ମନ ମୋହୁଛି ‘ଥାଇଲାଣ୍ଡ ବୁଦ୍ଧ ମନ୍ଦିର’ ତୋରଣ

ମୋରଡ଼ା,୩ା୧୦(ଡି.ଏନ୍‌.ଏ): ପାର୍ବଣ ଋତୁ ଆରମ୍ଭ ହୋଇସାରିଛି। ସାରା ରାଜ୍ୟରେ ଏବେ ଉତ୍ସବର ମାହୋଲ। ଏଥିରୁ ବାଦ ପଡ଼ି ନାହାନ୍ତି ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ୍‌ ବିଭିନ୍ନ ପୂଜା କିମିଟି। କରୋନା ପାଇଁ ଦୁଇ ବର୍ଷ ଧରି ପୂଜା କଟକଣାରେ ପାଳନ ହୋଇଥିବା ବେଳେ ଚଳିତ ବର୍ଷ ପୂଜା କମିଟିଗୁଡ଼ିକ ଧୁମ୍‌ଧାମରେ ପାଳନ କରିବାକୁ ପ୍ରସ୍ତୁତି କରିଛନ୍ତି। ଏହି ଅବସରରେ ସାର୍ବଜନୀନ ଦୁର୍ଗାପୂଜା କମିଟି ପକ୍ଷରୁ ଚିତ୍ରଡ଼ା ବସ୍‌ଷ୍ଟାଣ୍ଡଠାରେ ପୂଜା ହେଉଛି। କିମିଟି ତରଫରୁ ହେଉଥିବା ‘ଥାଇଲାଣ୍ଡ ବୁଦ୍ଧ ମନ୍ଦିର’ ସଦୃଶ୍ୟ ତୋରଣ ଦର୍ଶକଙ୍କ ମନ ମୋହୁଛି। ଉକ୍ତ ତୋରଣ ପଚାଶ ଫୁଟ୍‌ର ଉଚ୍ଚ ଓ ଚାଳିଶ ଫୁଟ୍‌ ଓସାର ହୋଇଥିବା ବେଳେ ବଙ୍ଗୀୟ କାରିଗରମାନେ ପ୍ରସ୍ତୁତ କରିଛନ୍ତି। ମାସକ ପୂର୍ବରୁ କାର୍ଯ୍ୟ ଆରମ୍ଭ ହୋଇଥିଲା। ସେହିପରି ଆଲୋକମାଳା ସାଜସଜ୍ଜା ଉପରେ କମିଟି ବେଶ ଗୁରୁତ୍ୱ ଦେଇଛି। ପୂଜାକୁ ସୁରୁଖୁରୁରେ ପରିଚାଳନା ତଥା ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ କମିଟିର ଶହେରୁ ଊର୍ଦ୍ଧ୍ୱ ସଦସ୍ୟ ନିୟୋଜିତ ଅଛନ୍ତି। ଭକ୍ତଙ୍କ ସୁରକ୍ଷା ପାଇଁ ପୋଲିସ, ବିଦ୍ୟୁତ୍‌ ବିଭାଗ, ଅଗ୍ନିଶମ ବିଭାଗ ବ୍ୟାପକ ବ୍ୟବସ୍ଥା କରିଛନ୍ତି। ଚଳିତ ବର୍ଷ ବ୍ଲକ୍‌ର ଚିତ୍ରଡ଼ାର ଚିତ୍ରଡ଼ା ବସ୍‌ଷ୍ଟାଣ୍ଡ୍‌ ସହ ସାପ୍ଲାଇ ଛକ, ମୋରଡ଼ାର ମାଳିହତା, ଦାନ୍ତିଆମୁଁହା, ରମାଇଲ, ଝିଙ୍କିରିଆ, ପାରିଆକୁଲି, ଗଡ଼ିଆ, ବରକନ୍ଦ, ଖୁରୁଣ୍ଟିଆଠାରେ ପୂଜା ଅନୁଷ୍ଠିତ ହେଉଛି।