Categories: ଜାତୀୟ

ତେଲ୍‌ଗୀଙ୍କ ଉପରେ ଓ୍ବେବ୍‌ସିରିଜ୍‌ ବନ୍ଦ ଆବେଦନ ଖାରଜ

ମୁମ୍ବାଇ,୨୪।୧୨: ଅବଦୁଲ୍‌ କରିମ୍‌ ଲାଲା ତେଲ୍‌ଗୀଙ୍କ ମାମଲା ଉପରେ ହଂସଲ ମେହେଟ୍ଟାଙ୍କ ସ୍କାମ୍‌ ୨୦୦୩ ଓ୍ବେବ୍‌ସିରିଜ୍‌ ମୁକ୍ତିଲାଭ ଉପରେ ସାମୟିକ ନିଷେଧାଜ୍ଞା ଜାରି ନିମନ୍ତେ ହୋଇଥିବା ଆବେଦନକୁ ମୁମ୍ବାଇର ଏକ ଅଦାଲତ ଶୁକ୍ରବାର ଖାରଜ କରିଦେଇଛନ୍ତି। ଏହି ଓ୍ବେବ୍‌ସିରିଜ୍‌ ସୋନିଲିଭ୍‌ରେ ପ୍ରସାରିତ ହେବାକୁ ଯାଉଛି। ଓ୍ବେବ୍‌ସିରିଜ୍‌ ପ୍ରସାରଣ ରୋକିବା ଲାଗି ତେଲ୍‌ଗୀଙ୍କ ଝିଅ ଏବଂ ଜ୍ୱାଇଁ ସିଟି ସିଭିଲ୍‌ ଜଜ୍‌ କୋର୍ଟରେ ଆବେଦନ କରିଥିଲେ। ତେଲ୍‌ଗୀଙ୍କ ଉପରେ ଓ୍ବେବ୍‌ସିରିଜ୍‌ ନିର୍ମାଣ ପାଇଁ ମେହେଟ୍ଟା ଏବଂ ପ୍ରଯୋଜକ ତାଙ୍କ ଝିଅଜ୍ୱଇଁ କିମ୍ବା ପରିବାରର ଅନ୍ୟ କାହାଠାରୁ ଅନୁମତି ନେଇ ନ ଥିଲେ ବୋଲି ସେମାନଙ୍କ ଓକିଲ ଏମ୍‌.ଭି. ଥୋରାଟ କହିଥିଲେ। ଉକ୍ତ ଓ୍ବେବସାଇଟ ପରିବାରର ଗୋପନୀୟତା ଅଧିକାର, ଆତ୍ମସମ୍ମାନ ଓ ମର୍ଯ୍ୟାଦାର ଉଲ୍ଲଂଘନ ବୋଲି ସେ ଯୁକ୍ତି ବାଢ଼ିଥିଲେ। ସୂଚନାଯୋଗ୍ୟ, ଜାଲ୍‌ ଷ୍ଟାମ୍ପ୍‌ ପେପର ଦୁର୍ନୀତି ମାମଲାରେ ତେଲ୍‌ଗୀ ଦୋଷୀସାବ୍ୟସ୍ତ ହୋଇଥିଲେ। ତାଙ୍କର ବିଭିନ୍ନ ଅଙ୍ଗ ଅକାମୀ ହୋଇଯିବାରୁ ୨୦୧୭ ଅକ୍ଟୋବର ୨୩ରେ ମୃତ୍ୟୁ ଘଟିଥିଲା।

Share