୫୦୦ ମିଟର ରାସ୍ତା ପାଇଁ ବୁଲିବାକୁ ପଡୁଛି ୭ କିଲୋମିଟର

କେନ୍ଦୁଝର,୯ା୪(ସ୍ବ.ପ୍ର.): ସଦର ବ୍ଲକ ଅନ୍ତର୍ଗତ ବାଉରିପଦା ପଞ୍ଚାୟତ କେମ୍ପସଡ଼ା-କୁଶପଦା-ରଜାବନ୍ଧ ରାସ୍ତାଟି ମରଣଯନ୍ତା ପାଲଟିଛି। ଏହି ରାସ୍ତାଟି କ୍ଷୁଦ୍ର ଜଳସେଚନ ବିଭାଗର ହୋଇଥିବା ବେଳେ ଦୀର୍ଘବର୍ଷ ଧରି ମରାମତି ହୋଇପାରୁ ନାହିଁ। ସାମାନ୍ୟ ବର୍ଷା ହେଲେ କର୍ଦ୍ଦମାକ୍ତ ହୋଇପଡୁଛି। ସବୁଠାରୁ ବଡ଼ ସମସ୍ୟା ହେଲା ରାସ୍ତା ରଜାବନ୍ଧ ହୁଡ଼ା ଉପରେ ୫ ଶହ ମିଟର ରାସ୍ତାର ଉଭୟ ପାଶର୍‌ବ ସମ୍ପୂର୍ଣ୍ଣ ବିପଦପୂର୍ଣ୍ଣ ଏବଂ ଅଣଓସାରିଆ। ଗୋଟିଏ ପଟ ଦଶ ଫୁଟ ପାଣି ଏବଂ ଅନ୍ୟ ପଟ ପ୍ରାୟ ପଚିଶ ଫୁଟ ତଳେ ଖାଲ ଜମି ରହିଛି। ଏହି ରାସ୍ତା ଦେଇ ରାଇକଳା, କାଉଁରିକଳା, ଗୋବର୍ଦ୍ଧନ, ଶଙ୍କିରୀ, ବୋଦାପୋଳଶା ଆଦି ପଞ୍ଚାୟତର ବହୁ ଗ୍ରାମର ଚାଷୀ ପରିବା ବିକ୍ରି ପାଇଁ ହେଉ ବା ଛାତ୍ରୀଛାତ୍ର କଲେଜ, ରୋଗୀଙ୍କୁ ମେଡିକାଲ, ଆଦି ବିଭିନ୍ନ କାମରେ ଜିଲା ସଦର ମହକୁମା କେନ୍ଦୁଝର ସହରକୁ ଯାଇଥାନ୍ତି। ସାମାନ୍ୟ ବର୍ଷା ହେଲେ ପାଞ୍ଚ ଶହ ମିଟର ରାସ୍ତା ପାଇଁ ଲୋକଙ୍କୁ ୭ କିଲୋମିଟର ବୁଲିକି ଯିବାକୁ ପଡୁଛି। କେମ୍ପସଡ଼ାବାସୀ ପଞ୍ଚାୟତକୁ ପିଡିଏସ୍‌ ସାମଗ୍ରୀ ଆଣିବା ପାଇଁ ହେଲେ ସମାନ ଦଶା ଭୋଗିବାକୁ ପଡୁଛି। ଉକ୍ତ କେମ୍ପସଡ଼ା-କୁଶପଦା ରାସ୍ତାର ଉନ୍ନତିକରଣ ପାଇଁ ଯୁବ ଓ ଶ୍ରମ ବିକାଶ ମଞ୍ଚର ସାଧାରଣ ସମ୍ପାଦିକା ଶୈଳବାଳା ପରିଡ଼ା କ୍ଷୁଦ୍ର ଜଳସେଚନ ବିଭାଗର କାର୍ଯ୍ୟନିର୍ବାହୀ ଅଧିକାରୀ ଇଞ୍ଜିନିୟର ସୁଧାଂଶୁ ଶେଖର ସାହୁଙ୍କୁ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ସାହୁ ବ୍ଲକ ପ୍ରଶାସନକୁ ହସ୍ତାନ୍ତର କରି ରାସ୍ତାର ଉନ୍ନତି ଦିଗରେ କାର୍ଯ୍ୟ କରିବା ସହିତ ଆବଶ୍ୟକ ବୈଷୟିକ ସହାୟତା ପ୍ରଦାନ ପାଇଁ ଆଶ୍ୱାସନା ଦେଇଛନ୍ତି।