Categories: ଜାତୀୟ

‘ଆତଙ୍କବାଦୀ କସବଙ୍କଠାରୁ ବି ଅଧିକ ସୁରକ୍ଷା ବିଦ୍ରୋହୀ ବିଧାୟକଙ୍କୁ ଦିଆଯାଇଥିଲା’

ମୁମ୍ବାଇ,୩।୭:ମହାରାଷ୍ଟ୍ରର ରାଜନୈତିକ ଅସ୍ଥିରତା ପରେ ସେଠାରେ ଏକ ନୂତନ ସରକାର ଗଠନ କରାଯାଇଛି। ଶିବସେନାର ବିଦ୍ରୋହୀ ବିଧାୟକ ଏକନାଥ ସିନ୍ଧେ ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରିଛନ୍ତି। ରବିବାର ବିଧାନସଭା ବାଚସ୍ପତି ନିର୍ବାଚନରେ ଭାଜପା ନେତା ରାହୁଲ ନିର୍ବେକର ଜିତିଛନ୍ତି। ସୋମବାର ବିଧାନସଭାରେ ନୂତନ ସରକାର ନିଜର ଶକ୍ତି ପ୍ରଦର୍ଶନ କରିବେ। ସମସ୍ତ ବିଦ୍ରୋହୀ ବିଧାୟକ ଫ୍ଲୋର ଟେଷ୍ଟରେ ଯୋଗଦେବା ପାଇଁ ମୁମ୍ବାଇ ଆସିଛନ୍ତି। ଏହାପୂର୍ବରୁ ରବିବାର ଶିବସେନା ନେତା ଆଦିତ୍ୟ ଠାକରେ ନୂତନ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ ଏବଂ ବିଦ୍ରୋହୀ ବିଧାୟକଙ୍କୁ ଟାର୍ଗେଟ କରି ବିଦ୍ରୋହୀ ବିଧାୟକମାନଙ୍କୁ ଦିଆଯାଇଥିବା କଡା ସୁରକ୍ଷା ଉପରେ ପ୍ରଶ୍ନ କରିଛନ୍ତି।
ସିନ୍ଧେଙ୍କ ସମର୍ଥକ ବିଦ୍ରୋହୀ ବିଧାୟକମାନେ ରବିବାର ସ୍ବତନ୍ତ୍ର ବସ ଯୋଗେ ଏକ ବିଳାସପୂର୍ଣ୍ଣ ହୋଟେଲରୁ ବିଧାନ ଭବନ ପରିସରରେ ପହଞ୍ଚିଥିଲେ। ଆଦିତ୍ୟ ଠାକରେ କହିଛନ୍ତି, ଆତଙ୍କବାଦୀ କସବଙ୍କଠାରୁ ବି ଅଧିକ ସୁରକ୍ଷା ବିଦ୍ରୋହୀ ବିଧାୟକଙ୍କୁ ଦିଆଯାଇଥିଲା। ମୁମ୍ବାଇରେ ଆମେ ଏପରି ସୁରକ୍ଷା କେବେ ଦେଖିନାହୁଁ। କାହିଁକି ଏତେ ଭୟ? କେହି ପଳାଇବେ କି? ବିଦ୍ରୋହୀ ବିଧାୟକମାନେ ଲୁଚୁଥିଲେ। ଗତ ୧୦-୧୫ ଦିନ ମଧ୍ୟରେ ମହାରାଷ୍ଟ୍ର ରାଜନୀତିରେ ଯାହା ଘଟିଛି ଆଜିର ଯୁବପିଢି ଏସବୁ ପସନ୍ଦ କରିବେ କି ବୋଲି ପ୍ରଶ୍ନ କରିଛନ୍ତି ଆଦିତ୍ୟ।
ସୂଚନାଯୋଗ୍ୟ, ୨୦୦୮ ନଭେମ୍ବର ୨୬ରେ ମୁମ୍ବାଇ ଆକ୍ରମଣ ସମୟରେ ପାକିସ୍ତାନୀ ଆତଙ୍କବାଦୀ ମହମ୍ମଦ ଅଜମଲ କସବ ଜୀବନ୍ତ ଧରାପଡିଥିଲେ ଏବଂ ତାଙ୍କୁ ପୁଣେର ୟେରୱାଡା ଜେଲରେ ଫାଶୀ ଦିଆଯାଇଥିଲା।
ମହାରାଷ୍ଟ୍ରରେ ଏକନାଥ ସିନ୍ଧେଙ୍କ ନେତୃତ୍ୱରେ ବିଦ୍ରୋହୀ ଶିବସେନା ଗୋଷ୍ଠୀ ଏବଂ ଭାଜପାର ମିଳିତ ସରକାର ଜୁଲାଇ ୪ରେ ବିଧାନସଭା ଅଧିବେଶନରେ ଆସ୍ଥା ଭୋଟର ସମ୍ମୁଖୀନ ହେବାକୁ ପଡିବ। ସିନ୍ଧେଙ୍କୁ ସମର୍ଥନ କରୁଥିବା ବିଦ୍ରୋହୀ ଶିବସେନା ବିଧାୟକମାନେ ଶନିବାର ସାରେ ଗୋଆରୁ ମୁମ୍ବାଇ ଫେରିଥିଲେ। ସେମାନଙ୍କୁ ଦକ୍ଷିଣ ମୁମ୍ବାଇର ଏକ ହୋଟେଲରେ ରଖାଯାଇଛି।

Share