ନୂଆଦିଲ୍ଲୀ,୧।୯: ସୁପ୍ରିମକୋର୍ଟ ସୋମବାର ରାୟ ଦେଇଛନ୍ତି ଯେ, ଶିକ୍ଷକତା ସେବାରେ ଜାରି ରହିବା କିମ୍ବା ପଦୋନ୍ନତି ପାଇଁ ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଟିଇଟି) ବାଧ୍ୟତାମୂଳକ। ଜଷ୍ଟିସ ଦୀପଙ୍କର ଦତ୍ତା ଓ ଅଗଷ୍ଟିନ ଜର୍ଜ ମସିହଙ୍କ ଖଣ୍ଡପୀଠ ଏକ ରାୟରେ କହିଛନ୍ତି, ଯେଉଁ ଶିକ୍ଷକମାନଙ୍କର ଅବସର ପାଇଁ ୫ ବର୍ଷରୁ କମ ସମୟ ବାକି ଅଛି, ସେମାନେ ସେବାରେ ଜାରି ରହିପାରିବେ। କିନ୍ତୁ, ୫ ବର୍ଷରୁ ଅଧିକ ସେବା ଅବଧି ଥିବା ଶିକ୍ଷକମାନେ ସେବା ଜାରି ରଖିବାକୁ ଟିଇଟିରେ ଉତ୍ତୀର୍ଣ୍ଣ ହେବା ଆବଶ୍ୟକ। ଅନ୍ୟଥା , ସେମାନେ ଇସ୍ତଫା ଦେଇପାରିବେ କିମ୍ବା ଅବସର ସୁବିଧା ସହ ବାଧ୍ୟତାମୂଳକ ଅବସର ପାଇଁ ଆବେଦନ କରିପାରିବେ।
ଏହା ସହ, ଅଳ୍ପସଂଖ୍ୟକ ଶିକ୍ଷାନୁଷ୍ଠାନ ପାଇଁ ଟିଇଟି ବାଧ୍ୟତାମୂଳକ କରିବା ଏବଂ ଏହା ସେମାନଙ୍କ ଅଧିକାର ଉପରେ କିପରି ପ୍ରଭାବ ପକାଇବ, ତାହା ଏକ ବୃହତ୍ ଖଣ୍ଡପୀଠକୁ ପଠାଯାଇଛି। ଏହି ରାୟ ତାମିଲନାଡୁ ଓ ମହାରାଷ୍ଟ୍ର ସମେତ ବିଭିନ୍ନ ରାଜ୍ୟରୁ ଆସିଥିବା ଟିଇଟିର ବାଧ୍ୟତାମୂଳକତା ସମ୍ପର୍କିତ ଆବେଦନଗୁଡ଼ିକ ଉପରେ ଦିଆଯାଇଛି।
୨୦୧୦ରେ ଜାତୀୟ ଶିକ୍ଷକ ଶିକ୍ଷା ପରିଷଦ (ଏନସିଟିଇ) ପ୍ରଥମେ ପ୍ରାଥମିକ ଓ ମାଧ୍ୟମିକ ଶ୍ରେଣୀ (୧ ରୁ ୮) ପାଇଁ ଶିକ୍ଷକ ନିଯୁକ୍ତିର ନ୍ୟୂନତମ ଯୋଗ୍ୟତା ନିର୍ଦ୍ଧାରଣ କରିଥିଲା ଏବଂ ପରେ ଟିଇଟି ପ୍ରବର୍ତ୍ତନ କରିଥିଲା। ଏହି ନିଷ୍ପତ୍ତି ସହ ସୁପ୍ରିମକୋର୍ଟ ଏକ ଉଦ୍ଧୃତି ଦେଇଛନ୍ତି: “ସର୍ବକାଳୀନ ଶ୍ରେଷ୍ଠ ଆବିଷ୍କାର ହେଉଛି, ଜଣେ ବ୍ୟକ୍ତି କେବଳ ନିଜର ମନୋଭାବ ବଦଳାଇ ନିଜର ଭବିଷ୍ୟତ ବଦଳାଇ ପାରେ।”


