ଝାରପଡ଼ା ପେଟ୍ରୋଲ ପମ୍ପରେ ଆତଙ୍କରାଜ ଘଟଣା: ୩ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର,୨୬।୫(ବ୍ୟୁରୋ)- ଭୁବନେଶ୍ୱର କଟକ ରୋଡସ୍ଥିତ ଝାରପଡ଼ାରେ ଥିବା ଜ୍ୟୋତି ପେଟ୍ରୋଲ ପମ୍ପରେ ଆତଙ୍କରାଜ ଘଟଣାରେ ଲକ୍ଷ୍ମୀସାଗର ଥାନା ପୋଲିସ ଜଣେ ନାବାଳକଙ୍କ ସମେତ ୪ ଅଭିଯୁକ୍ତଙ୍କ ବିରୋଧରେ ଶୁକ୍ରବାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଗିରଫ ହୋଇଥିବା ୩ ଅଭିଯୁକ୍ତ ହେଲେ ଝାରପଡ଼ା ଅଞ୍ଚଳର ସନ୍ତୋଷ କୁମାର ଭୋଲା (୧୯), ବଡ଼ଗଡ଼ ଥାନା ଅଞ୍ଚଳର ଦେବାଶିଷ ବେହେରା (୧୯) ଓ ଜୟପ୍ରକାଶ ଦଳେଇ (୨୦)। ଅଭିଯୁକ୍ତମାନଙ୍କୁ କୋର୍ଟଚାଲାଣ କରାଯିବା ପରେ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ସେହିପରି ଅଟକ ଥିବା ଅଭିଯୁକ୍ତ ନାବାଳକ ଜଣଙ୍କୁ ଜୁଭେନାଇଲ୍‌ ଜଷ୍ଟିସ୍‌ ବୋର୍ଡରେ ପୋଲିସ ହାଜର କରିବା ପରେ ତାଙ୍କୁ ବାଳସୁଧାର ଗୃହକୁ ପଠାଇ ଦିଆଯାଇଛି।
ସୂଚନା ଅନୁଯାୟୀ, ସୋମବାର ରାତି ପ୍ରାୟ ୯ଟା ବେଳେ ଅଭିଯୁକ୍ତ ନାବାଳକ ଓ ତାଙ୍କ ସାଙ୍ଗ ସନ୍ତୋଷ ଉକ୍ତ ପେଟ୍ରୋଲ ପମ୍ପକୁ ଏକ ବାଇକ ଯୋଗେ ପେଟ୍ରୋଲ ପକାଇବା ପାଇଁ ଯାଇଥିଲେ। ସେଠାରେ ଥିବା ପେଟ୍ରୋଲ ପମ୍ପ କର୍ମଚାରୀ ଉଭୟଙ୍କୁ ଲାଇନରେ ଆସିବା ପାଇଁ କହିବାରୁ ଅଭିଯୁକ୍ତଦ୍ୱୟ ତାଙ୍କୁ ଗାଳିଗୁଲଜ କରିଥିଲେ। ଏଥିସହ ସହଯୋଗୀ ଦେବାଶିଷ ଓ ଜୟପ୍ରକାଶଙ୍କୁ ସେଠାକୁ ଡ଼ାକିଥିଲେ। ପରେ ୪ ଅଭିଯୁକ୍ତ ମିଶି ପେଟ୍ରୋଲପମ୍ପ କର୍ମଚାରୀ ଓ ସାଧାରଣ ଲୋକଙ୍କୁ ଗାଳି କରିବା ସହ ମାଡ଼ ମାରିଥିଲେ। ଏଥିସହ ସେମାନେ ପଥର ମାଡ଼ କରି ଭୟର ବାତାବରଣ ସୃଷ୍ଟି କରିଥିଲେ। ଅଭିଯୁକ୍ତମାନେ ଏକ ବାଇକ, ଏକ ଟାଟାଏସି ଗାଡିର କାଚ ଏବଂ ଏକ ସ୍ବାଇପ ମେସିନକୁ ଭାଙ୍ଗି ଦେଇଥିଲେ। ଏନେଇ ମଙ୍ଗଳବାର କର୍ମଚାରୀ ତପନ ପରିଡାଙ୍କ ଏତଲାକ୍ରମେ ପୋଲିସ ଏକ ମାମଲା (ନଂ. ୨୧୯/୨୦୨୩) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ପରେ ସିସିଟିଭି ଫୁଟେଜ୍‌ ଆଧାରରେ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରି କାବୁ କରିଥିଲା।