ଅଙ୍ଗନଓ୍ବାଡି କର୍ମୀ ନିଯୁକ୍ତିକୁ ନେଇ ଉତ୍ତେଜନା

ବେତନଟୀ,୩ା୧୨(ସ୍ବ.ପ୍ର.): ବେତନଟୀ ବ୍ଲକ ଅଧୀନ ଆମ୍ବଗଡ଼ିଆ ପଞ୍ଚାୟତର ଅଙ୍ଗାରଗଡ଼ିଆ ଗ୍ରାମ ଅଙ୍ଗନଓ୍ବାଡି କେନ୍ଦ୍ରରେ କର୍ମୀ ନିଯୁକ୍ତକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ନୂତନ କର୍ମୀଙ୍କୁ ବିରୋଧ କରି ଶୁକ୍ରବାର ସ୍ଥାନୀୟ ଗ୍ରାମବାସୀ ଅଙ୍ଗନଓ୍ବାଡି କେନ୍ଦ୍ରରେ ତାଲା ପକାଇବା ସହ ଦୁଆର ମୁହଁରେ କଣ୍ଟା ପକାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।
ସୂଚନା ଅନୁଯାୟୀ, ଅଙ୍ଗାରଗଡିଆ ଅଙ୍ଗନଓ୍ବାଡି କେନ୍ଦ୍ରର ପୂର୍ବତନ କର୍ମୀ ବାସନ୍ତୀ ସିଂ ଭିଆର୍‌ଏସ୍‌ ନେଇ ଆମ୍ବଗଡ଼ିଆ ପଞ୍ଚାୟତର ସରପଞ୍ଚ ନିର୍ବାଚିତ ହେବା ପରେ ଉକ୍ତ ପଦବୀଟି ଖାଲି ପଡ଼ିଥିଲା l ଖାଲି ପଦବୀ ପୂରଣ ନିମନ୍ତେ ଗତ ସେପ୍ଟେମ୍ବର ମାସରେ ଉକ୍ତ ଗ୍ରାମର ମୋଟ ୮ଜଣ ଅନ୍‌ଲାଇନ୍‌ ମାଧ୍ୟମରେ ଆବେଦନ କରିଥିଲେ। ଉକ୍ତ ଗ୍ରାମର ଖରେଶ୍ୱର ବୀର ସୋରେନଙ୍କ ସ୍ତ୍ରୀ ବୁଧୁନୀ ମଧ୍ୟ ଆବେଦନ କରିଥିଲେ। ବୁଧୁନୀଙ୍କର ଶାଶୁ ଉକ୍ତ ଅଙ୍ଗନଓ୍ବାଡି କେନ୍ଦ୍ରରେ ହେଲପର ଭାବେ ଦୀର୍ଘଦିନ ଧରି ନିୟୋଜିତ ଅଛନ୍ତି। ହେଲେ ଗୋଟିଏ ସ୍ଥାନରେ ଗୋଟିଏ ପରିବାରରୁ ୨ଜଣଙ୍କୁ ନିଯୁକ୍ତି ନ ଦେବା ପାଇଁ ଗ୍ରାମବାସୀ ବିଭାଗୀୟ ଅଧିକାରୀଙ୍କଠାରେ ଅଭିଯୋଗ କରିଥିଲେ। ମାତ୍ର ବୁଧୁନୀଙ୍କୁ ଉକ୍ତ ଅଙ୍ଗନଓ୍ବାଡି କେନ୍ଦ୍ରରେ ନୂତନ କର୍ମୀ ଭାବେ ନିଯୁକ୍ତି ପତ୍ର ମିଳିଥିଲା। ଏନେଇ ଅଞ୍ଚଳବାସୀ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଶୁକ୍ରବାର ବୁଧୁନୀ ଉକ୍ତ କେନ୍ଦ୍ରରେ ଯୋଗଦେବାକୁ ଥିବାବେଳେ ଏକାଧିକ ଗ୍ରାମବାସୀ ଅଙ୍ଗନଓ୍ବାଡି କେନ୍ଦ୍ରରେ ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏନେଇ ବେତନଟୀ ସିଡିପିଓଙ୍କୁ ପଚାରିବାରୁ ସରକାରୀ ନିୟମ ଭିତରେ ଉକ୍ତ ନିଯୁକ୍ତି ଦିଆଯାଇଛି। ଆବେଦନକାରୀଙ୍କର ହାଇସ୍କୁଲ ପରୀକ୍ଷାରେ ଅଧିକ ନମ୍ବର ଥିବାରୁ ତାଙ୍କୁ ହିଁ ଚୟନ କରାଯାଇଛି ବୋଲି କହିଛନ୍ତି।