ଘୋଡ଼ାରେ ଚଢ଼ି ୬୨ ବର୍ଷୀୟ ପ୍ରାର୍ଥୀଙ୍କ ପ୍ରଚାର

କେନ୍ଦ୍ରାପଡ଼ା ଅଫିସ, ୨୯ା୧: କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ସାନଜରିଆ ପଞ୍ଚାୟତ ସମିତିସଭ୍ୟ ପ୍ରାର୍ଥୀ ଶ୍ରୀକାନ୍ତ ସାହୁଙ୍କ ଭୋଟ ଭିକ୍ଷା ଭିଡିଓ ଏବେ ଜିଲାରେ ଭାଇରାଲ ହେବାରେ ଲାଗିଛି। ସାହୁ କାହିଁକି ପ୍ରାର୍ଥୀ ହୋଇଛନ୍ତି କହିବା ପାଇଁ ଘୋଡ଼ାର ସାହାରା ନେଇଛନ୍ତି। ଘୋଡ଼ା ପିଠିରେ ବସି ଘରକୁ ଘର ବୁଲି ପ୍ରାର୍ଥତ୍ତ୍ୱ ସମ୍ପର୍କରେ ବୁଝାଉଛନ୍ତି। ୬୨ ବର୍ଷୀୟ ଏହି ପ୍ରାର୍ଥୀଙ୍କ ପ୍ରଚାରକୁ ପଞ୍ଚାୟତବାସୀ ମନଭରି ଉପଭୋଗ କରୁଛନ୍ତି। ବିଶେଷ କରି ନୂତନ ଓ ଯୁବବର୍ଗ ଭୋଟର ଘୋଡ଼ା ପଛରେ ରହି ପ୍ରଚାରକୁ ଆଗକୁ ନେଉଛନ୍ତି। ଏ ସମ୍ପର୍କରେ ପ୍ରାର୍ଥୀ ସାହୁ କୁହନ୍ତି, ରାଜ୍ୟ ସରକାର କୋଭିଡ୍‌-୧୯ କଟକଣା ଜାରି କରିଛନ୍ତି। ଏଥିସହ ରାଜ୍ୟ ନିର୍ବାଚନ କମିଶନ ମାତ୍ର ୫ ଜଣଙ୍କୁ ସାଙ୍ଗରେ ଧରି ପ୍ରାର୍ଥୀଙ୍କୁ ପ୍ରଚାର ପାଇ ନିର୍ଦ୍ଦେଶ ଦେଇଛନ୍ତି। ସାମାଜିକ କଟକଣାକୁ ଗୁରୁତ୍ୱ ଦେଇ ଘୋଡ଼ାରେ ପ୍ରଚାର ସହଜ ଓ ସୁବିଧା ହେଉଛି। ଅପରପକ୍ଷରେ ପ୍ରଚାରରେ ଅଧିକାଂଶ ପ୍ରାର୍ଥୀ ବାଇକ୍‌ ଓ ୪ ଚକିଆ ଗାଡି ବ୍ୟବହାର କରୁଛନ୍ତି। ଅତ୍ୟଧିକ ତେଲ ଦରକୁ ବିରୋଧ କରୁଥିବା ଜଣେ ଶୁଭେଚ୍ଛୁ ଏହି ଘୋଡାକୁ ପ୍ରଚାର କାର୍ଯ୍ୟରେ ଲଗାଇବା ପାଇଁ ଦେଇଛନ୍ତି। ଘୋଡା କେବଳ ନିର୍ବାଚନୀ ପ୍ରଚାର ଖର୍ଚ୍ଚକୁ କମ କରିନାହିଁ, ବରଂ ଭୋଟରଙ୍କ ପାଇଁ ଆକର୍ଷଣର କେନ୍ଦ୍ର ବିନ୍ଦୁ ସାଜିଛି। ପ୍ରଚାର ସମୟରେ ତେଲ ଦର ବୃଦ୍ଧିକୁ ବିରୋଧ କରୁଛି। ସାନଜରିଆ ପଞ୍ଚାୟତର ଭୋଟର ରଘୁନନ୍ଦନ ଦାସ, ଜୟନ୍ତ ସାହୁ କୁହନ୍ତି, ଶ୍ରୀକାନ୍ତଙ୍କ ଏହି ଅଭିନବ ନିର୍ବାଚନ ପ୍ରଚାର କୌଶଳ ସମସ୍ତଙ୍କୁ ଆକର୍ଷିତ କରିଛି। ଯେଉଁଠିକୁ ଗଲେ ପ୍ରତ୍ୟେକ ସ୍ଥାନରେ ଭୋଟରମାନେ ଅଟକାଇ ରଖୁଛନ୍ତି। ପ୍ରଚାର ସମୟର ଘୋଡା ଚଢ଼ା ଫଟୋ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି। ସୂଚନାଯୋଗ୍ୟ, ଶ୍ରୀକାନ୍ତ ଗତ ପଞ୍ଚାୟତ ନିର୍ବାଚନରେ ଅରଡପଲ୍ଲୀରୁ ସମିତିସଭ୍ୟ ଭାବେ ନିର୍ବାଚିତ ହୋଇଥିଲେ। ଏଥର ଅରଡପଲ୍ଲୀ ଅନୁସୂଚିତ ବର୍ଗଙ୍କ ପାଇଁ ସଂରକ୍ଷଣ ଥିବାରୁ ସାହୁ ସାନଜରିଆରୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।