ଥଇଥାନ ଧର୍ମକୁ ଆଖିଠାର

ରାଉରକେଲା,୧୬।୯(ବିପ୍ଳବ ରଞ୍ଜନ ଦାଶ): ରାଉରକେଲା ମହାନଗର ନିଗମ ପକ୍ଷରୁ ସ୍ମାର୍ଟସିଟି ଅଭିଯାନରେ ସହରକୁ ଅଧିକରୁ ଅଧିକ ସରସ ସୁନ୍ଦର କରିବା ପାଇଁ ପ୍ରତିବର୍ଷ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି। ମାତ୍ର ସ୍ମାର୍ଟସିଟି ନାଁରେ ହେଉଥିବା ବିପୁଳ ଖର୍ଚ୍ଚ ନା ସହରକୁ ସରସ ସୁନ୍ଦର କରିପାରୁଛି ନା ଲୋକମାନଙ୍କୁ ଉପକୃତ କରୁଛି ବୋଲି ରାଉରକେଲା ଡିଏଭି ଛକ ଜେଲରୋଡ ଭେଣ୍ଡିଂ ଜୋନ-୨ର ବ୍ୟବସାୟୀ ଅଭିଯୋଗ କରିଛନ୍ତି।
ଗରିବ ଖୁଚୁରା ବ୍ୟବସାୟୀଙ୍କ ଅର୍ଥନୈତିକ ଅଭିବୃଦ୍ଧି, ଟ୍ରାଫିକ ସମସ୍ୟା ସମାଧାନ, ଅସାମାଜିକ କାର୍ଯ୍ୟକଳାପ ରୋକିବା ପାଇଁ ରାଉରକେଲା ଜେଲ୍‌ ରୋଡ ରାସ୍ତାକଡରେ ଭେଣ୍ଡିଂ ଜୋନ-୨ ନିର୍ମାଣ କରାଯାଇଛି। ଏହି ଭେଣ୍ଡିଂ ଜୋନରେ ମୋଟ ୧୩୦ କ୍ୟାବିନ ନିର୍ମାଣ ହୋଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ୮ଟି କ୍ୟାବିନ ଖୋଲାଯାଉଛି। ଏହି ଥଇଥାନ କେବଳ ଧର୍ମକୁ ଆଖିଠାର ସଦୃଶ ବୋଲି ସ୍ଥାନୀୟ ବ୍ୟବସାୟୀମାନେ କହିଛନ୍ତି। ଆମିଷ ବ୍ୟବସାୟୀ ମାନଙ୍କ ପାଇଁ ମଧ୍ୟ ସ୍ବତନ୍ତ୍ର କ୍ୟାବିନ ନିର୍ମାଣ ହୋଇଥିଲେ ମଧ୍ୟ ଆମିଷ ବ୍ୟବସାୟୀ ଥଇଥାନ ହୋଇପାରିନାହାନ୍ତି। ବ୍ୟବସାୟୀମାନଙ୍କ କହିବା ଅନୁସାରେ, ସ୍ମାର୍ଟସିଟି ପକ୍ଷରୁ ସ୍ମାର୍ଟସହର ପାଇଁ ଯେଉଁ ପ୍ରକାର ଭେଣ୍ଡିଂ ଜୋନ ନିର୍ମାଣ ହୋଇଛି ତାହା ଅତ୍ୟନ୍ତ ଦୟନୀୟ। ଦୋକାନମାନଙ୍କରେ ସର୍ଟର ନ ଲଗାଇ ଚଦର କବାଟ ଲଗାଇ ଦିଆଯାଇଛି। ଫଳରେ ଦୋକାନ ଖୋଲିବା ବେଳେ କବାଟ ପାର୍ଶ୍ୱସ୍ଥ ଦୋକାନୀଙ୍କୁ ସମସ୍ୟା ହେଉଛି। ଏହାବ୍ୟତୀତ ଆରଏମସି ପକ୍ଷରୁ ସଫେଇ ମଧ୍ୟ ହେଉନାହିଁ। ଭେଣ୍ଡିଂ ଜୋନ ସମ୍ମୁଖରେ ବେଆଇନ ଦୋକାନ ଖୋଲା ହେଉଛି । ଏହାଦ୍ୱାରା ଭେଣ୍ଡିଙ୍ଗ ଜୋନ ଦୋକାନୀଙ୍କ କାରବାର ପ୍ରଭାବିତ ହେଉଛି। ସେହିପରି ଉଚ୍ଛେଦ ହୋଇଥିବା ଖୁଛୁରା ଦୋକନୀଙ୍କୁ ଭେଣ୍ଡିଙ୍ଗ ଜୋନରେ ଦୋକାନ ଖୋଲିବା ପ୍ରମାଣପତ୍ର ପ୍ରଦାନରେ ମଧ୍ୟ ଅହେତୁକ ବିଳମ୍ବ କରାଯାଉଛି। ତୁରନ୍ତ ଭେଣ୍ଡିଙ୍ଗ ଜୋନ ସମ୍ମୁଖରେ ଖୋଲା ଯାଇଥିବା ଦୋକାନ ଉଚ୍ଛେଦ କରାଯିବା ସହ ରକ୍ଷଣାବେକ୍ଷଣ ଦିଗରେ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ବ୍ୟବସାୟୀ ଭାଗିରଥି ଧଳ, ସୁକାନ୍ତୀ ମଲ୍ଲିକ, ସସ୍ମିତା ନାୟକ, ଉତ୍ତମ ଦାସ, ଏସ୍‌. କେ. ମୁସ୍ତାଜ ଅଲ୍ଲୀ ପ୍ରମୁଖ ଦାବି କରିଛନ୍ତି। ଏ ନେଇ ଆର୍‌ଏମ୍‌ସି ଡେପୁଟି କମିଶନର ସୁଧାଂଶୁ ଭୋଇଙ୍କୁ ପଚାରିବାରୁ ସେ କହିଲେ, ଜେଲ ରୋଡ୍‌ର ୧୦୦ ମିଟର ରାସ୍ତା ନିକଟରେ ଖୋଲିଥିବା ଖୁଚୁରା ଦୋକାନୀମାନଙ୍କୁ ଥଇଥାନ ପାଇଁ ଭେଣ୍ଡିଂ ଜୋନ-୨ ନିର୍ମାଣ କରାଯାଇଛି। ପ୍ରମାଣପତ୍ର ଆଧାରରେ ପର୍ଯ୍ୟାୟ କ୍ରମେ ଲଟେରୀ ମାଧ୍ୟମରେ ଦୋକାନୀମାନଙ୍କୁ ଥଇଥାନ ବ୍ୟବସ୍ଥା ଚାଲିଛି। ଭେଣ୍ଡିଂ ଜୋନ ସମ୍ମୁଖରେ ଥିବା ଦୋକାନୀଙ୍କୁ ହଟାଯିବା ସହିତ ସମସ୍ତ ସମସ୍ୟାର ସମାଧାନ କରାଯିବ ବୋଲି ଭୋଇ କହିଥିଲେ।