ନେପାଳରେ ବିଦ୍ରୋହକାରୀଙ୍କ ଆତଙ୍କ: ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ପତ୍ନୀଙ୍କୁ ଜିଅନ୍ତା ଜାଳିଦେଲେ…

କାଠମାଣ୍ଡୁ,୯।୯: ନେପାଳରେ  ବିଦ୍ରୋହକାରୀଙ୍କ ଆତଙ୍କ ବଢ଼ିବାରେ ଲାଗିଛି। ସେମାନଙ୍କ ହିଂସାତ୍ମକ ପ୍ରଦର୍ଶନରେ ପୂର୍ବତନ ପ୍ରଧାନମନ୍ତ୍ରୀ ଝାଲନାଥ ଖନାଲଙ୍କ ପତ୍ନୀ ରବିଲକ୍ଷ୍ମୀ ଚିତ୍ରକାରଙ୍କ ଜୀବନ ଚାଲିଯାଇଛି। ପ୍ରଦର୍ଶନକାରୀମାନେ ତାଙ୍କ ଦେହରେ ନିଆଁ ଲଗାଇଦେଇଥିବା ଆକ୍ଷେପ କରାଯାଉଛି। ନେପାଳୀ ଗଣମାଧ୍ୟମରେ ପ୍ରକାଶିତ ଦାବି ଅନୁଯାୟୀ, ତାଙ୍କୁ କୀର୍ତିପୁର୍‌ ବର୍ନ ହସ୍ପିଟାଲ୍‌କୁ ନିଆଯାଇଥିଲା, ଯେଉଁଠାରେ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ହୋଇଯାଇଛି।
ଝାଲନାଥ ଖନାଲ ୨୦୧୧ରେ ନେପାଳର ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତ ହୋଇଥିଲେ। ତାଙ୍କର କାର୍ଯ୍ୟକାଳ ଖୁବ୍‌ କମ୍‌ ସମୟ ଥିଲେ ମଧ୍ୟ, ନେପାଳର ରାଜନୀତିରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ରହିଛି। ସେ ସିପିଏନ୍‌ (କମ୍ୟୁନିଷ୍ଟ ପାର୍ଟି ଅଫ ନେପାଳ)ର ବରିଷ୍ଠ ନେତା। ମଙ୍ଗଳବାର ଦିନ ତାଙ୍କର ଦଲ୍ଲୁ ଅବସ୍ଥିତ ଘରେ ପ୍ରଦର୍ଶନକାରୀମାନେ ନିଆଁ ଲଗାଇଦେଇଥିଲେ, ଯେଉଁଥିରେ ତାଙ୍କ ପତ୍ନୀ ଗୁରୁତର ଭାବେ ପୋଡ଼ିଯାଇଥିଲେ। ଖନାଲଙ୍କୁ ନେପାଳୀ ସୈନ୍ୟମାନେ ରେସ୍କ୍ୟୁ କରିନେଇଥିଲେ।
ଏହି ଘଟଣା ନେପାଳର ରାଜନୈତିକ ପରିସ୍ଥିତିକୁ ଆହୁରି ଗମ୍ଭୀର କରିଛି। ସରକାର ଏହାକୁ ନିୟନ୍ତ୍ରଣ କରିବା ପାଇଁ ପଦକ୍ଷେପ ନେବାର ଆଶା କରାଯାଉଛି।

Share
Tags: nepal