Categories: ଜାତୀୟ

ଆତଙ୍କବାଦୀଙ୍କ ଟାର୍ଗେଟରେ ସାଧାରଣ ଲୋକେ-ସିଆରପିଏଫ୍‌ ଯବାନ…

ଶ୍ରୀନଗର,୨୦।୩ : ଜମ୍ମୁ-କଶ୍ମୀରରେ ଏବେ ଆତଙ୍କବାଦୀମାନେ ସାଧାରଣ ଲୋକଙ୍କୁ ଟାର୍ଗେଟ କରିଛନ୍ତି। ଶନିବାର ଆତଙ୍କବାଦୀମାନେ ପୁଲୱାମା ଜିଲାର ସ୍ଥାନୀୟ ଲୋକଙ୍କ ଉପରକୁ ଗୁଳି ଚଳାଇଥିଲେ। ସେ ଗୁରୁତର ଆହତ ହୋଇଛନ୍ତି। ରାତି ପ୍ରାୟ ୯ ଟା ୧୧୦ ସମୟରେ ମହମ୍ମଦ ଆକ୍ରାମ ନାମ ଜଣେ କାରପେଣ୍ଟରଙ୍କୁ ଗୁଳି କରାଯାଇଥିବା ସ୍ଥାନୀୟ ପୋଲିସ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଆହତ ଆକ୍ରାମ ଉତ୍ତରପ୍ରଦେଶୀ ବିଜନୋରର ବାସିନ୍ଦା।

ଅଧିକାରୀ କହିଛନ୍ତି ଯେ ସେ ପୁଲୱାମାର ଆରିହଲରେ ରହୁଥିଲେ। ଚିକିତ୍ସା ପାଇଁ ତାଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିଲା ଏବଂ ପରେ ଏସଏମଏଜଏସ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଅପରପକ୍ଷରେ ଆତଙ୍କବାଦୀମାନେ ଶନିବାର ଜମ୍ମୁ-କଶ୍ମୀରର ଶୋପିଆନ ଏବଂ ପୁଲୱାମା ଜିଲାରେ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (ସିଆରପିଏଫ୍‌) କ୍ୟାମ୍ପ ଉପରେ ଗ୍ରେନେଡ ମାଡ଼ କରିଥିଲେ।

ଏଥିରେ ତିନିଜଣ କର୍ମଚାରୀ ଆହତ ହୋଇଛନ୍ତି। ସିଆରପିଏଫ୍‌ ଜମ୍ମୁରେ ଏହାର ୮୩ ତମ ପ୍ରତିଷ୍ଠା ଦିବସ ପାଳନ କରିଛି। ପ୍ରଥମ ଥର ପାଇଁ ଜାତୀୟ ରାଜଧାନୀ ବାହାରେ ପାଳନ କରାଯାଉଥିବା ସିଆରପିଏଫ୍‌ର ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଯୋଗ ଦେଇଥିଲେ। ରାତି ପ୍ରାୟ ୮ଟା ୧୦ ସମୟରେ ଆତଙ୍କବାଦୀମାନେ ଦକ୍ଷିଣ କଶ୍ମୀରର ଶୋପିଆନ ଜିଲାର ଜାଇନାପୁରା ଅଞ୍ଚଳର ବାବାପୋରା ଠାରେ ସିଆରପିଏଫ୍‌ର ୧୭୮ ବାଟାଲିୟନର କ୍ୟାମ୍ପରେ ଗ୍ରେନେଡ ଫିଙ୍ଗିଥିଲେ।

ଏହି ଗ୍ରେନେଡ ଆକ୍ରମଣରେ ଜଣେ ଯବାନ ଆହତ ହୋଇଛନ୍ତି। ଅଧିକାରୀଙ୍କ ଅନୁଯାୟୀ ଅନ୍ୟ ଏକ ଘଟଣାରେ ଆତଙ୍କବାଦୀମାନେ ଦକ୍ଷିଣ କଶ୍ମୀରର ପୁଲୱାମା ଜିଲାର ତ୍ରାଲ ଅଞ୍ଚଳର ନୋଡାଲରେ ସିଆରପିଏଫ୍‌ର ୧୮୦ ବାଟାଲିୟନରେ ଗ୍ରେନେଡ ଫିଙ୍ଗିଥିଲେ। ଏହି ଆକ୍ରମଣରେ ଦୁଇ ଜଣ ସିଆରପିଏଫ୍‌ ଯବାନ ଆହତ ହୋଇଛନ୍ତି।

Share