Categories: ଜାତୀୟ

ଜୀବନ ଭୟରେ ଜଙ୍ଗଲ ଛାଡୁଛନ୍ତି ଆତଙ୍କବାଦୀ, ସର୍ଚ୍ଚ ଅପରେଶନ୍‌ ଜାରି …

ଶ୍ରୀନଗର,୩୧।୧୦: ଦୁଇ ସପ୍ତାହ ପରେ ରବିବାର ସକାଳେ ଜମ୍ମୁ-ରାଜୌରୀ ଜାତୀୟ ରାଜପଥକୁ ଯାତାୟତ ପାଇଁ ଖୋଲି ଦିଆଯାଇଛି। ଅପରେଶନ୍‌ ଅଲ୍‌ଆଉଟ୍‌ ଅନ୍ତର୍ଗତ ଗତ ୨୧ ଦିନ ଧରି ଜାରି ରହିଥିବା ସର୍ଚ୍ଚ ଅପରେଶନ ଯୋଗୁଁ ଏହା ବନ୍ଦ ହୋଇଯାଇଥିଲା। ଅଧିକାରୀମାନେ କହିଛନ୍ତି ଯେ ଆତଙ୍କବାଦୀ ଲୁଚି ରହିଥିବା ପୁଞ୍ଚର ସୁରାନକୋଟ ଜଙ୍ଗଲ ସହିତ ରବିବାର ମେଣ୍ଡରର ଭଟ୍ଟି ଡୁରିଆନ ଜଙ୍ଗଲ ଏବଂ ରଜୌରୀ ଜିଲ୍ଲାର ଥାନାମାଣ୍ଡି ନିକଟରେ ସର୍ଚ୍ଚ ଅପରେଶନ କରାଯାଇଥିଲା।

ଜମ୍ମୁ-କଶ୍ମୀରର ପୁଞ୍ଚ ଜିଲାର ସୁରାନକୋଟର ମେହେନ୍ଦରର ଭୀମବର୍‌ ଗାଲି ଏବଂ ଜେରା ୱାଲି ଗାଲି ମଧ୍ୟରେ ମୁଖ୍ୟ ରାଜପଥରେ ଯାତାୟାତ ପାଇଁ ପ୍ରଶାସନ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଛି।

ବିଶେଷ କରି ଟ୍ୟାକ୍ସି ଅପରେଟରମାନଙ୍କ ସୁବିଧା ଲାଗି ଏହି ଅନୁମତି ଦିଆଯାଇଛି। ଅବରୋଧିତ ଜଙ୍ଗଲ ଅଞ୍ଚଳ ଦେଇ ଯାଉଥିବା ରାସ୍ତାକୁ ସତର୍କତାମୂଳକ ପଦକ୍ଷେପ ଭାବରେ ଅକ୍ଟୋବର ୧୫ରେ ବନ୍ଦ କରାଯାଇଥିଲା। ମିଳିତ ସୁରକ୍ଷାକର୍ମୀଙ୍କ ଲଗାତାର ସର୍ଚ୍ଚ ଅପରେଶନ୍‌ ଯୋଗୁ ଆତଙ୍କବାଦୀମାନେ ଜୀବନ ଭୟରେ ଜଙ୍ଗଲ ଛାଡ଼ି ପଳାଉଥିବା ଅଧିକାରୀ କହିଛନ୍ତି।

ଇତିମଧ୍ୟରେ ଆତଙ୍କବାଦୀଙ୍କୁ ଖାଦ୍ୟ ଏବଂ ଆଶ୍ରୟସ୍ଥଳ ସମେତ ଲଜିଷ୍ଟିକ ସହାୟତା ଯୋଗାଇ ଦିଆଯାଇଥିବା ଅଭିଯୋଗରେ ଦୁଇ ମହିଳାଙ୍କ ସମେତ୧୨ରୁ ଅଧିକ ଲୋକଙ୍କୁ ପଚରାଉଚରା ପାଇଁ ଅଟକ ରଖାଯାଇଛି। ଜମ୍ମୁ ଅଞ୍ଚଳର ରାଜୌରୀ ଏବଂ ପୁଞ୍ଚରେ ଅନୁପ୍ରବେଶ ଉଦ୍ୟମ ଚଳିତ ବର୍ଷ ଜୁନ ଠାରୁ ବୃଦ୍ଧି ପାଇଛି। ସେହିପରି ପୃଥକ ପୃଥକ ଏନକାଉଣ୍ଟରରେ ୯ ଜଣ ଆତଙ୍କବାଦୀ ନିହତ ହୋଇଥିବା କଶ୍ମୀର ଜୋନ୍‌ ପୋଲିସ ପକ୍ଷରୁ କୁହାଯାଉଛି।

Share