ମା’ ବାମଦେଇ ଠାକୁରାଣୀ ଯାତ୍ରା ଆରମ୍ଭ ଉତ୍ସବମୁଖର ବମକୋଇ

ଦିଗପହଣ୍ଡି,୮ା୫(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ବମକୋଇ ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା’ ବାମଦେଇ ଠାକୁରାଣୀଙ୍କ ୭ ଦିନିଆ ଯାତ୍ରା ମହୋତ୍ସବ ଶୁକ୍ରବାର ଆରମ୍ଭ ହୋଇଛି । ଯାତ୍ରା ନିମନ୍ତେ ଗାଁ ଉତ୍ସବ ମୁଖର ହୋଇଛି। ଗ୍ରାମର ବଡ଼ସାହି ସ୍ଥିତ ଶ୍ରୀଗୋପୀନାଥ ମନ୍ଦିର ସମ୍ମୁଖ ଅସ୍ଥାୟୀ ଯାତ୍ରା ପୀଠ ସହ ସମଗ୍ର ଗାଁ ରଙ୍ଗୀନ ଆଲୋକମାଳାରେ ଝଲସି ଉଠିଛି । ପ୍ରତି ୩ବର୍ଷରେ ଥରେ ମା’ ଙ୍କ ଏହି ଯାତ୍ରା ହୋଇଆସୁଛି। ଶୁକ୍ରବାର ସନ୍ଧ୍ୟାରେ ଯାତ୍ରା କମିଟି ସଭାପତି ନରସିଂହ ପ୍ରଧାନ, ଯାତ୍ରା କମିଟିର ୩୫ ସଦସ୍ୟଙ୍କ ସମେତ ଅନ୍ୟାନ୍ୟ କର୍ମକର୍ତ୍ତା ଏବଂ ଗ୍ରାମବାସୀଙ୍କ ଉପସ୍ଥିତିରେ ପୂର୍ବ ପ୍ରଚଳିତ ନୀତିକାନ୍ତି ଅନୁଯାୟୀ ମା’ ଙ୍କୁ ମହାସ୍ନାନ କରାଯାଇଥିଲା। ନୂତନ ବସ୍ତ୍ର ଆବରଣ ପରେ ସେବା ପୂଜା କରାଯାଇ ସନ୍ଧ୍ୟା ଆଳତି ହୋଇଥିଲା। ଭୋଗ ମଣୋହି ପରେ ଅସ୍ଥାୟୀ ଯାତ୍ରାପୀଠକୁ ଯିବା ନିମନ୍ତେ ମା’ଙ୍କୁ ନିମନ୍ତ୍ରଣ କରାଯାଇଥିଲା। ମା’ ଙ୍କ ଆଜ୍ଞାମାଳ ମିଳବା ପରେ ସୁସଜ୍ଜିତ ତାଟରେ ଫୁଲମଣ୍ଡା ସହ ଚଳନ୍ତି ପ୍ରତିମାଙ୍କୁ ରଖାଯାଇ ଶୋଭାଯାତ୍ରାରେ ମାନସିକଧାରୀ ଶ୍ରଦ୍ଧାଳୁ ମହିଳା ବୃନ୍ଦ ମସ୍ତକରେ ଘଟ ଧରି ଗ୍ରାମ ପରିକ୍ରମା କରିବା ପରେ ମା’ ଅସ୍ଥାୟୀ ଯାତ୍ରାପୀଠରେ ପ୍ରବେଶ କରିଥିଲେ। ସେଠାରେ ଘୃତ ହୋମ କରାଯାଇ ମା ’ ଙ୍କୁ ସେବାପୂଜା କରାଯାଇଥିଲା। ଠାକୁରାଣୀ ଯାତ୍ରା ନିମନ୍ତେ ସମସ୍ତ ସାହି ବସ୍ତିରେ ଆନନ୍ଦ ଉଲ୍ଲାସ ଦେଖିବାକୁ ମିଳିଛି।ଦୂରଦୂରାନ୍ତ ରେ ରହୁଥିବା ଲୋକେ ପରିବାର ସହ ଗାଁ ରେ ପହଞ୍ଚିଛନ୍ତି। ପ୍ରତିଦିନ ସନ୍ଧ୍ୟାରେ ଯାତ୍ରା ପୀଠରେ ପୌରାଣିକ ନାଟକ ସମେତ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବାକୁ ସ୍ଥିରୀକୃତ ହୋଇଛି। ଶନିବାରଠାରୁ ମା’ ଙ୍କ ଘଟ ପରିକ୍ରମା ସାଙ୍ଗକୁ ସାଂସ୍କୃତିକ କାର୍ଯ୍ୟକ୍ରମ ହେବ। ଏହି ଯାତ୍ରା ମହୋତ୍ସବ ଆସନ୍ତା ୧୪ ତାରିଖ ବିଳମ୍ବିତ ରାତିରେ ଉଦଯାପିତ ହେବ ବୋଲି ଯାତ୍ରା କମିଟି ପକ୍ଷରୁ ସୂଚନା ଦିଆଯାଇଛି।

Dharitri – Odisha’s No.1 Odia Daily

Share