Categories: ଜାତୀୟ

ଜମ୍ମୁ-କଶ୍ମୀରରେ ବଡ ଆତଙ୍କବାଦୀ ଆକ୍ରମଣ ଯୋଜନା, ପ୍ରଥମଥର ଜବତ ହେଲା ଫରଫ୍ୟୁମ ଆଇଇଡି

ଜମ୍ମୁ,୨ ।୨: ଜମ୍ମୁ-କଶ୍ମୀରରେ ବଡ ଧରଣର ଆତଙ୍କବାଦୀ ଆକ୍ରମଣ ଯୋଜନା ପଣ୍ଡ ହୋଇଛି । ନରୱାଲ ବ୍ଲାଷ୍ଟ ସମେତ କିଛି ବିସ୍ଫୋରଣ ମାମଲାରେ ସୁରକ୍ଷାକର୍ମୀ ଓ ସ୍ଥାନୀୟ ପୋଲିସ ମିଳିତ ଭାବେ ଲସ୍କର-ଏ-ତୋଏବାର ଜଣେ ଆତଙ୍କବାଦୀଙ୍କୁ ଗିରଫ କରିଛନ୍ତି । ଜମ୍ମୁ-ପୋଲିସ ଉକ୍ତ ଆତଙ୍କବାଦୀଙ୍କ ନିକଟରୁ ପରଫ୍ୟୁମ ଆଇଇଡି ଜବତ କରିଛନ୍ତି । ଏହା ପ୍ରଥମଥର ହୋଇଛି, ପୋଲିସକୁ କିଛି ପରଫ୍ୟୁମ ଆଇଇଡି ମିଳିଛି । ଯଦି କେହି ବ୍ୟକ୍ତି ପରଫ୍ୟୁମ ବୋତଲ ଖୋଲିବାକୁ ଚେଷ୍ଟା କରନ୍ତି ତେବେ ଏହା ବିସ୍ଫୋରଣ ହୋଇଯାଇଥାଏ ।

ଜମ୍ମୁ-କଶ୍ମୀର ଡିଜିପି ଦିଲବାଗ ସିଂ ପ୍ରେସ କନଫରେନ୍ସ କରି କହିଛନ୍ତି, ବିଗତ ଦିନରେ ଜମ୍ମୁର ନରୱାଲରେ ହୋଇଥିବା ୨ଟି ବ୍ଲାଷ୍ଟର ଯାଞ୍ଚ ପରେ ପୋଲିସ ରିୟାସିରେ ରହୁଥିବା ଆରିଫ ଅହମ୍ମଦଙ୍କୁ ଗିରଫ କରିଥିଲା । ଡିସେମ୍ବର ମାସର ଶେଷ ବେଳକୁ ୩ ଆଇଇଡି ସପ୍ଲାଇ ମିଳିଥିଲା । ମାରୱଲ ଅଞ୍ଚଳରେ ସେ ୨ଟି ଆଇଇଡିର ବ୍ୟବହାର କରିଥିଲେ । ସେ ପାକିସ୍ତାନର ସକ୍ରିୟ ଆତଙ୍କବାଦୀ ସଙ୍ଗଠନ ଲସ୍କର-ଏ-ତୋଏବାର ଆତଙ୍କବାଦୀ କାସିମଙ୍କ ସମ୍ପର୍କରେ ଥିଲେ ଓ ତାଙ୍କ ଇସାରାରେ ଆତଙ୍କବାଦୀ ଆକ୍ରମଣ କରୁଥିଲେ ।
ପୋଲିସ ମହାନିର୍ଦ୍ଦେଶକ ଦିଲବାଗ ସିଂ କହିଛନ୍ତି ଜମ୍ମୁ ପୋଲିସ ଆତଙ୍କବାଦୀ ଆରିଫଙ୍କ ନିକଟରୁ ଏକ ଆଇଇଡି ଜବତ କରିଛି, ଯାହାକୁ ପରଫ୍ୟୁମ ବୋତଲ ଭିତରେ ଅଣାଯାଇଥିଲା । ପାକିସ୍ତାନରୁ ଡ୍ରୋନ୍ ଜରିଆରେ ଆଇଇଡିର ସପ୍ଲାଇ କରାଯାଇଥିଲା । ସ୍ପେଶାଲ ଟିମ ଆଇଇଡିର ମାମଲା ଦେଖୁଛି । ସେ ଆହୁରି ମଧ୍ୟ କହିଛନ୍ତି, ପାକିସ୍ତାନ ନିଜ ମାଟିରେ ଆତଙ୍କବାଦ ବୃଦ୍ଧି କରିବା ଓ ବିଶ୍ୱରେ ବହୁ ନିରିହ ଲୋକଙ୍କୁ ମାରି ବଦନାମ ହେଉଛି । ଆତଙ୍କବାଦୀ କିଛିଦିନ ହେବ ଜମ୍ମୁ-କଶ୍ମୀରରେ ଲୋକଙ୍କୁ ଟାର୍ଗେଟ କରୁଛି । ଜମ୍ମୁ-କଶ୍ମୀରରେ ଲୋକଙ୍କ ମଧ୍ୟରେ ଏକ ସାମ୍ପ୍ରଦାୟିକ ବିଭାଜନ ସୃଷ୍ଟି କରିବାକୁ ସର୍ବଦା ପ୍ରୟାସ କରୁଛି ପକିସ୍ତାନ ।

Share