Posted inଫୁରସତ

ମାଟିହାଣ୍ଡିରୁ ଟେରାକୋଟା

କୌଳିକ ବୃତ୍ତିର ଦାୟରେ ମାଟି ହାଣ୍ଡିର ମୋହରେ ପଡିଥିବା କୁମ୍ଭକାରଙ୍କ ଆର୍ଥିକସ୍ଥିତି ଧୀରେ ଧୀରେ ଦୁର୍ବଳ ହୋଇପଡିଥିବାବେଳେ ଏବେ ସ୍ଥିତି ସୁଧାରିବାର ବାଟ ଦେଖାଇଛି ଟେରାକୋଟା..

ଜନ୍ମରୁ ମୃତ୍ୟୁ ଯାଏ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ କାମରେ ଖୋଜାପଡନ୍ତି ସେମାନେ। ଦିନେ ସେମାନଙ୍କ ବିନା ଅସମ୍ଭବ ହୋଇପଡୁଥିଲା କାମ କାର୍ଯ୍ୟ। ହେଲେ ଏବେ ସେମାନଙ୍କର ଗୁରୁତ୍ୱ ନାହିଁ ଆଗଭଳି। ଏମାନେ ହେଲେ କୁମ୍ଭକାର ସମ୍ପ୍ରଦାୟ, ଯାହାଙ୍କ କୌଳିକ ବୃତ୍ତି ମାଟିପାତ୍ର ଗଢ଼ିବା। ଦିନେ ଦୈନନ୍ଦିନ ଜୀବନରେ ପ୍ରତିଟି କାମରେ ଖୋଜା ପଡୁଥିବା ମାଟିପାତ୍ର ଏବେ ମୁଖ୍ୟତଃ ପୂଜାପରମ୍ପରାରେ ହିଁ ସୀମିତ ରହିଯାଇଛି; ଯେଉଁଥିପାଇଁ ଦୁର୍ବଳ ହୋଇପଡିଛି ତାଙ୍କ ଆର୍ଥିକସ୍ଥିତି। ସେହି ଦୁର୍ବଳ ଆର୍ଥିକସ୍ଥିତିକୁ ଧରି ମାଟିହାଣ୍ଡିର ମୋହରେ କିଛି କୁମ୍ଭକାର ସମ୍ପ୍ରଦାୟ ରହିଥିବାବେଳେ କିଛି ଯୁବପିଢ଼ି ସ୍ଥିତି ସୁଧାରିବାର ବାଟ ଖୋଜିଛନ୍ତି। ଆଉ ତାଙ୍କୁ ବାଟ ଦେଖାଇଛି ଟେରାକୋଟା।
ମାଟି ଦେଇଛି ରୋଜଗାର: କୌଳିକ ବୃତ୍ତିର ଦାୟରେ ମାଟିପାତ୍ର ଗଢ଼ି ପରିବାର ପ୍ରତିପୋଷଣ କରୁଥିବା ଲୋକମାନଙ୍କ ମତରେ ମାଟି ହିଁ ଦେଇଛି ତାଙ୍କୁ ରୋଜଗାର। ଏମାନେ ହେଲେ କୁମ୍ଭକାର ସମ୍ପ୍ରଦାୟର। ବାଲେଶ୍ୱର ଜିଲାରେ ଦୁଇପ୍ରକାର କୁମ୍ଭାର ଅଛନ୍ତି। ଏମାନେ ବଂଶାନୁକ୍ରମିକ ଭାବରେ ମାଟିରେ ହାଣ୍ଡି, ମାଠିଆ, ଦୀପ, ଢାଳ, ସୁରେଇ, ହାତୀ, ଘୋଡ଼ା ପ୍ରଭୃତି ସାମଗ୍ରୀ ଗଢ଼ି ଜିଲା ତଥା ଜିଲା ବାହାରକୁ ପଠାଇ ଦି’ ପଇସା ରୋଜଗାର କରିଥାନ୍ତି। ସାଙ୍ଗକୁ ଧାନ ଚାଷ ସେମାନଙ୍କର ମୁଖ୍ୟ କାମ ହୋଇଥାଏ।
ଅନୁସାରେ, ନୀଳଗିରି ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ହେବା ପରେ ଜଗନ୍ନାଥଙ୍କଠାରେ ଲାଗିବାକୁ ଥିବା ଦୀପ, ଢାଳ, ସୁରେଇ, ମାଠିଆ, ହାଣ୍ଡି ପ୍ରଭୃତି ଗଢ଼ିବା ପାଇଁ ତତ୍କାଳୀନ ରାଜା କିଶୋର ଚନ୍ଦ୍ର ମର୍ଦ୍ଦରାଜ ବିହାର ରାଜ୍ୟରୁ ମୋଦିଆ ଜାତିର କିଛି କାରିଗରଙ୍କୁ ଆଣି ନୀଳଗିରି ବ୍ଲକର ବ୍ରାହ୍ମଣୀ ପାହାଡ଼ ପାଦଦେଶରେ ଥିବା ବୁଗାଳିବନ୍ଧ ନିକଟରେ ଥଇଥାନ କରିଥିଲେ। ପାହାଡ଼ ପାଦଦେଶ ଜମିରେ ଥିବା ଅଠାଳିଆ ମାଟିକୁ କାରିଗରମାନେ ସଂଗ୍ରହ କରି ସେଥିରେ ବାଲି ମିଶାଇ ଗୋଡ଼ରେ ଚକଟିବା ସହିତ ସେଥିରେ ଥିବା ଗେଟି ଓ ଗୋଡ଼ି ବାହାର କରିଥାନ୍ତି। ଉକ୍ତ କାଦୁଅକୁ ନେଇ ଚକ ସାହାଯ୍ୟରେ କାରିଗରମାନେ ଉପରୋକ୍ତ ସାମଗ୍ରୀ ପ୍ରସ୍ତୁତ କରିଥାନ୍ତି। ଏଥିରେ ପରିବାରର ପୁରୁଷ ଲୋକମାନେ ମାଟି, ବାଲି ଆଣିବା କାର୍ଯ୍ୟ ସହ ଚକ ବୁଲାଇ ସାମଗ୍ରୀ ପ୍ରସ୍ତୁତ କରୁଥିବା ବେଳେ ମହିଳା ଓ ପିଲାମାନେ କାଦୁଅ ଚକଟିବା, ପ୍ରସ୍ତୁତ ସାମଗ୍ରୀକୁ ଶୁଖାଇବା, ଭାଟି ପାଇଁ ପ୍ରସ୍ତୁତ କରିବା, ରଙ୍ଗ ଦେବା ଭଳି କାମରେ ସହାୟତା କରିଥାନ୍ତି। ପ୍ରସ୍ତୁତ ସାମଗ୍ରୀକୁ ବିଭିନ୍ନ ହାଟ, ବଜାରରେ ବିକ୍ରି କରି ଏହି ବଂଶଜ ଲୋକମାନେ ଦୀର୍ଘବର୍ଷ ଧରି ପରିବାର ଭରଣପୋଷଣ କରିଆସୁଛନ୍ତି। ରାଜାଙ୍କ ଦ୍ୱାରା ମାତ୍ର କେତେଜଣ କାରିଗର ବୁଗାଳିବନ୍ଧ ଗାଁରେ ବସତି ସ୍ଥାପନ କରିଥିବା ବେଳେ ଆଜି ଉକ୍ତ ଅଞ୍ଚଳରେ ୭ଶହରୁ ଊର୍ଦ୍ଧ୍ୱ ପରିବାର। ସେଠାରୁ କିଛି ଲୋକ ସୋର ଅଞ୍ଚଳର ରଙ୍ଗାମାଟିଆ, ନୀଳଗିରି ବ୍ଲକର ଜାମୁନା, ପିଠାହତା, ତରତରି ସହ ମୟୂରଭଞ୍ଜ ଜିଲାର ଡୁକୁରା, ଚୁନିଡିହା, ବଣତାଳପଦା, ବଡ଼ସାହି, କେନ୍ଦୁଡିହା, ମାର୍କୁଣ୍ଡି ଅଞ୍ଚଳରେ ରହି ହାଣ୍ଡିମାଠିଆ ଗଢୁଛନ୍ତି। ବୁଗାଳିବନ୍ଧ ଗାଁର ହାରଧ୍ୟାନ ବେହେରା, ସୁରେନ୍ଦ୍ର ବେହେରା, ମଦନ ବେହେରା, ଗିରିଧାରୀ ବେହେରା, ହରିହର ବେହେରା, ବୈଦ୍ୟନାଥ ବେହେରା, ସହାଗୀ ବେହେରା, ସରସ୍ବତୀ ବେହେରା, ଚନ୍ଦ୍ରି ବେହେରା ପ୍ରମୁଖ ଉକ୍ତ ସାମଗ୍ରୀ ପ୍ରସ୍ତୁତ କରିବାର ପ୍ରଣାଳୀକୁ ତଳପିଢ଼ିଙ୍କୁ ଶିଖାଉଛନ୍ତି। ଉକ୍ତ ଅଞ୍ଚଳର ଯୁବ କାରିଗର କୁଶଚନ୍ଦ୍ର ବେହେରାଙ୍କ କହିବାନୁସାରେ ଦିନ ଥିଲା ଆମ ବାପାଜେଜେବାପାଙ୍କ ଅମଳରୁ କେବଳ ଏହି କାମ କରି ପରିବାର ପ୍ରତିପୋଷଣ କରୁଥିଲେ। ଏବେ ବି ମାଟିପାତ୍ର ଗଢି ଉକ୍ତ ସାମଗ୍ରୀକୁ ଭଦ୍ରକ, ଚରମ୍ପା, ରାଣୀତାଲ, ଗଣ୍ଡିବେଡ଼, ସୋର, ଖନ୍ତାପଡ଼ା, ଇରମ, ବାଲେଶ୍ୱର ଭଳି ସାନବଡ଼ ବଜାରରେ ଆରାମରେ ବିକ୍ରି କରି ମାସିକ ୫ରୁ ୮ହଜାର ଟଙ୍କା ଆୟ କରିପାରୁଛନ୍ତି। ସାମାଜିକ କର୍ମୀ ବିଜୟ କୁମାର ଆଚାର୍ଯ୍ୟଙ୍କ ମତରେ, ପୂର୍ବରୁ ଏହି ଅଞ୍ଚଳର