ମାଆ କୋଳକୁ ଫେରିଲା ୬ ଦିନର ପୁଅ

ରସୁଲପୁର,୨ା୧୨(ଡି.ଏନ.ଏ.): ରସୁଲପୁର ବ୍ଲକ୍‌ ଅନ୍ତର୍ଗତ ମଧୁବନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ମିଳୁନି କୁକୁର କାମୁଡ଼ା ଇଞ୍ଜେକ୍ସନ। ଫଳରେ ଏଠାକୁ ଆସୁଥିବା ରୋଗୀଙ୍କୁ ଯାଜପୁରରୋଡ୍‌ କ୍ଷେତ୍ରୀୟ ଡାକ୍ତରଖାନା ଓ ଯାଜପୁର ଜିଲା ମୁଖ୍ୟ ଚିକିତ୍ସା କେନ୍ଦ୍ର ଯିବାକୁ ପଡୁଛି, ଯଦ୍ଦ୍ବାରା ରୋଗୀ ନାନା ହଇରାଣହରକତ ହେବା ସହ ଅଯଥା ଖର୍ଚ୍ଚାନ୍ତ ହେଉଛନ୍ତି। ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁ ରୋଗୀଙ୍କୁ ଏଭଳି ଦଶା ଭୋଗିବାକୁ ପଡୁଛି ବୋଲି ଉକ୍ତ ବ୍ଲକ୍‌ ଅଧୀନ ଭୋଟକା ପଞ୍ଚାୟତ ଇଚ୍ଛାପୁର ଗ୍ରାମର ପରମେଶ୍ୱର ସାହୁ ଅଭିଯୋଗ କରିଛନ୍ତି।
ସେ କହିଛନ୍ତି, ତାଙ୍କ ସାନ ଭାଇ ରମେଶ ସାହୁଙ୍କ ପୁଅ ସାଇ ଶିବମ୍‌ ମଙ୍ଗଳବାର ଅପରାହ୍ନରେ ଗାଁ ଦାଣ୍ଡରେ ଖେଳୁଥିବା ସମୟରେ ତାଙ୍କୁ କୁକୁର କାମୁଡ଼ି ଦେଇଥିଲା। ପରିବାର ଲୋକେ ଏହା ଜାଣିବା ପରେ ତାଙ୍କୁ ମଧୁବନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ଡାକ୍ତର ଚିକିତ୍ସା କରିବା ସହ ପ୍ରତିଷେଧକ ସତର୍କତା ପାଇଁ ଇଞ୍ଜେକ୍ସନ ଦେଇଥିଲେ। ବୁଧବାର ସକାଳ ୮ଟାରୁ ମଧ୍ୟାହ୍ନ ୧୨ଟା ମଧ୍ୟରେ ଡାକ୍ତରଖାନାରେ ଉପସ୍ଥିତ ରହି କୁକୁର କାମୁଡ଼ା ଇଞ୍ଜେକ୍ସନ ନେବାକୁ ପରାମର୍ଶ ଦେଇଥିଲେ। ପରଦିନ ନିର୍ଦ୍ଧାରିତ ସମୟରେ ରୋଗୀଙ୍କୁ ନେଇ ପରିବାର ଲୋକେ ଡାକ୍ତରଖାନାରେ ପହଞ୍ଚତ୍ଲାବେଳକୁ ଇଞ୍ଜେକ୍ସନ ନାହିଁ ବୋଲି ଦାୟିତ୍ୱରେ ଥିବା ସ୍ବାସ୍ଥ୍ୟକର୍ମୀ ସୂଚନା ଦେଇଥିଲେ। ଏନେଇ ରୋଗୀଙ୍କ ପରିବାର ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ ଅବଗତ କରାଇଥିଲେ। ମାତ୍ର ଇଞ୍ଜେକ୍ସନ ମହଜୁଦ ନାହିଁ, ଆସିଲେ ଦିଆଯିବ ବୋଲି କର୍ତ୍ତୃପକ୍ଷ କହିଥିଲେ। ନିୟମମୁତାବକ କୁକୁର କାମୁଡ଼ିବାର ୨୪ ଘଣ୍ଟା ମଧ୍ୟରେ ରୋଗୀଙ୍କୁ ଜଳାନ୍ତକ ଇଞ୍ଜେକ୍ସନ ଦେବାକୁ ପଡ଼ିଥାଏ, ଯାହାକୁ ଶୂନ୍ୟ ଡୋଜ୍‌ ବୋଲି କୁହାଯାଇଥାଏ। ଏହିଭଳି ଭାବରେ ଜଣେ ରୋଗୀକୁ ୦୩, ୦୭, ୨୮ ଦିନରେ କ୍ରମାନ୍ବୟରେ ୪ଟି ଡୋଜ ଇଞ୍ଜେକ୍ସନ ନେବାକୁ ପଡ଼େ। ତେଣୁ ଏହି ଇଞ୍ଜେକ୍ସନ ଅଭାବରୁ କୌଣସି ରୋଗୀ ଜଳାନ୍ତକ ରୋଗରେ ଆକ୍ରାନ୍ତ ନ ହେଉ ସେଥିଲାଗି ଇଞ୍ଜେକ୍ସନକୁ ବ୍ଲକସ୍ତର ଡାକ୍ତରଖାନାରେ ଉପଲବ୍ଧ କରାଯାଉଛି। ଏ ଦିଗରେ ବ୍ୟତୀକ୍ରମ ନ ଘଟିବାକୁ ଗୁରୁତ୍ୱ ଦିଆଯାଇ ସମସ୍ତ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ନିର୍ଦ୍ଧାରିତ ନିର୍ଘଣ୍ଟ ମଧ୍ୟରେ ଇଞ୍ଜେକ୍ସନ ଦିଆଯାଇଥାଏ। ମାତ୍ର ଏଠାରେ ଇଞ୍ଜେକ୍ସନ ନ ମିଳିବାରୁ ଅଭିଭାବକ ପିଲାଟିକୁ ନେଇ ଯାଜପୁରରୋଡ୍‌ସ୍ଥିତ କ୍ଷେତ୍ରୀୟ ଡାକ୍ତରଖାନାରେ ଜଳାନ୍ତକ ଇଞ୍ଜେକ୍ସନ ଦେଇଥିବା ସୂଚନା ମିଳିଛି। କେବଳ ଏହି ଜଣେ ରୋଗୀ ନୁହେଁ ଅନେକ ରୋଗୀ ଏଥିପାଇଁ ଅସୁବିଧାର ସମ୍ମୁଖୀନ ହୋଇଥିବା ଅଭିଯୋଗ ହୋଇଛି। ତେଣୁ ଏହି ସମସ୍ୟାର ତୁରନ୍ତ ସମାଧାନ କରିବାକୁ ଦାବି ହୋଇଛି। ଏନେଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଭାରପ୍ରାପ୍ତ ଅଧିକାରୀ ଡାକ୍ତର ବିଶ୍ୱରଞ୍ଜନ କରଙ୍କୁ ପଚାରିବାରୁ ସେ ଇଞ୍ଜେକ୍ସନ ଷ୍ଟକ୍‌ ସରି ଯାଇଥିବା ଅଭିଯୋଗକୁ ସ୍ବୀକାର କରିଛନ୍ତି। ତେବେ ସରିବା ପୂର୍ବରୁ ଷ୍ଟକ୍‌ ଆସିଯିବା କଥା। ମାତ୍ର ଷ୍ଟକ୍‌ ଯାଞ୍ଚ ସହ ଏ ଦିଗରେ ଜିଲାକୁ ଅବଗତ କରାଇ ଇଞ୍ଜେକ୍ସନ ଆଣି ମହଜୁଦ୍‌ ରଖିବା ଆବଶ୍ୟକତା ରହିଛି। ଏଥିରେ କେଉଁଠି ତ୍ରୁଟି ରହିଛି ତାକୁ ଅନୁଧ୍ୟାନ କରିବେ। ସମ୍ପୃକ୍ତ ରୋଗୀ ଗୋଟିଏ ଡୋଜ ଇଞ୍ଜେକ୍ସନ ଅନ୍ୟ ସ୍ବାସ୍ଥ୍ୟ କେନ୍ଦ୍ରରେ ନେଇଛନ୍ତି। ଅନ୍ୟ ୩ଟି ଡୋଜ୍‌ ଏହି ଡାକ୍ତରଖାନାରୁ ନେଇପାରିବେ ବୋଲି ସେ ସୂଚନା ଦେଇଛନ୍ତି।