ରଜନୀକାନ୍ତଙ୍କଠାରୁ ବି ଅଧିକ ପାଉଣା ନିଅନ୍ତି ଏହି ଅଭିନେତା

ହାଇଦ୍ରାବାଦ: ଜୋସେଫ ବିଜୟ ଚନ୍ଦ୍ରଶେଖର ଥାଲାପତି ବିଜୟ ନାମରେ ପ୍ରଶଂସକଙ୍କ ଗହଣରେ ପରିଚିତ। ଦୁଇ ଦଶକରୁ ଅଧିକ ସମୟ ଧରି ସେ ତାମିଲ ଫିଲ୍ମଜଗତ ସହ ଜଡ଼ିତ। ନିଜ କ୍ୟାରିୟରରେ ସେ ୬୫ ଫିଲ୍ମ କରି ସାରିଲେଣି। ସେଥିରୁ ପ୍ରାୟତଃ ସବୁ ଫିଲ୍ମ ହିଟ୍‌ ହୋଇଥିବା ବେଳେ କିଛି ବ୍ୟବସାୟରେ ରେକର୍ଡ କରିଛି। ବହୁତ କମ୍‌ ଲୋକ ଜାଣନ୍ତି ସେ ଭାରତୀୟ ସିନେମାର ସବୁଠାରୁ ଧନୀ କଳାକାର। ଚାକଚକ୍ୟଭରା ଜୀବନଶୈଳୀ ସେ ଜିଇଁଥାନ୍ତି।

ଫୋବ୍ସ ଇଣ୍ଡିଆର ୧୦୦ ଧନୀ ସେଲିବ୍ରିଟି ତାଲିକାରେ ତାଙ୍କୁ ଅନେକ ଥର ସ୍ଥାନ ମିଳିଛି। ନିକଟରେ ରିଲିଜ ହୋଇଥିବା ଫିଲ୍ମ ‘ବିଷ୍ଟ’ ଲାଗି ସେ ୧୦୦ କୋଟି ଟଙ୍କା ପାଉଣା ନେଇଛନ୍ତି। ଆଶ୍ଚର୍ଯ୍ୟ ଲାଗିଲେ ହେଁ ଫିଲ୍ମପିଛା କୋଟି କୋଟି ଟଙ୍କାର ଫିସ୍‌ ନେଇଥାନ୍ତି ସେ। ଏହି ମାମଲାରେ ସେ ସୁପରଷ୍ଟାର ରଜନୀକାନ୍ତଙ୍କୁ ପଛରେ ପକାଇ ଦେଇଛନ୍ତି। ରଜନୀକାନ୍ତ ଫିଲ୍ମ ‘ଦରବାର୍‌’ ଲାଗି ୯୦ କୋଟି ଟଙ୍କା ପାଉଣା ନେଇଥିଲେ। ଫିଲ୍ମ ଛଡ଼ା ବଡ଼ ବଡ଼ କମ୍ପାନୀ ଲାଗି ବିଜ୍ଞାପନରେ ସେ ନଜର ଆସିଥାନ୍ତି। ବର୍ଷକୁ ବିଜ୍ଞାପନରୁ ସେ ୧୦ କୋଟି ଟଙ୍କା ରୋଜଗାର କରିଥାନ୍ତି।

ବିଜୟଙ୍କ ମୋଟ ସମ୍ପତ୍ତି ୪୧୦ କୋଟି। ସେ ପ୍ରତିବର୍ଷ ୧୦୦-୧୨୦ କୋଟି ରୋଜଗାର କରିଥାନ୍ତି। ଭବ୍ୟ ବଙ୍ଗଳା ସାଙ୍ଗକୁ ଭଳିକି ଭଳି ଦାମୀ କାର୍‌ ତାଙ୍କ ପାଖରେ ରହିଛି।

Share