ପିଲାମାନେ ଶିକ୍ଷା ଗ୍ରହଣ ନ କରି କେବଳ ଉକ୍ତ କାର୍ଯ୍ୟରେ ଲିପ୍ତ ରହୁଥିଲେ। ଏବେ ଶିକ୍ଷା ସହ ପିଲାମାନେ ଆଧୁନିକ ମାଟିପାତ୍ର ତିଆରି ବି ଶିଖୁଛନ୍ତି। କାରଣ ଏବେ ଆଧୁନିକ ମାଟିପାତ୍ର ଓ ଟେରାକୋଟାର ଚାହିଦା ବହୁତ ରହିଛି। ଉପଯୁକ୍ତ ସରକାରୀ ସହାୟତା ମିଳିପାରିଲେ ସେମାନେ ଆଗକୁ ବଢିପାରିବା ସହ ଆର୍ଥିକ ସ୍ବଚ୍ଛଳ ହୋଇପାରିବେ।
ଏବେ ଟେରାକୋଟାକୁ ଭରସା:ଏହି ବୃତ୍ତି ପ୍ରତି ଲୋକଙ୍କ ଆଗ୍ରହ କମି ଆସିଥିବାବେଳେ ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ମାଧପୁର ଗ୍ରାମ ପଞ୍ଚାୟତର ମୁଦୁଲି ସାହିର ପ୍ରାୟ ୬୦ଟି କୁମ୍ଭକାର ପରିବାର ନିଜର କୌଳିକ ବୃତ୍ତି ବଞ୍ଚାଇ ରଖିଛନ୍ତି । ମାଧପୁର ହାଣ୍ଡି, ଆଟିକା ଆଦି ସାମଗ୍ରୀର ଚାହିଦା ରହିଛି । ସ୍ଥାନୀୟ ଅଞ୍ଚଳର ବିଭିନ୍ନ ଗାଁରେ ଲୋକମାନଙ୍କ ନିକଟରେ ଏକ କଥା ପ୍ରଚଳିତ । ପଇସା ଦେବ ମାଧପୁର ହାଣ୍ଡି ବଜାଇ ନେବ । ଏହା ମାଧପୁରର ସାମଗ୍ରୀର ଗୁଣବତ୍ତାକୁ ସୂଚାଇଥାଏ ।
ଗ୍ରାହକମାନେ ବିନା ଦ୍ୱିଧାରେ ଏହାକୁ କ୍ରୟ କରି ନେଇଥାଆନ୍ତି। କୁମ୍ଭକାରମାନେ ସ୍ଥାନୀୟ ମତୋ ବଜାରରେ ନିଜର ସାମଗ୍ରୀ ବିକ୍ରି କରୁଥିବା ବେଳେ କେତେକ ଲୋକ ବିଭିନ୍ନ ଗାଁରେ ବୁଲି ଏହି ବେପାର କରୁଛନ୍ତି । ଏହାଛଡା ଘଟପୁର ପଞ୍ଚାୟତର ରତନୀ ଗାଁର ୨୦ଟି ପରିବାର ଓ ଜୟନ୍ତୀ ଗାଁର ୩୦ପରିବାର, ଗୋପୀନାଥପୁର ପଞ୍ଚାୟତର ହଳଦିଆ ଗାଁର ୩୦ ପରିବାର, ଭାଟପଡା ପଞ୍ଚାୟତର ଚନ୍ଦନବିନ୍ଧା ଗାଁର ୧୦ଟି ପରିବାର, ମହୁଲିଆ ଗ୍ରାମ ପଞ୍ଚାୟତର ଚନ୍ଦନପୁର ଗାଁର ୩୦ଟି କୁମ୍ଭକାର ପରିବାର ସେମାନଙ୍କ କୌଳିକବୃତ୍ତିକୁ ବଞ୍ଚାଇ ରଖିଛନ୍ତି । ବିବାହ, ବ୍ରତ, କୀର୍ତ୍ତନ, ଘର ପ୍ରତିଷ୍ଠା ଅବା ମୃତାହ କର୍ମ ସବୁପାଇଁ ବିଭିନ୍ନ କିସମର ପୋଡାମାଟି ପାତ୍ରର ଆବଶ୍ୟକତା ପଡିଥାଏ । ଦିନକୁ ଦିନ ମାଟିପାତ୍ରର ବ୍ୟବହାର କମୁଥିବା ବେଳେ ଏହି କୁମ୍ଭକାର ପରିବାରମାନେ ଚିନ୍ତାରେ ପଡିଛନ୍ତି । ମାଟିରୁ ହାଣ୍ଡି, କଳସ, କଳସି, ପିଆଣ, ଦୀପ, ପଲମ, ଝୁଣାଦାନି, ମାଟି ଚୁଲି, ଚୁଲି ମୁହଁ, କୁମ୍ପି, ଘୋଡା, କଣ୍ଢେଇ, ପତଲା, ମାଢ, ଜାହାଲା ଆଦି ତିଆରି କରୁଛନ୍ତି । ଉଭୟ ପୁରୁଷ ଓ ସ୍ତ୍ରୀ ଲୋକମାନେ ଏହି କାମ କରନ୍ତି । ମୁଦୁଲି ସାହିର ବୃନ୍ଦାବନ ବେହେରା କୁହନ୍ତି, ‘ଅଠର ବର୍ଷ ବୟସରୁ ସେ ଏହି କୌଳିକ ବୃତ୍ତି କରି ଆସୁଛନ୍ତି । ଏବେ କେଇବର୍ଷ ହେବ ସେ ଟେରାକୋଟା କାମରେ ମନ ଦେବା ସହିତ ସିମେଣ୍ଟ ଓ ମାଟିରେ ବିଭିନ୍ନ ମୂର୍ତ୍ତି ତିଆରି କରି ବିକୁଛନ୍ତି । ମାଟିରୁ ଘୋଡା, ହାତୀ, ଚିଙ୍ଗୁଡି, ମୟୂର, ପାଣି ବୋତଲ, ସୁରେଇ ଭଳି ଜିନିଷ ସେ ତିଆରି କରିଛନ୍ତି । ମାଟି ଘୋଡାର ଆକାର ୬ଇଞ୍ଚରୁ ଅଢେଇ ଫୁଟ ପର୍ଯ୍ୟନ୍ତ । ଘୋଡା ଯୋଡାକ ୨୦ଟଙ୍କାରୁ ୨ଶହ ଟଙ୍କା ଦାମରେ ବିକ୍ରି ହୋଇଥାଏ । ଟେରାକୋଟା ସାମଗ୍ରୀର ଚାହିଦା ସ୍ଥାନୀୟ ଅଞ୍ଚଳରେ ନ ଥିବାରୁ ଭଲ ରୋଜଗାର ହୋଇପାରୁ ନାହିଁ ।   ବାହାରେ ବିକ୍ରି ପାଇଁ ସରକାରଙ୍କ ତରଫରୁ ବ୍ୟବସ୍ଥା ହେଲେ ଭଲ ହୁଅନ୍ତା। ଚନ୍ଦନପୁର ଗାଁର ଭାସ୍କର ବେହେରା କୁହନ୍ତି, ‘ପ୍ରାୟ ୪୦ବର୍ଷ ହେବ ଏହି କାମ କରୁଛୁ । ମାଟିରୁ ସାମଗ୍ରୀ ତିଆରି କରିବା ସହିତ ଅନ୍ୟ କାରିଗରଙ୍କଠାରୁ ଜିନିଷ କିଣି ନେଇ ମୁଖ୍ୟତଃ ଚାନ୍ଦବାଲି ହାଟରେ ବିକ୍ରି କରିଥାଉ । ଏଥିରୁ ତାଙ୍କର ପରିବାର ଚଳୁଛି । ସରକାରଙ୍କ ତରଫରୁ ଟେରାକୋଟା ତିଆରିର ତାଲିମ୍‌ ଦିଆଗଲେ ସେ ଏହି କାମ ମଧ୍ୟ କରିବେ ବୋଲି କହିଛନ୍ତି ।
ପରମ୍ପରା ପାଇଁ ଖୋଜା ପଡୁଛି: ପୂର୍ବରୁ ନୟାଗଡ ଓ ଖୋର୍ଦ୍ଧା ଜିଲାରେ ଅଧିକାଂଶ ଗଁାରେ କୁମ୍ଭାର ସମ୍ପ୍ରଦାୟର ଲୋକ ମାଟି ହାଣ୍ଡି, ଆଟିକା, ସରା, ଘଡି, ମାଠିଆ ତିଆରି କରୁଥିଲେ। ରସ, ଷ୍ଟିଲ, ପ୍ଲାଷ୍ଟିକ ଉପକରଣ ଆସିବା ପରେ ଧୀରେ ଧୀରେ ଏହି ବେଉସା ବୁଡି ଚାଲିଲା । କୁମ୍ଭାରମାନେ ନିଜ ବେଉସା ଛାଡି ଅନ୍ୟ କାମରେ ନିୟୋଜିତ ହେଲେ । କିଛି କଁା ଭଁା କୁମ୍ଭାର ସଂପ୍ରଦାୟର ପରିବାର ବୃତ୍ତିକୁ ବଞ୍ଚାଇ ରଖିବାରେ ସକ୍ଷମ ହେଲେ । ଏବେ ଓଡଗାଁ ବ୍ଲକର ମଝିଆଖଣ୍ଡ, ଶିଖରପୁର ଓ ପଞ୍ଚରିଡା, ନୟାଗଡ ବ୍ଲକର ଗବନଳ, ଖଣ୍ଡପଡା ବ୍ଲକର ଗୁଣ୍ଠୁଣୀ, ଯୋଗିଆପଲ୍ଲୀ ଓ ଶିଖରପୁର, ରଣପୁର ବ୍ଲକର ରଙ୍କଦେଉଳି, ଗଉଡିଆପଡା ଅଞ୍ଚଳରେ କଁା ଭଁା ସ୍ଥାନରେ ମାଟିପତ୍ର ନିର୍ମାଣ ହେଉଥିବାର ଦେଖିବାକୁ ମିଳୁଛି । ଏନେଇ ଗଡଡିଆପଡାର ସନ୍ତୋଷ ପ୍ରଧାନ କୁହନ୍ତି, ମାଟିପତ୍ର ନିର୍ମାଣ ପାଇଁ ଆଉ କାଠ ମିଳୁନାହିଁ । ଯେଉଁ କାଠ ମିଳୁଛି