Categories: ଫୁରସତ

ନିଜକୁ ବିବାହକଲେ ୭୭ ବର୍ଷୀୟା

ୱାଶିଂଟନ: ପ୍ରତ୍ୟେକ ବ୍ୟକ୍ତି ନିଜ ବିବାହର ସ୍ବପ୍ନ ଦେଖିଥାନ୍ତି। ସେଥିରେ ସେ ନିଜ ହିସାବରେ ବିବାହ କରିବାକୁ ଚାହିଁଥାନ୍ତି। ସେଥିପାଇଁ ଆଗରୁ ସବୁ ପ୍ଲାନ ମଧ୍ୟ କରନ୍ତି। ନିକଟରେ ଆମେରିକାର ଜଣେ ୭୭ ବର୍ଷୀୟା ଡୋରୋଥି ଡୋଟି ଫିଡେଲି ନିଜ ହିସାବରେ ବିବାହ କରି ଖୁସିବ୍ୟକ୍ତ କରିଛନ୍ତି। ଏଥିରେ ଏକ ଆଶ୍ଚର୍ଯ୍ୟକର କଥା ହେଉଛି, ୩ ସନ୍ତାନ ଥିବା ଡୋଟି ନିଜେ ନିଜକୁ ବିବାହ କରିଛନ୍ତି। ସେ ଏକ ସାକ୍ଷାତକାରରେ କହିଛନ୍ତି, ୧୯୬୫ରେ ତାଙ୍କର ବିବାହ ହୋଇଥିଲା। ବିବାହ ପରେ ତାଙ୍କ ସ୍ବାମୀ କାମ ଅନ୍ବେଷଣରେ ବାହାରକୁ ପଳାଇଥିଲେ। ଏହାର ୯ ବର୍ଷ ପରେ ସେମାନଙ୍କ ଛାଡପତ୍ର ହୋଇଯାଇଥିଲା। ବିବାହ ସମୟରେ ସେ ଏକ କଳାରଙ୍ଗର ପୋଷାକ ପିନ୍ଧିଥିଲେ, ସେଥିପାଇଁ ତାଙ୍କର ବିବାହ ଜୀବନ ବରବାଦ ହୋଇଯାଇଥିଲା। ତା’ପରଠାରୁ ସେ ଦୀର୍ଘ ୪୦ ବର୍ଷ ହେବ ଏକା ରହୁଥିଲେ। ଏବେ ବହୁତ ଡେରି ହୋଇଯାଇଥିଲେ ମଧ୍ୟ ସେ ନିଜକୁ ଖୁସିରେ ରଖିବାକୁ ଚାହୁଁଥିବା କହିଛନ୍ତି। ଏପରି କି ନିଜେ ନିଜକୁ ବିବାହ କରିବା ଚିନ୍ତା ସର୍ବପ୍ରଥମେ ତାଙ୍କୁ ତାଙ୍କ ସାଙ୍ଗ ମାଧ୍ୟମରେ ମିଳିଥିଲା। ସେ ଏକ ଟିଭି ଶୋ’ରେ ଦେଖିଥିଲେ ଯେ ସେଥିରେ ଜଣେ ନିଜକୁ ବିବାହ କରିବା କଥା ତାଙ୍କ ସାଙ୍ଗକୁ କହୁଥିଲେ। ତା’ ପରେ ସେ ନିଜେ ନିଜକୁ ବିବାହ କରିବା କଥା ଚିନ୍ତା କଲେ। ଏହା ତାଙ୍କ ଝିଅ ଡୋନା ପେନିଂଟନ୍‌ଙ୍କୁ ବି ଭଲ ଲାଗିଲା। ଡୋଟିଙ୍କ ରୁମ୍‌କୁ ଡୋନା ସଜାଇଲେ। ତାଙ୍କ ମା’ଙ୍କ ପାଇଁ ଏକ ହାର୍ଟ ଆକାରର କେକ୍‌ ମଧ୍ୟ ପ୍ରସ୍ତୁତ କଲେ। ଧୁମ୍‌ଧାମରେ ବିବାହ ଉତ୍ସବ ପାଳନ କରାଗଲା।

Share