Categories: ଜାତୀୟ

ରାଜଧାନୀରେ ୩୬ ବର୍ଷର ରେକର୍ଡ ଭାଙ୍ଗିଲା, ଗରମ ଦିନରେ ମାଘ ମାସର ଶୀତ ଅନୁଭୂତ

ନୂଆଦିଲ୍ଲୀ,୧ା୬: ସାଧାରଣତଃ ମେ’ ଆଉ ଜୁନ୍‌ରେ ପ୍ରବଳ ଗରମ ହୋଇଥାଏ। ରାଜଧାନୀ ଦିଲ୍ଲୀ ସମେତ ସମଗ୍ର ଉତ୍ତର ଭାରତରେ ବି ସବୁଠାରୁ ଏହି ଦୁଇ ମାସକୁ ଗରମ ମାସ ବୋଲି ବିବେଚନା କରାଯାଏ। ମାତ୍ର ଜଳବାୟୁ ପରିବର୍ତ୍ତନ ହେତୁ ଏଥର ରାଜଧାନୀରେ ୩୬ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଛି। ଏବେ ପ୍ରବଳ ଗରମ ଦିନରେ ଏଠାରେ ମାଘ ମାସର  ଶୀତ ଅନୁଭୂତ ହେଉଛି। ସକାଳେ କୁହୁଡ଼ିର ଏକ ଘନ ଆସ୍ତରଣ ଦେଖିବାକୁ ମିଳିଥିଲା। ମେ’ ସରି ଜୁନ୍‌ ଆରମ୍ଭ ହୋଇଛି। ମାତ୍ର ଲୋକେ ଏସି କୁଲର କିଛି ବ୍ୟବହାର କରିନାହାନ୍ତି। ଜୁନ୍‌ ମାସର ଆଗାମୀ କିଛି ଦିନ ପାଇଁ ଏପରି ପାଣିପାଗ ରହିବ। ପାଣିପାଗ ବିଭାଗ ଅନୁଯାୟୀ, ଜୁନ ପ୍ରାରମ୍ଭରେ ମଧ୍ୟ ବର୍ଷା ହୋଇପାରେ। ଜୁନ ୭ପରେ, ପୁନର୍ବାର ତାପମାତ୍ରାର ଦ୍ରୁତ ବୃଦ୍ଧି ରେକର୍ଡ ହେବ।

ମେ’ ୪ରେ, ଦିଲ୍ଲୀର ସର୍ବନିମ୍ନ ତାପମାତ୍ରା ୧୫.୮ ଡିଗ୍ରୀ ରେକର୍ଡ କରାଯାଇଥିଲା। ୪୧ବର୍ଷର ଇତିହାସରେ ମେ’ ମାସରେ ଏହା ସବୁଠାରୁ ଶୀତଳ ସକାଳ ଥିଲା। ଦିଲ୍ଲୀର ସର୍ବନିମ୍ନ ତାପମାତ୍ରା ୨ ମଇ ୧୯୬୯ରେ ରେକର୍ଡ କରାଯାଇଥିଲା। ତା’ପରେ ଏହା ୧୫.୧ଡିଗ୍ରୀ ଥିଲା। କେବଳ ଏତିକି ନୁହେଁ, ବର୍ଷା ମଧ୍ୟ ଏହି ଗ୍ରୀଷ୍ମ ଋତୁରେ ରେକର୍ଡ ଭାଙ୍ଗିଛି।

ପାଣିପାଗ ବିଭାଗ ଅନୁଯାୟୀ, ମେ’ରେ ୧୧୧ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଜୁନ୍‌ ଆରମ୍ଭ ସୁଦ୍ଧା ଦିଲ୍ଲୀରେ ହାରାହାରି ବୃଷ୍ଟିପାତ ୩୦.୭ ମିଲିମିଟର ହୋଇଛି। ଚଳିତ ବର୍ଷ ମେ’ରେ ରେକର୍ଡ ଭାଙ୍ଗିଥିବା ବର୍ଷା ଯୋଗୁ ୨୬୨ ପ୍ରତିଶତ ବୃଦ୍ଧି ପଞ୍ଜୀକୃତ ହୋଇଛି। ପାଣିପାଗ ବିଭାଗର ତଥ୍ୟ ଅନୁଯାୟୀ, ମେ’ରେ ହାରାହାରି ୨.୭ ଦିନ ବର୍ଷା ହେଉଛି। ଏଥର ୧୧ଦିନର ବର୍ଷା ରେକର୍ଡ କରାଯାଇଛି । ବର୍ଷା ହେତୁ ଦିଲ୍ଲୀର ହାରାହାରି ସର୍ବାଧିକ ତାପମାତ୍ରା ୩୬.୮ ଡିଗ୍ରୀ ରେକର୍ଡ କରାଯାଇଥିଲା। ୧୯୮୭ ପରଠାରୁ ଏହା ସର୍ବନିମ୍ନ ଅଟେ।

Share