ତାହା କିଣି ମାଟିପାତ୍ର ପୋଡିବା ସମ୍ଭବ ହେଉ ନାହିଁ । ମାଟିପାତ୍ରର ଦର ଅଧିକ କଲେ ଲୋକେ ନେବେନି । ଜଟଣୀ ବ୍ଲକର ବିମଳ ବେହେରା କୁହନ୍ତି, ମାଟିପାତ୍ର ନିର୍ମାଣ ଶୁଭ, ଅଶୁଭ କାର୍ଯ୍ୟ ଓ ଠାକୁରଙ୍କ ପାଇଁ କେବଳ ତିଆରି ହେଉଛି । ଖୋର୍ଦ୍ଧାଜିଲାର ଚିଲିକାବ୍ଲକର ସୋରଣ କୁମ୍ଭାର ସାହିରେ ପ୍ରାୟ ୬୦ଟି କୁମ୍ଭାର ପରିବାର ରହୁଛନ୍ତି। ଏହି ଗାଁର ପ୍ରଫୁଲ ମୁଦୁଲି କୁହନ୍ତି, ‘କେବଳ ବିଭିନ୍ନ ପର୍ବପର୍ବାଣି ସମୟରେ କୁମ୍ଭକାରମାନେ ମାଟିର ହାଣ୍ଡି, ଆଟିକା, ମାଠିଆ,ସୁରେଇ, ଦୀପ ଆଦି ବିଭିନ୍ନ ପ୍ରକାରର ମାଟିପାତ୍ର ଗଢି ଜୀବିକା ନିର୍ବାହ କରୁଛନ୍ତି। ଖରାଦିନେ ପାଣିରଖିବା ପାଇଁ ଆଜିକାଲି ଅନେକ ବ୍ୟକ୍ତି ବିଭିନ୍ନ ଆକୃତିର ମାଟିସୁରେଇକୁ କିଣିନେଇଥାନ୍ତି। ଏହି ମାଟିପାତ୍ରରେ ରଖାଯାଉଥିବା ଖାଦ୍ୟ କିମ୍ବା ପାନୀୟ ଶୀତଳ ଓ ସୁରକ୍ଷିତ ରହିଥାଏ। ମାଠିଆ ଗୋଟିକ ପ୍ରାୟ ୨୦ରୁ ୩୦ଟଙ୍କା ସୁରେଇ ଗୋଟିକ ୪୦ରୁ ୭୦ଟଙ୍କାମୂଲ୍ୟରେ ବିକ୍ରି କରାଯାଇଥାଏ। ଚୈତ୍ର, ବେଶାଖ ଓ ଜ୍ୟେଷ୍ଠ ଆଦି ତିନିମାସ ବେପାର ବେଶ୍‌ ଭଲ ହୋଇଥାଏ। ବିଭିନ୍ନ ମେଳଣ, ଯାନିଯାତରାରେ ମାଟିପାତ୍ର ବିକ୍ରିକରିବାକୁ ନେଇଥାଉ। ସେହିପରି ଟାଙ୍ଗି ବ୍ଲକ ଅନ୍ତର୍ଗତ ୧୬ନମ୍ବର ଜାତୀୟ ରାଜପଥର କଡ଼ରେ ରହିଛି ବଡ଼ପାରି ଗ୍ରାମପଞ୍ଚାୟତର ଅହିଅରା ଗାଁ। ଗାଁ ଭିତରକୁ ପ୍ରବେଶମାତ୍ରେ ନଜରପଡ଼ିବ ଚାଳଛପର ଘେରା ଏକ କୁମ୍ଭାରଶାଳଘର, ବାରଣ୍ଡାରେ ସଜାଡ଼ା ହୋଇ ରହିଥାଏ ବିଭିନ୍ନ ମାଟିପାତ୍ରର ସାମଗ୍ରୀ। ଶାଳଘର ନିକଟରେ ମାଟି ଚକଟୁଥିବା ଦୀନବନ୍ଧୁ ମୁଦୁଲି କୁହନ୍ତି, ‘ପୁରୁଷପୁରୁଷଧରି ଆମର ଏହି କୁଳବେଉସା ଚାଲିଛି। ଆମ କୁମ୍ଭାର ସାହିର ଲୋକମାନେ ବାଣପୁର ଆୟତପୁର ଅଞ୍ଚଳରୁ ମାଟି ଆଣୁଥିଲେ। ଆଜିକାଲି ଏହି ମାଟିର ଦାମ୍‌ ଅଧିକ ହେଲାଣି। ପ୍ରାୟ ଗୋଟିଏ ଟ୍ରାକ୍ଟର ପିଛା ଦୁଇ ହଜାରଟଙ୍କା ଦବାକୁ ପଡ଼ିଥାଏ। ଆଗରୁ ବଳଦ ଶଗଡ଼ର ମାଟି ମାହାଳିଆ ଆଣୁଥିଲୁ। ଆଉ ନିକଟସ୍ଥ ଜଙ୍ଗଲରୁ ଝାଟି ଡାଳପତ୍ରକୁ ମଧ୍ୟ ଆଣିଥାଉ।’ ସେହିଭଳି ନିରଞ୍ଜନ ମୁଦୁଲି କୁହନ୍ତି, ‘ଆଜିକାଲି ଯୁଗରେ ଯଦିବା ଅନ୍ୟାନ୍ୟ ସିଲଭର ଓ ଷ୍ଟିଲ ବାସନକୁସନର ଚାହିଦା ରହିଛି ତଥାପି ଆମେ ଏହି କୌଳିକ ବୃତ୍ତିକୁ ବଞ୍ଚେଇ ରଖିଛୁ।
