ନୂଆଦିଲ୍ଲୀ,୯।୯: ତାମିଲନାଡୁରେ କ୍ଷମତା ସମ୍ଭାଳିବା ପରେ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟଙ୍କ ନବଜାତ ଶିଶୁମାନଙ୍କୁ ସୁନା ମୁଦି ପ୍ରଦାନ କରିବା ସମ୍ପର୍କିତ ଚର୍ଚ୍ଚିତ ଯୋଜନାର ଶୁଭାରମ୍ଭ ବର୍ତ୍ତମାନ ପାଇଁ ଘୁଞ୍ଚିଯାଇଛି। ରାଜ୍ୟ ସରକାର ନବଜାତ ଶିଶୁମାନଙ୍କୁ ସୁନା ମୁଦି ଦେବା ଯୋଜନାର ଶୁଭାରମ୍ଭ ତାରିଖକୁ ଆଗକୁ ବଢ଼ାଇ ଦେଇଛନ୍ତି। ପୂର୍ୱରୁ ଏହି କଲ୍ୟାଣକାରୀ ଯୋଜନା ସେପ୍ଟେମ୍ୱର ୧୫ରୁ ଆରମ୍ଭ ହେବାର ଥିଲା, କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ବ୍ୟସ୍ତବହୁଳ କାର୍ଯ୍ୟକ୍ରମ ଯୋଗୁଁ ଏହା ଧାର୍ଯ୍ୟ ତାରିଖରେ ଆରମ୍ଭ ହୋଇପାରିବ ନାହିଁ।
ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ କେ.ଜି. ଅରୁଣରାଜ ଏହି ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇ ସ୍ପଷ୍ଟ କରିଛନ୍ତି ଯେ ଯୋଜନାରେ କୌଣସି ନୀତିଗତ ପରିବର୍ତ୍ତନ କରାଯାଇ ନାହିଁ କିମ୍ୱା ଏହାକୁ ବାତିଲ ମଧ୍ୟ କରାଯାଇ ନାହିଁ। ସେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ବିଜୟ ରାଜ୍ୟକୁ ପୁଞ୍ଜିନିବେଶ ଆଣିବା ଉଦ୍ଦେଶ୍ୟରେ ଏକ ଜରୁରୀ ବିଦେଶ ଗସ୍ତରେ ଯାଉଛନ୍ତି। ସେପ୍ଟେମ୍ୱର ୧୫ ବେଳକୁ ମୁଖ୍ୟମନ୍ତ୍ରୀ ଦେଶରେ ଉପସ୍ଥିତ ରହିବେ ନାହିଁ, ତେଣୁ ଏହି ମହତ୍ତ୍ୱାକାଂକ୍ଷୀ ଯୋଜନାର ଉଦ୍ଘାଟନ ତାରିଖକୁ ସାମାନ୍ୟ ଆଗକୁ ଘୁଞ୍ଚାଇ ଦିଆଯାଇଛି। ଖୁବ ଶୀଘ୍ର ଆନୁଷ୍ଠାନିକ ଭାବରେ ନୂତନ ତାରିଖ ଘୋଷଣା କରାଯିବ।
ତାରିଖ ଘୁଞ୍ଚିବା ପରେ ନାନା ପ୍ରକାର ଚର୍ଚ୍ଚା ଲାଗି ରହିଥିଲା, କିନ୍ତୁ ସରକାର ସ୍ପଷ୍ଟ କରିଛନ୍ତି ଯେ ନିୟମ ଓ ସର୍ତ୍ତାବଳୀରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ଯୋଜନା ଅନୁଯାୟୀ, ୨୨ ଜୁନ ୨୦୨୬ରେ ମୁଖ୍ୟମନ୍ତ୍ରୀ ବିଜୟଙ୍କ ଜନ୍ମଦିନରୁ ସରକାରୀ ଡାକ୍ତରଖାନାରେ ଜନ୍ମ ହୋଇଥିବା ସମସ୍ତ ଶିଶୁଙ୍କୁ ଏହାର ଲାଭ ମିଳିବ। ପ୍ରତ୍ୟେକ ନବଜାତ ଶିଶୁକୁ ୧ ଗ୍ରାମ ଓଜନର ହଲ୍ମାର୍କ ସୁନା ମୁଦି ପ୍ରଦାନ କରାଯିବ।
’ଥାଇମାମନ ଥଙ୍ଗା ମୋଥିରମ ଥିଟ୍ଟମ’ (ମାମୁଁ ତରଫରୁ ସୁନା ମୁଦି ଯୋଜନା)ର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ରାଜ୍ୟର ସରକାରୀ ଡାକ୍ତରଖାନାଗୁଡ଼ିକରେ ସୱାସ୍ଥ୍ୟସେବାକୁ ପ୍ରୋତ୍ସାହିତ କରିବା ଏବଂ ସଂସ୍ଥାଗତ ପ୍ରସବକୁ ଉତ୍ସାହିତ କରିବା। ଏହା ସହିତ ଏହି ଯୋଜନା ମାଧ୍ୟମରେ ସାଧାରଣ ଲୋକଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀ ବିଜୟଙ୍କ ଏକ ସ୍ନେହୀ ’ମାମୁଁ’ ଭାବମୂର୍ତ୍ତିକୁ ମଧ୍ୟ ସୁଦୃଢ଼ କରିବାକୁ ଚେଷ୍ଟା କରାଯାଉଛି। ତାରିଖ ଘୁଞ୍ଚିବା ସତ୍ତ୍ୱେ ଯୋଗ୍ୟ ପରିବାରଗୁଡ଼ିକୁ ଧାର୍ଯ୍ୟ ନିୟମ ଅନୁଯାୟୀ ଏହାର ଲାଭ ଦିଆଯିବ।