୨୦୨୧ରେ ବି ପୁଣି ସୃଷ୍ଟି ହୋଇପାରେ ଆତଙ୍କ !

ସୋଫିଆ,୨୬।୧୨: ବିଦାୟ ନେବାକୁ ଯାଉଛି ୨୦୨୦। ଆଉ କିଛି ଦିନ ପରେ ନୂଆବର୍ଷ ୨୦୨୧ ଆସିବ। ଲୋକେ ପୁରୁଣା ବର୍ଷର ଦୁଃଖ ଭୁଲି ନୂଆବର୍ଷକୁ ସ୍ବାଗତ କରିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ତେବେ ବୁଲଗେରିଆର ଭବିଷ୍ୟବକ୍ତା ବାବା ଭେଙ୍ଗାଙ୍କ ଦ୍ୱାରା ରଚିତ ପୁସ୍ତକରେ ଉଲ୍ଲେଖ କରାଯାଇଛି ଯେ, ୨୦୨୧ ବର୍ଷରେ ବି ପୁଣି ନୂଆ ନୂଆ ପ୍ରାକୃତିକ ବିପର୍ଯ୍ୟୟ ସୃଷ୍ଟି ହୋଇପାରେ। ବାବା ଭେଙ୍ଗାଙ୍କ ବହୁ ଭବିଷ୍ୟବାଣୀ ପରବର୍ତ୍ତୀ ସମୟରେ ସତ୍ୟରେ ପରିଣତ ହୋଇଛି। ୨୦୨୧ରେ ଆକାଶରୁ ବଡ଼ ବଡ଼ ଉଲକାପିଣ୍ଡ ଖସିବ ବୋଲି ବାବାଙ୍କ ପୁସ୍ତକରେ ଦର୍ଶାଯାଇଛି। ୟୁରୋପରେ ରାସାୟନିକ ଆକ୍ରମଣ ଆଶଙ୍କା ରହିଛି। ରୁଷ୍‌ର ରାଷ୍ଟ୍ରପତି ବ୍ଲାଡିମୀର ପୁଟିନ୍‌ଙ୍କୁ ୨୦୨୧ରେ ହତ୍ୟା କରାଯିବ ବୋଲ ଏଥିରେ ଉଲ୍ଲେଖ ରହିଛି। ସେହିପରି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଭୟଙ୍କର ରୋଗଗ୍ରସ୍ତ ହେବେ। ତାଙ୍କର ମସ୍ତିଷ୍କ ଉପରେ ପ୍ରଭାବ ପଡ଼ିବ। ଅନ୍ୟଗ୍ରହରେ ଜୀବନ ସନ୍ଧାନ ୨୦୨୧ରେ ମିଳିବ। କର୍କଟର ଚିକିତ୍ସାର ସୂତ୍ର ୨୦୨୧ରେ ମିଳିବ। ଅପରପକ୍ଷରେ ଚାଇନାର ଶକ୍ତି ବୃଦ୍ଧି ପାଇବ ବୋଲି ବାବା ଭେଙ୍ଗାଙ୍କ ପୁସ୍ତକରେ କୁହାଯାଇଛି। ବାବା ଭେଙ୍ଗା ୧୯୧୧ ଜାନୁୟାରୀ ୩୧ରେ ଉତ୍ତର ମ୍ୟାସିଡ଼ୋନିଆର ଷ୍ଟ୍ରୁମାଇକାଠାରେ ଜନ୍ମ ଗ୍ରହଣ କରିଥିଲେ। ୧୯୯୬ ଅଗଷ୍ଟ ୧୧ରେ ବୁଲଗେରିଆର ରାଜଧାନୀ ସୋଫିଆରେ ତାଙ୍କର ମୃତ୍ୟୁ ଘଟିଥିଲା। ମାତ୍ର ୧୨ ବର୍ଷ ବୟସରେ ଦୃଷ୍ଟି ଶକ୍ତି ହରାଇ ବସିଥିବା ବାବା ଭେଙ୍ଗା ଭବିଷ୍ୟବାଣୀ କ୍ଷେତ୍ରରେ ବେଶ୍‌ ପରିଚିତି ହାସଲ କରିପାରିଥିଲେ। ସୋଭିଏତ୍‌ ୟୁନିଅନର ବିଘଟନ, ୨୦୦୧ରେ ଓ୍ବାଲ୍ଡ ଟ୍ରେଡ୍‌ ସେଣ୍ଟର ଆତଙ୍କବାଦୀ ଆକ୍ରମଣ, ୧୯୯୭ରେ ପ୍ରିନ୍ସ୍‌ ଡାଏନାଙ୍କ ମୃତ୍ୟୁ, ୨୦୦୪ରେ ହୋଇଥିବା ଜାପାନ ସୁନାମୀ ଆଦି ସତ୍ୟ ହୋଇସାରିଛି। ସେ ୫୦୭୯ ମସିହା ପର୍ଯ୍ୟନ୍ତ ଭବିଷ୍ୟବାଣୀ କରିଛନ୍ତି।

Share