ମାଟି ହାଣ୍ଡିର ସ୍ଥାନ ନେଉଛି ଟେରାକୋଟା
ସ୍ଥାନୀୟ ବିଡାନାସି କୁମ୍ଭାର ସାହିର ସୁରେନ୍ଦ୍ର ବେହେରା କହିଛନ୍ତି, ଏ ସାହିରେ ପ୍ରାୟ ୩୦୦ ପରିବାରରୁ ୨୫୦ ପରିବାର ମାଟିର ବିଭିନ୍ନ ପାତ୍ର ନିର୍ମାଣ କରି ପରିବାର ପ୍ରତିପୋଷଣ କରୁଥିଲେ। ଏବେ ୨ ରୁ ୩ଟି ପରିବାର ଏହି କାର୍ଯ୍ୟରେ ନିୟୋଜିତ ଅଛନ୍ତି। ତେବେ ନଈରେ ମାଟି ମିଳିବା ଧୀରେ ଧୀରେ କଷ୍ଟକର ବ୍ୟାପାର ହୋଇପଡିବାରୁ ଓ ମାଟିପାତ୍ରର ଚାହିଦା ଦିନକୁଦିନ କମିବାରୁ ବହୁ ପରିବାର ଏହି ବୃତ୍ତିରୁ ନିଜକୁ ଦୂରେଇ ନେଲେ। ଏବେ ପୁନଶ୍ଚ ଲୋକଙ୍କ ମଧ୍ୟରେ ମାଟିରେ ନିର୍ମିତ ବିଭିନ୍ନ ପାତ୍ରର ଚାହିଦା ବୃଦ୍ଧି ପାଇବା ସହ ଟେରାକୋଟାର ଚାହିଦା ବୃଦ୍ଧି ପାଉଛି। ତେବେ ବର୍ତ୍ତମାନର ମାଟି ନିର୍ମିତ ବିଭିନ୍ନ ପାତ୍ରର ଚାହିଦା ବୃଦ୍ଧିକୁ ଦୃଷ୍ଟିରେ ରଖି ଯଦି ସରକାରୀ ପ୍ରୋତ୍ସାହନ ମିଳନ୍ତା ତାହାଲେ ଏହା ଆମର ଆର୍ଥିକ ମାନଦଣ୍ଡ ବୃଦ୍ଧିରେ ସହାୟକ ହୋଇପାରନ୍ତା।
ଆମ ଗାଁକୁ ଶିଳ୍ପୀ ଗ୍ରାମ କରିବାର ଲକ୍ଷ୍ୟ
ରମେଶ ଚନ୍ଦ୍ର ମୁଦୁଲି, ଘର ବାଲେଶ୍ୱରର ଚିନ୍ତାମଣିପୁର। ବାପା ତାଙ୍କର କୌଳିକ ବୃତ୍ତି ଦାୟରେ ହାଣ୍ଡି ଗଢନ୍ତି। କିନ୍ତୁ ତାଙ୍କର ଇଚ୍ଛା ଥିଲା ଇଲେକ୍ଟ୍ରିକ୍‌ କାମ କରିବେ। କାରଣ ଘରର ଆର୍ଥିକ ପରିସ୍ଥିତି ଭଲ ନ ଥିଲା। ୨୦୦୦ରେ ମାଟ୍ରିକ୍‌ ପାସ୍‌ ପରେ କଲିକତା ଯାଇ ଇଲେକ୍ଟ୍ରିକ୍‌ କାମ ଶିଖିଲେ। ହେଲେ ସେ ପୂରା ହୋଇପାରିଲା ନାହିଁ। ତା’ପରେ ଦୁଇବର୍ଷ ପାଇଁ ଗୁଜରାଟ ରାଜସ୍ଥାନ ଯାଇ ପଥର କାମ ଶିଖିଲେ, କାମ କଲେ କିନ୍ତୁ ମନ ଲାଗିଲା ନାହିଁ। ଘରକୁ ଚାଲି ଆସିଲେ। ବୋଉ ତାଙ୍କର କହିଲେ ତୁ ବାପାଙ୍କ କାମ ଶିଖ। ଆଗରୁ ଟିକେ ଟିକେ ଶିଖିଥିଲେ। ବୋଉଙ୍କ କଥା ମାନି ଏବେ ପୂରା ସମୟ ଦେବାକୁ ଚିନ୍ତା କଲେ। ରମେଶ କୁହନ୍ତି, ଆମ ଗାଁ ପାଖର ନରହରି ମୁଦୁଲି ଡାକି କହିଲେ-ତୁ ଚକ ବୁଲାଇ ପାରିବୁ? ମୋ ଚକ ବୁଲାଇବା ଦେଖି କହିଲେ ତୁ ଖୁବ୍‌ଶୀଘ୍ର ଶିଖିଯିବୁ। ୨୦୦୮ ମସିହାରେ ମୁଁ ରାଜ୍ୟ ହସ୍ତଶିଳ୍ପ ତାଲିମ କେନ୍ଦ୍ରରେ ଦୁଇବର୍ଷ ଟେରାକୋଟାରେ କୋର୍ସ କରିବା ପରେ ୯ ମାସ ଡିଜାଇନ୍‌ କୋର୍ସ କଲି। ଘରେ ଆସି କାମ କରୁଥିଲି। ଏହାପରେ ରା୍ୟ ସରକାରଙ୍କ ତରଫରୁ ଓଡ଼ିଶାର ବିଭିନ୍ନ ଜାଗାକୁ ଯାଇ ଟେରାକୋଟା ଉପରେ ଟ୍ରେନିଂ ଦେଲି। ପ୍ରଥମେ ଢେଙ୍କାନାଳରେ ୪୫ ଜଣଙ୍କୁ ଟ୍ରେନିଂ ଦେବାପରେ ଭୁବନର ଚିତଲ ଗାଁରେ ୬ମାସ ରହି ଟ୍ରେନିଂ ଦେଲି। ତା’ପରେ ଉତ୍କଳ ବାଳାଶ୍ରମ ଆଦିରେ ଟ୍ରେନିଂ ଦେବା ସହ ବିଭିନ୍ନ ମେଳାକୁ କାମ ନେଇ ଯାଉଥିଲି। ୨୦୧୭ ମସିହାରେ ବାଲେଶ୍ୱର ଓରମାସ୍‌ର ଜିତେନ୍ଦ୍ର କୁମାର ବିଶ୍ୱାଳ ଚାହିଁଲେ ତାଙ୍କ ଟେରାକୋଟା ଗ୍ରୁପ୍‌ରେ ଜଣେ ଟ୍ରେନିଂ ଦେବେ। ମୁଁ ସେଠାରେ ଟ୍ରେନିଂ ଦେବା ସହିତ କହିଲି ”ଆମ ଗାଁରେ ୧୦୦ରୁ ଅଧିକ କୁମ୍ଭକାର ଅଛନ୍ତି। ସ୍ତ୍ରୀ ଲୋକମାନେ ବି କାମ ନାହିଁ ବସିଛନ୍ତି। ତେଣୁ ଆମ ଗାଁରେ ଗ୍ରୁପ୍‌ କଲେ ହେବନି। ସାର୍‌ ରାଜି ହୋଇଗଲେ। ପ୍ରଥମେ ଗଁାରେ ୩୦ ଜଣିଆ ଉତ୍ପାଦକ ଗୋଷ୍ଠୀ ତିଆରି ହେଲା। ବାପା ଗ୍ରୁପ୍‌ ନାଁରେ ୪ ଡିସିମଲ୍‌ ଜାଗା କରିଦେଲେ। ଯାହା ଫଳରେ ଆମ ଗଁା ବିକାଶ ଯୋଜନାରେ ୧୦ ଲକ୍ଷ ଟଙ୍କାର ଘର ବି ଦେଲେ। ଆଞ୍ଚଳିକ ହସ୍ତତନ୍ତ୍ର ତାଲିମ୍‌ କେନ୍ଦ୍ରରେ ଆମ ଗ୍ରୁପ୍‌ର ୨୩ ଜଣ ଟ୍ରେନିଂ ନେଇଛନ୍ତି। ଶିଳ୍ପୀଗ୍ରାମ ଯୋଜନାରେ ୪୫ ଜଣଙ୍କୁ ଟ୍ରେନିଂ ଦିଆଯାଇଛି। ଏହାପରେ ଓଡ଼ିଶା ବାହାର ମେଳାକୁ ବି ଗଲୁ। KVIC ତରଫରୁ ୩୦ଟି ଚକ ମିଳିଲା, ଯେଉଁଥିରେ ଆମେ ୧୦ଭାଗ ପଇସା ଦେବା ବେଳେ କେନ୍ଦ୍ର ସରକାର ୯୦ ଭାଗ ପଇସା ଦେଲେ। କଲେକ୍ଟର ଲକ୍ଷେ ୮୦ ହଜାର ଟଙ୍କା ଖର୍ଚ୍ଚ କରି ପାଣିର ବ୍ୟବସ୍ଥା କରିଛନ୍ତି। ଓର୍‌ମାସ ଫଣ୍ଡରୁ ୨ଲକ୍ଷ ୪ହଜାର ଟଙ୍କା ମିଳିଛି, ଯେଉଁଥିରେ ଆମେ ଗୁଜରାଟରୁ ୩ଟା ମେଶିନ୍‌ ମଗାଇ ଚା’ କପ୍‌ ତିଆରି କରୁଛୁ। ୬ ଲକ୍ଷ ଟଙ୍କା କଲେକ୍ଟର ଦେଇଛନ୍ତି। ସେରାମିକ୍‌ ଗ୍ୟାସ୍‌ ଭାଟି ଆଣି ସେଥିରେ ସେରାମିକ୍‌ କାମ ସହ ଟେରାକୋଟା କାମ ବି କରିପାରିବୁ। ଭବିଷ୍ୟତର ଯୋଜନା ଅଛି ଆମ ଗାଁକୁ ଶିଳ୍ପୀଗ୍ରାମ କରିବା। ଏବେ ଅଳ୍ପ ପୁରୁଷ ଲୋକ ଆମ ଗାଁରେ ହାଣ୍ଡି ଗଢ଼ୁଥିବା ବେଳେ ସବୁ ମହିଳାମାନେ ଟେରାକୋଟା କାମ କରୁଛନ୍ତି। ପ୍ରକୃତରେ ଟେରାକୋଟା କାମର ଚାହିଦା ବହୁତ। ଏତେ କାମ ଆସୁଛି ଯେ ଯୋଗାଇ ହେଉନି। ତେଣୁ ମୁଁ ଚାହୁଁଛି ଅଧିକରୁ ଅଧିକ ଲୋକ ଟ୍ରେନିଂ ନେଇ ଏହି କାମ କରନ୍ତୁ। କାରଣ ଏହାର ଭବିଷ୍ୟତ ବହୁତ ଭଲ।

