଛାତ୍ର ଅଭୟ ପାତ୍ରଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କ ବାପା ପ୍ରଭାକରଙ୍କ ୭ ବର୍ଷ ପୂର୍ବରୁ ମୃତ୍ୟୁ ହୋଇଯାଇଛି। ମା’ ଦୁଃଖକଷ୍ଟ କରି ତାଙ୍କର ପାଳନ ପୋଷଣ କରି ଆସୁଛନ୍ତି। ବିଦ୍ୟାଳୟ କମିଟି ଓ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ କ୍ରମେ ତାଙ୍କ ମା’ ବିଗତ ୩ ମାସ ହେବ ଏହି ବିଦ୍ୟାଳୟରେ ପାଚିକା ଭାବେ କାର୍ଯ୍ୟ କରି ଆସୁଥିଲେ। ହେଲେ ହଠାତ ବିଦ୍ୟାଳୟ କର୍ତ୍ତୃପକ୍ଷ ଓ ବିଦ୍ୟାଳୟ ପରିଚାଳନା କମିଟି ତାଙ୍କ ମା’ଙ୍କୁ କୌଣସି ପାରଶ୍ରମିକ ନ ଦେଇ ଆଉ କାମକୁ ନ ଆସିବା ପାଇଁ କହିଥିଲେ। ଏଥିରେ ତାଙ୍କ ମା’ ବିରୋଧ କରିବାରୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଖଗେଶ୍ୱର ନାଥ ଓ କମିଟି ସଭାପତିଙ୍କ ସ୍ବାମୀ କୃତ୍ତିବାସ ପଣ୍ଡା ତାଙ୍କ ମା’ଙ୍କୁ ଖରାପ ବ୍ୟବହାର କରୁଥିଲେ। ହେଲେ ତାଙ୍କ ମା’ ନ୍ୟାୟ ପାଇବା ପାଇଁ ସଂଗ୍ରାମ ଜାରି ରଖିଛନ୍ତି। ଗୁରୁବାର ବିନା କାରଣରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନାଥ ଓ କମିଟି ସଭାପତିଙ୍କ ସ୍ବାମୀ ପଣ୍ଡା ମିଳିତ ଭାବେ ଅଭୟଙ୍କୁ ବାଡିରେ ମାଡ ମାରିଥିଲେ। ଫଳରେ ଅଭୟଙ୍କ ପିଠି ଓ ହାତରେ ନୋଳା ବସି ଯାଇଥିଲା। ଏଥିପାଇଁ ସେ ଭୀଷଣ କଷ୍ଟ ପାଉଥିବା କହିଛନ୍ତି। ତେବେ ତାଙ୍କ ପୁଅକୁ କାହିଁକି ମାଡ ମରାଯାଇଛି ବୋଲି ପଚାରିବା ପାଇଁ ମା’ ବିଦ୍ୟାଳୟକୁ ଯାଇଥିଲେ ମଧ୍ୟ ପ୍ରଧାନ ଶିକ୍ଷକଙ୍କ ଅନୁପସ୍ଥିତି ଯୋଗୁ ସେ ଫେରି ଆସିଥିଲେ। ହେଲେ ଶନିବାର ତାଙ୍କ ମା’ଙ୍କୁ ପୁଣି ଥରେ ପ୍ରଧାନ ଶିକ୍ଷକ ଓ କମିଟି ସଭାପତିଙ୍କ ସ୍ବାମୀ ବିଦ୍ୟାଳୟକୁ ଡକାଇ ଦୁର୍ବ୍ୟବହାର ପ୍ରଦର୍ଶନ କରି କରିଥିବା ଅଭିଯୋଗପତ୍ରରେ ଦର୍ଶାଇଛନ୍ତି। ଏ ସମ୍ପର୍କରେ ପ୍ରଧାନ ଶିକ୍ଷକ ନାଥଙ୍କୁ ପଚାରିବାରେ ଗୁରୁବାର ସେ ଷଷ୍ଠ ଶ୍ରେଣୀର କ୍ଲାସ ନେଉଥିବା ବେଳେ ଦୁଇ ଛାତ୍ରଙ୍କ ମଧ୍ୟରେ ମାର୍‌ପିଟ ହେଉଥିବା ସୂଚନା ପାଇଁ ବାହାରକୁ ଆସିଥିଲି। ଉଭୟ ଛାତ୍ରଙ୍କୁ ଦୁଇ ପାହାର ପକାଇବା ପରେ ବୁଝାଇ ସେଠାରୁ ଶ୍ରେଣୀ ଗୃହକୁ ପଠାଇଥିଲି। ମାଡ ମାରିବା ଭୁଲ ଥିଲେ ମଧ୍ୟ ଉଭୟ ଛାତ୍ରଙ୍କ ହିତ ପାଇଁ ଏଭଳି କରିଛିି। ଏହା ବ୍ୟତୀତ ଅନ୍ୟ କୌଣସି ଉଦ୍ଦେଶ୍ୟ ନ ଥିଲା। ଛାତ୍ରଙ୍କ ଦ୍ୱାରା କରାଯାଇଥିବା ଅଭିଯୋଗର କୌଣସି ସତ୍ୟତା ନାହିଁ। ଏହି ଘଟଣାକୁ ନେଇ ତାଙ୍କୁ ଜାଣିଶୁଣି ବିବାଦରେ ଫସା ଯାଉଥିବା ନେଇ ସେ କହିଛନ୍ତି। ଏ ସମ୍ପର୍କରେ ଏସ୍‌ଏମ୍‌ସି ସଭାପତିଙ୍କ ସ୍ବାମୀ କୃତ୍ତିବାସ ପଣ୍ଡାଙ୍କୁ ପଚାରିବାରେ ଏଭଳି ଅଭିଯୋଗ କପୋଳ କଳ୍ପିତ। ଛାତ୍ର ଜଣଙ୍କୁ ବାଡେଇବାରେ ମୋର ହାତ ନାହିଁ ବି ତାଙ୍କ ମା’ଙ୍କୁ କୌଣସି ଖରାପ ବ୍ୟବହାର ପ୍ରଦର୍ଶନ କରିନାହିଁ। ମୋତେ ବଦନାମ କରିବାକୁ ଏହା ଏକ ଷଡଯନ୍ତ୍ର ହୋଇଥିବା ସେ କହିଛନ୍ତି। ଏ ନେଇ ଥାନାରେ ନଂ. ୪୭୪/୨୨ରେ ମାମଲା ରୁଜୁ ହୋଇଛି।