Categories: ଜାତୀୟ

ପୋଲିସକର୍ମୀଙ୍କ ଉପରେ ଗୁଳି ଚଳାଇଲେ ଆତଙ୍କବାଦୀ

ଶ୍ରୀନଗର,୭।୫:ଜମ୍ମୁ-କଶ୍ମୀରରେ ଆତଙ୍କବାଦୀମାନେ ନିଜର ଦବ୍‌ଦବା ଜାରି ରଖିଛନ୍ତି। କେତେବେଳେ ଯବାନ ତ କେତେବେଳେ ପୋଲିସଙ୍କୁ ଆଉ କେତେବେଳେ ସାଧାରଣ ନାଗରିକଙ୍କୁ ଆତଙ୍କବାଦୀମାନେ ଟାର୍ଗେଟ କରୁଛନ୍ତି। ଇତିମଧ୍ୟରେ ଶନିବାର ସକାଳେ କେନ୍ଦ୍ରୀୟ କଶ୍ମୀରର ଶ୍ରୀନଗର ଜିଲାରେ ଜଣେ ପୋଲିସକର୍ମୀଙ୍କୁ ଆତଙ୍କବାଦୀମାନେ ଗୁଳିଚଳାଇଛନ୍ତି। ଏଥିରେ ପୋଲିସ କର୍ମଚାରୀ ଜଣକ ଗୁରୁତର ଆହତ ହୋଇ ସ୍ଥାନୀୟ ମେଡିକାଲରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି। ଏହି ଆକ୍ରମଣରେ ଆହତ ହୋଇଥିବା ପୋଲିସକର୍ମୀ ଜଣକ ଗୁଲାମ ରସୁଲ ଡାରଙ୍କ ପୁଅ ଗୁଲାମ ହସନ ଡାର ବୋଲି ଜଣାପଡିଛି। ସୂଚନାଯୋଗ୍ୟ, କନଷ୍ଟେବଳ ହସନ ଶନିବାର ସକାଳ ୭ଟାରେ ପିସିଆର ଡ୍ୟୁଟିରେ ଯାଉଥିବା ବେଳେ ଶ୍ରୀନଗରର ଡ. ଅଲି ଜନ ରୋଡର ଏୱା ବ୍ରିଜ ନିକଟରେ ଆତଙ୍କବାଦୀମାନେ ହଠାତ୍‌ ତାଙ୍କ ଉପରକୁ ଆଖିବୁଜା ଗୁଳି ଚଳାଇଥିଲେ। ଏହାପରେ ଆତଙ୍କବାଦୀମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ହସନ ସେଠାରେ ଗୁରୁତର ଅବସ୍ଥାରେ ପଡ଼ିରହିଥିଲେ। ଏନେଇ ଖବର ମିଳିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ତାଙ୍କୁ ସ୍କିମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ହସନଙ୍କ ଚିକିତ୍ସା ଚାଲିଥିବା ବେଳେ ଅବସ୍ଥା ଗୁରୁତର ରହିଛି ବୋଲି ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି। ଅନ୍ୟପଟେ ଆତଙ୍କବାଦୀଙ୍କୁ ଧରିବା ପାଇଁ ସମସ୍ତ ସୀମାଗୁଡ଼ିକରେ ଯାଞ୍ଚକୁ ତ୍ୱରାନିତ୍ୱ କରାଯିବା ସହ ସମଗ୍ର ଅଞ୍ଚଳକୁ ଘେରାବନ୍ଦୀ କରାଯାଇ ସର୍ଚ୍ଚ ଅପରେସନ୍‌ ଜାରି ରହିଛି। ଉକ୍ତ ଅଞ୍ଚଳର ସିସିଟିଭି ଫୁଟେଜକୁ ମଧ୍ୟ ପୋଲିସ ଯାଞ୍ଚ କରୁଥିବା ସୂଚନା ରହିଛି।

 

Share