ଫାଇଜର-ମର୍ଡେନା ଭାକ୍ସିନ୍‌କୁ ନେଇ ଆତଙ୍କ, ଯୁବବର୍ଗଙ୍କଠାରେ ସୃଷ୍ଟି ହେଉଛି ହାର୍ଟ ସମସ୍ୟା …

ଓ୍ବାଶିଂଟନ,୨୪।୬: କରୋନା ମହାମାରୀ ସଂକ୍ରମଣ ଯୋଗୁ ପୃଥିବୀରେ ସଙ୍କଟ ଜନକ ସ୍ଥିତି ସୃଷ୍ଟି ହୋଇଛି। ସଂକ୍ରମଣରୁ ଦୂରେଇ ରହିବା ଲାଗି ବିଭିନ୍ନ ଦେଶରେ ସାର୍ବଜନୀକ ଭାକ୍ସିନ୍‌ ପ୍ରଦାନ ଅଭିଯାନ ଜାରି ରହିଛି। ତେବେ ଦିଆଯାଉଥିବା ଭାକ୍ସିନ୍‌ ଯୋଗୁ ଯୁବବର୍ଗଙ୍କଠାରେ ହାର୍ଟ ସମ୍ପର୍କିତ କେତେକ ପାର୍ଶ୍ୱ ପ୍ରତିକ୍ରିୟା ଦୃଷ୍ଟିଗୋଚର ହେଉଥିବା ନେଇ ଆମେରିକାର ରୋଗ ନିୟନ୍ତ୍ରଣ ଏବଂ ନିରାକରଣ କେନ୍ଦ୍ର(ସିଡିସି) ପକ୍ଷରୁ ଏକ ରିପୋର୍ଟ ଜାରି କରାଯାଇଛି। ଫାଇଜର ଏବଂ ମର୍ଡେନା ଭାକ୍ସିନ୍‌ ଯୋଗୁ ଏଭଳି ହେଉଥିବା ସିଡିସି କହିଛି। ଆମେରିକାରେ ୧୨ ବର୍ଷ ଏବଂ ଏହାଠାରୁ ଅଧିକ ବର୍ଷ ବୟସ୍କଙ୍କୁ ଭାକ୍ସିନ୍‌ ପ୍ରଦାନ କରାଯାଉଛି। ଯୁବବର୍ଗଙ୍କଠାରେ ମାୟୋକାର୍ଡିଟିସ୍‌ ଏବଂ ପେରିକାର୍ଡିଟିସ୍‌ ସମସ୍ୟା ସୃଷ୍ଟି ହେଉଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ବର୍ତ୍ତମାନ ସୁଦ୍ଧା ପ୍ରାୟ ୫୦୦ ଜଣଙ୍କଠାରେ ଏଭଳି ସମସ୍ୟା ଦେଖାଦେଇଥିବା ସିଡିସି ପକ୍ଷରୁ କୁହାଯାଇଛି। ସିଡିସି ରିପୋର୍ଟ ପ୍ରକାଶ ପାଇବା ପରେ ଫାଇଜର ଏବଂ ମର୍ଡେନା ଭାକ୍ସିନ୍‌କୁ ନେଇ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହେବାରେ ଲାଗିଛି।

Share