ଦଶମ ଶ୍ରେଣୀ ଫାଇନାଲ ପ୍ରାକ୍ଟିସ୍‌ ଟେଷ୍ଟ କାର୍ଯ୍ୟସୂଚୀ ପ୍ରକାଶିତ

କଟକ ଅଫିସ,୩।୪: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ଦଶମ ଶ୍ରେଣୀ ଛାତ୍ରୀଛାତ୍ରଙ୍କ ଫାଇନାଲ ପ୍ରାକ୍ଟିସ ଟେଷ୍ଟର କାର୍ଯ୍ୟସୂଚୀ ଗୁରୁବାର ପ୍ରକାଶ ପାଇଛି। ଆସନ୍ତା ୧୫ରେ ପ୍ରଥମ ପର୍ଯ୍ୟାୟରେ ପ୍ରଥମ ଭାଷା ଓଡ଼ିଆ ଓ ଦ୍ୱିତୀୟ ପର୍ଯ୍ୟାୟରେ ସାମାଜିକ ବିଜ୍ଞାନ ପରୀକ୍ଷା ହେବ। ସେହିପରି ୧୬ରେ ପ୍ରଥମ ପର୍ଯ୍ୟାୟରେ ଇଂଲିଶ ପରୀକ୍ଷା ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ସାଧାରଣ ବିଜ୍ଞାନ ପରୀକ୍ଷା ହେବ। ୧୭ରେ ପ୍ରଥମ ପର୍ଯ୍ୟାୟରେ ଗଣିତ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ତୃତୀୟ ଭାଷା ହିନ୍ଦୀ କିମ୍ବା ସଂସ୍କୃତ ପରୀକ୍ଷା ହେବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ବୋର୍ଡ ୱେବ୍‌ସାଇଟ୍‌ରେ ପରୀକ୍ଷା ପୂର୍ବଦିନ ପ୍ରଶ୍ନପତ୍ର ପ୍ରକାଶ ପାଇବ। ୱେବ୍‌ସାଇଟ୍‌ରୁ ପ୍ରଶ୍ନପତ୍ର ଡାଉନ୍‌ଲୋଡ୍‌ କରି ଜିଲା ଶିକ୍ଷା ଅଧିକାରୀମାନେ ନିଜ ଅଧୀନରେ ଥିବା ବିଦ୍ୟାଳୟଗୁଡିକରେ ପରୀକ୍ଷା କରିବାକୁ ପରାମର୍ଶ ଦିଆଯାଇଛି। ପରୀକ୍ଷା ଦିନ ସନ୍ଧ୍ୟାରେ ଉତ୍ତର ୱେବ୍‌ସାଇଟ୍‌ରେ ଅପଲୋଡ କରାଯାଇ ମୂଲ୍ୟାୟନ କରାଯିବ।