ପାକିସ୍ତାନ ସରକାରଙ୍କୁ ଘାରିଛି ଭୟ

ଇସଲାମାବାଦ,୩।୨: ପାକିସ୍ତାନ ଏପର୍ଯ୍ୟନ୍ତ କରୋନା ଟିକାର ଗୋଟିଏ ମାତ୍ର ଡୋଜ କ୍ରୟ କରିପାରି ନାହିଁ। ଚାଇନାକୁ ଟିକା ମାଗିବା ପରେ ସେ ମାତ୍ର ୫ ଲକ୍ଷ ଟିକା ଦେବାର ପ୍ରତିଶୃତି ଦେଇଛି। ଫଳରେ ବିଳମ୍ବରେ ହେଲେ ମଧ୍ୟ ପାକିସ୍ତାନରେ କରୋନା ଟୀକାକରଣର ରାସ୍ତା ସ୍ପଷ୍ଟ ହେବାରେ ଲାଗିଛି। ଗୋଟିଏ ପଟେ ପାକିସ୍ତାନ ଏହି ଟିକା ପାଇ ଖୁସି ହୋଇଛି କିନ୍ତୁ ଅନ୍ୟ ପଟେ ଇମ୍ରାନ ଖାନ ସରକାରଙ୍କ ମନରେ ଏକ ଭୟ ଜାତ ହୋଇଛି। ଦେଶର ଆତଙ୍କବାଦୀମାନେ କାଳେ ଏହି ଟିକା ଲୁଟ୍‌ କରିନେବେ ସେନେଇ ସରକାର ଚିନ୍ତିତ ଅଛନ୍ତି। ଫଳରେ କରୋନା ଟିକା ଉପରେ ନଜର ରଖିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଉଛି। ଟିକାକୁ ଜଗିବା ପାଇଁ ସେନା ନିୟୋଜନ, ସିସିଟିଭିରୁ ତଦାରଖ ଭଳି ବ୍ୟବସ୍ଥା କରାଯାଉଛି। ଏହା ସହିତ ନ୍ୟାସନାଲ କମାଣ୍ଡ ଆଣ୍ଡ ଅପରେସନ ସେଣ୍ଟର (ଏନଓସିସି) କରୋନା ଟିକାକୁ ଆତଙ୍କବାଦୀ ଆକ୍ରମଣରୁ ରକ୍ଷା କରିବା ପାଇଁ ଏକ ନିର୍ଦ୍ଦେଶାବଳୀ ଜାରି କରିଛି। ଜାଲିଆତି, ଚୋରି ଏବଂ ବେଆଇନ ବିଜ୍ଞାପନ ସମ୍ପର୍କରେ ଇଣ୍ଟରପୋଲ ଏକ ସତର୍କ ସୂଚନା ଜାରି କରିଛି। ଆତଙ୍କବାଦୀ ଆକ୍ରମଣ ଭଳି କରୋନା ଟିକାକୁ ନକଲି ଟିକା ସହିତ ବଦଳାଇବା ଭଳି କୌଣସି ଅଘଟଣକୁ ରୋକିବା ପାଇଁ ଟିକା ପରିବହନ, ସଂରକ୍ଷଣ ଏବଂ ପରିଚାଳନା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି।

Share