ରୋଜାଲିନ୍‌ ମହାନ୍ତି
ମାନସ ବିଶ୍ୱାଳ, ଅଶୋକ ପଣ୍ଡା, ଲୋକନାଥ ମିଶ୍ର, ଅଭିଜିତ ଚନ୍ଦ୍ର


Enter your email to get our daily news in your inbox.

All Right Reserved By Dharitri.Com

ଛେଚିଲା କୁଆପଥର ବର୍ଷା, ପବନରେ ଗଛ ଭାଙ୍ଗି ନଷ୍ଟ ହେଲା ଏକାଧିକ ଗାଡ଼ି

ନନ୍ଦପୁର,୧ା୩(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ ବୁଧବାର ପବନ ସହ କୁଆପଥର ବର୍ଷା ହୋଇଛି। ଯାହାର ପ୍ରଭାବରେ ନନ୍ଦପୁର ବ୍ଲକ ସଦର ମହକୁମା ସ୍ଥିତ…

ନଦୀରେ ଗାଧୋଉଥିବାବେଳେ ଆକ୍ରମଣ କଲା କୁମ୍ଭୀର, ଆଉ ତା’ ପରେ…

କଳିଙ୍ଗନଗର,୧ା୪(ଶୁଭାଶିଷ ରାଉତ): ଯୋକଡିଆ ପାଟିଆ ନଈରେ କୁମ୍ଭୀର ଆକ୍ରମଣରେ ଜଣେ ଶ୍ରମଜୀବୀ ଗୁରୁତର ଆହତ ହୋଇଛନ୍ତି। ସୌଭାଗ୍ୟ କ୍ରମେ ଅଳ୍ପକେ ବର୍ତ୍ତିଯାଇଛି ତାଙ୍କ ଜୀବନ। ଯାଜପୁର ଜିଲା…

ANM ସ୍ତ୍ରୀଙ୍କୁ ମାରି ନିଆଁ ଲଗାଇବା ବେଳେ ନିଜେ ଜଳିଯାଇଥିଲେ, ଅର୍ଦ୍ଧଦଗ୍ଧ ସ୍ବାମୀରବି ହେଲା ମୃତ୍ୟୁ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ଥାନା ବନ୍ଧପଡା ଫାଣ୍ଡି ଅନ୍ତର୍ଗତ ରାମଚନ୍ଦ୍ରପୁର ଉପସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ମହିଳା ଏଏନଏମ ଦମୟନ୍ତୀ ବାରିକ (୫୬)ଙ୍କ ମୃତ୍ୟୁ ଘଟଣା…

ଥାନାରେ ପଶି ଥାନାଧିକାରୀଙ୍କୁ ଗାଳିଗୁଲଜ କରି ଯୁବକ ଦେଲେ ହତ୍ୟା ଧମକ, ଭଦ୍ରଲୋକ ହୋଇ ଥାନାକୁ ଆସିଲେ,

ଉଦଳା,୧।୪(ସନ୍ତୋଷ କୁମାର ବାଛିନୀ): ଥାନାରେ ପଶି ହଙ୍ଗାମା କଲେ ଯୁବକ । ମହିଳା ଥାନା ଅଧିକାରୀଙ୍କ ସହିତ ଅନ୍ୟ ମହିଳା ଅଧିକାରୀଙ୍କୁ ଦୁର୍ବ୍ୟବହାର କରିଲେ ଯୁବକ। କପ୍ତିପଦା…

ଘୁମୁସରରୁ ଆରମ୍ଭ ହୋଇଥିଲା ପ୍ରଥମ ଆନ୍ଦୋଳନ, ଓଡ଼ିଆ ଭାଷା ଆନ୍ଦୋଳନରୁ ହିଁ…

ଭଞ୍ଜନଗର,୧ା୩(ବାବୁଲା ପ୍ରଧାନ): ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ଉପରେ ବୁଧବାର ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ପକ୍ଷରୁ ସହରରେ ଅନେକ କାର୍ଯ୍ୟକ୍ରମ ହୋଇଥିଲା। ସକାଳେ ଉପଜିଲାପାଳ ଉମାଶଙ୍କର ବେହେରା,…

ବାମୁନି ଗ୍ରାମରେ ମରିଲେଣି ୨୫ରୁ ଉର୍ଦ୍ଧ୍ବ ଗୋରୁ, ମକା କାରଖାନାକୁ ଦାୟୀ କରୁଛନ୍ତି ଗ୍ରାମବାସୀ

ନବରଙ୍ଗପୁର,୧।୪(ସଦାଶିବ ପ୍ରହରାଜ): ମକା କାରଖାନାରୁ ବାହାରୁଛି ଦୂଷିତ ପାଣି । ତେବେ ଏହା ପିଇ ୨୫ରୁ ଉର୍ଦ୍ଧ୍ବ ଗାଈ, ବଳଦ, ବାଛୁରୀର ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି…

ମାସକରେ ତୃତୀୟ ଥର ପାଇଁ ବଢ଼ିଲା LPG ଦର, ଜାଣନ୍ତୁ ୧୧ କେଜି ସିଲିଣ୍ଡରର ଦାମ୍?

ନୂଆଦିଲ୍ଲୀ,୧।୪: ଇରାନ ସହିତ ସଂଘର୍ଷ ପରେ, ବିଶ୍ୱର ଅନେକ ଦେଶରେ ତୈଳ ଏବଂ ଘରୋଇ ଗ୍ୟାସ (LPG) ସମ୍ବନ୍ଧୀୟ ସଙ୍କଟ ଦେଖାଦେଇଛି। ପାକିସ୍ତାନ ପୂର୍ବରୁ ଆର୍ଥିକ କ୍ଷେତ୍ରରେ…

ମାଟିରେ ପ୍ଲାଷ୍ଟିକ୍‌ ପୋତିହୋଇ ଜଳଧାରଣ ହ୍ରାସ

ପଟ୍ଟାମୁଣ୍ଡାଇ,୧ା୪ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପୌରାଞ୍ଚଳରେ ପ୍ଲାଷ୍ଟିକର ବ୍ୟବହାର ବହୁଳ ଭାବରେ ବଢ଼ିଚାଲିଛି। ସହର ସାରା କୁଢ଼ କୁଢ଼ ପ୍ଲାଷ୍ଟିକ ଅଳିଆ ଓ ଆବର୍ଜନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri